ଓଡିଶାର ସ୍ମୃତିରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ଈଶ୍ବରଙ୍କ ସୃଷ୍ଟିରେ ସମସ୍ତ ଜୀବଙ୍କ ମଧ୍ୟରେ ମନୁଷ୍ୟ ହିଁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଇଛି। ପ୍ରତ୍ୟେକ ମନୁଷ୍ୟ ନିଜ ଜନ୍ମର ସାର୍ଥକତା ପ୍ରତିପାଦନ କରିବା ପାଇଁ ଏ ଧରାପୃଷ୍ଠରେ ନିଜ କର୍ମ କରିଥାନ୍ତି ଆଉ ସମୟର ନିୟମ ଅନୁସାରେ ଦିନେ ନା ଦିନେ ରକ୍ତ ମାଂସର ଶରୀର ତ୍ୟାଗ କରିଥାନ୍ତି। କିନ୍ତୁ ସେଇ ସମୟ ସୀମା ମଧ୍ୟରେ ଯିଏ ନିଜର ପରାକାଷ୍ଠା, ନିଜର କ୍ରିୟାଶୀଳତାକୁ ଆଦୃତ କରାଇଥାନ୍ତି, ସେ ମୃତ୍ୟୁ ପରେ ମଧ୍ୟ ଜନମାନସରେ ଅମର ହୋଇ ରହିଥାନ୍ତି। ସେହିଭଳି ଜଣେ ଜନପ୍ରେମୀ, ଦୂରଦର୍ଶୀ ସମ୍ପନ୍ନ ବ୍ୟକ୍ତି ଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ୧୯୪୧ ମସିହା ଜୁନ ୧୬ ତାରିଖରେ ମହେଶ୍ୱର ପ୍ରଧାନ ଓ ଚନ୍ଦ୍ରମା ଦେବୀଙ୍କ ଔରସରୁ, ତତ୍କାଳୀନ ଢେଙ୍କାନାଳ ଜିଲା ଅନ୍ତର୍ଗତ ନାଲମ ଗାଁ ଠାରେ ସେ ଜନ୍ମଲାଭ କରିଥିଲେ।
୧୯୫୨ ମସିହାରେ ନିଜ ଗାଁ ସରକାରୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି କଣିହାଁ ବ୍ଲକ ସ୍ଥିତ ପବିତ୍ର ମୋହନ ହାଇସ୍କୁଲ ଏବଂ ପରେ ତାଳଚେର ସ୍ଥିତ ଯୁବରାଜ ହାଇସ୍କୁଲରୁ ୧୯୫୯ ମସିହାରେ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ। ପିଲା ଦିନରୁ ଡାକ୍ତର ହେବାର ସ୍ୱପ୍ନକୁ କଞ୍ଚା ମାଟିରୁ ଗଢି ଆକାର ଦେବା ପାଇଁ ​‌ସେ ବିଜ୍ଞାନ ପାଠ୍ୟକ୍ରମରେ ଅନୁଗୋଳ କଲେଜରେ ନାମ ଲେଖାଇଥିଲେ। ତାଙ୍କ କଠିନ ପରିଶ୍ରମ ରାସ୍ତା କଢାଇ ଥିଲା ଡାକ୍ତରୀ ପଢା ପାଇଁ।
୧୯୬୧ ମସିହାରୁ ୧୯୬୬ ମସିହା ପର୍ଯ୍ୟନ୍ତ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ପଢାସାରି ସେହିଠାରୁ ହିଁ ସେ ନିଜର ଡାକ୍ତରୀ ପେସା ଆରମ୍ଭ କରିଥିଲେ। ୧୯୬୭ ମସିହାରେ ସେ ତାଳଚେର ସ୍ଥିତ ଡେରା ଠାରେ ସହକାରୀ ମେଡିକାଲ ଅଫିସର ଭାବରେ ସରକାରୀ ଚାକିରିରେ ଯୋଗଦାନ କରିଥିଲେ। ଜଣେ ଡାକ୍ତର ଭାବରେ ରୋଗୀଙ୍କର ଚିକିତ୍ସା କରୁ କରୁ ଏବଂ ରୋଗୀଙ୍କ ସହ କଥା ହେଉ ହେଉ ସେ କେତେବେଳେ ଯେ ଦରଦୀ ବନ୍ଧୁ ପାଲଟି ଯାଇଥିଲେ, ସେ ନିଜେ ମଧ୍ୟ ଜାଣି ନଥିଲେ। ରୋଗୀଙ୍କ ଚିକିତ୍ସା କରୁ କରୁ ସେ ଲୋକଙ୍କର ହୃଦୟକୁ ଜିଣି ପାରୁଥିଲେ।
