ଡିକେ ଶିବକୁମାରଙ୍କ ମନ୍ତବ୍ୟକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭା ବାରମ୍ବାର ମୁଲତବୀ

ଡେସ୍କ: ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ଗୋଷ୍ଠୀକୁ ସଂରକ୍ଷଣ ଦେବା ପାଇଁ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦେଇଥିବା ମନ୍ତବ୍ୟକୁ ନେଇ ସଂସଦର ଉଭୟ ସଦନ ଆଜି ଏକାଧିକ ଥର ମୁଲତବୀ ରହିଥିଲା। ଏହି ପ୍ରସଙ୍ଗରେ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ ୨ ଥର ମୁଲତବୀ ରଖାଯାଇଥିଲା।

ରାଜ୍ୟସଭାରେ ଦ୍ବିତୀୟ ମୁଲତବୀ ପରେ ଗୃହ ୨.୧୫ରେ ପୁଣି ଥରେ ଆରମ୍ଭ ହୋଇଥିବା ବେଳେ ତୈଳ କ୍ଷେତ୍ର (ନିୟନ୍ତ୍ରଣ ଓ ବିକାଶ) ସଂଶୋଧନ ବିଲ୍, ୨୦୨୪ରେ ଲୋକସଭା ଦ୍ୱାରା କରାଯାଇଥିବା କେତେକ ସଂଶୋଧନକୁ ଗୃହ ଅନୁମୋଦନ କରିଛି। ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇସାରିଛି। ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଅପରାହ୍ନ ୨ଟାରେ ପ୍ରଥମ ମୁଲତବୀ ପରେ ଗୃହ ପୁଣି ଥରେ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସ୍ପଷ୍ଟ କରିଛନ୍ତି ଯେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ସମ୍ବିଧାନ ପରିବର୍ତ୍ତନ ପାଇଁ କିଛି କହିନାହାନ୍ତି ଏବଂ ଶାସକ ଦଳର ନେତାମାନେ ହିଁ ସମ୍ବିଧାନ ପରିବର୍ତ୍ତନ ବିଷୟରେ ଅନେକ ଥର କଥାବାର୍ତ୍ତା କରିଛନ୍ତି। ଶ୍ରୀ ଖଡ଼ଗେଙ୍କୁ ଜବାବ ଦେଇ ଗୃହ ନେତା ଜେପି ନଡ୍ଡା କହିଛନ୍ତି ଯେ ଡକ୍ଟର ବିଆର ଆମ୍ବେଦକର ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଧର୍ମ ଆଧାରିତ ସଂରକ୍ଷଣକୁ ବିରୋଧ କରୁଥିଲେ।

ଲୋକସଭାରେ ମଧ୍ୟାହ୍ନ ୧୨ଟାରେ ପ୍ରଥମ ମୁଲତବୀ ପରେ ଗୃହ ପୁନଃ ଆରମ୍ଭ ହୋଇଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ୧୯୪୭ ମସିହାରେ ଧର୍ମ ଆଧାରିତ ସଂରକ୍ଷଣ ପ୍ରସଙ୍ଗ ଆସିଥିଲା ଏବଂ ସେତେବେଳେ ସମସ୍ତ ପ୍ରମୁଖ ନେତା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ପିଠାସୀନ ଅଧିକାରୀ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

Comments are closed.