ଡାକ୍ତରବାବୁଙ୍କ ପଦିଏ କଥା କୁଆଡ଼େ ରୋଗ ଭଲକରିବା ପାଇଁ ଯଥେଷ୍ଟ ଥିଲା। ନିଜର ଅମାୟିକ, ମିଷ୍ଟଭାଷୀ ଓ ମେଳାପୀ ବ୍ୟବହାର ପାଇଁ ଡାକ୍ତରଖାନା ଛଡ଼ା ବାହାରେ ମଧ୍ୟ ଡାକ୍ତରବାବୁଙ୍କ ପ୍ରଶଂସା ବଢ଼ିଲା। ୧୯୭୩ ମସିହାରେ ସରକାରୀ ଚାକିରି ଛାଡି ଲୋକଙ୍କ ସହ ମିଶିଲେ କିନ୍ତୁ ଡାକ୍ତରୀ ପେସା ଛାଡିଲେ ନାହିଁ। ଗରିବ ଲୋକଙ୍କ ମାଗଣା ଚିକିତ୍ସା କରିବା ସହିତ ଲୋକଙ୍କ ଅଭାବ ଅସୁବିଧା ତାଙ୍କୁ ବିଚଳିତ କଲା। ତାଙ୍କର ପେସା ଡାକ୍ତରୀ ଚିକିତ୍ସା ଥିଲେ ବି ଜନସେବାର ନିଶା ଓ ସମାଜ ପରିବର୍ତ୍ତନର ଆହ୍ବାନ ତାଙ୍କୁ ଲୋକାଭିମୁଖୀ କରିଥିଲା। ରାଜନୀତି ଭଳି ଏକ ସଂଘର୍ଷପୂର୍ଣ୍ଣ ଓ ଆହ୍ବାନଭରା ଦିଗକୁ ସେ ହସି ହସି କୋଳେଇ ନେଇଥିଲେ କେବଳ ଏକ ବୃହତ୍ତର ସମାଜର ସ୍ୱାର୍ଥ ଓ ଜନସାଧାରଣଙ୍କ ସକ୍ରିୟ ସେବା ମନୋଭାବ ପାଇଁ।
ଶେଷରେ ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କଲେ ଏବଂ ନିଜର ସୁଦୃଢ ଲୋକସମ୍ପର୍କ ବଳରେ ତାଳଚେର ବିଜେପି ମଣ୍ଡଳ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ନିଜ କଥାରେ ସମସ୍ତଙ୍କ ମନ ଜିଣିପାରୁଥିବା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ମିଳିଥିଲା ଉଚ୍ଚତର ପଦ। ୧୯୮୩ ମସିହାରୁ ୧୯୮୫ ମସିହା ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲାର ବିଜେପି ଜିଲା ସଭାପତି ହୋଇଥିଲେ ଡାକ୍ତର ପ୍ରଧାନ।
ପ୍ରଥମ କରି ୧୯୮୪ ମସିହାରେ ସାଂସଦ ପ୍ରାର୍ଥୀ ଭାବେ ଦେବଗଡ଼ ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ। ପରାଜୟକୁ ଭ୍ରୂକ୍ଷେପ ନକରି ପୁଣିଥରେ ଲୋକସମ୍ପର୍କ ବଢାଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଉପସ୍ଥିତିକୁ ସେ ଜାହିର କରିଥିଲେ। ଜିତିବା ଓ ହାରିବାର ପାରମ୍ପରିକ ଅଙ୍କକଷା ନେଇ ସେ ରାଜନୀତିକୁ ଲମ୍ଫ ଦେଇନଥିଲେ। ସେ ସ୍ଥିତପ୍ରଜ୍ଞ ଭଳି ନିଜ ସାଧନାର ପଥରେ ଅଗ୍ରସର ହେଉଥିଲେ। ୧୯୮୫ ମସିହାରୁ ୧୯୮୮ ମସିହା ପର୍ଯ୍ୟନ୍ତ ପୁଣିଥରେ ଅବିଭକ୍ତ ଢେଙ୍କାନାଳ ଜିଲା ବିଜେପିର ଜିଲା ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଡାକ୍ତର ପ୍ରଧାନଙ୍କର ଜନାଦୃତି ବଢିଚାଲିଲା ଏବଂ ୧୯୮୮ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ସେ ଅପ୍ରତିଦ୍ୱନ୍ଦ୍ବୀ ଭାବେ ଓଡିଶା ରାଜ୍ୟ ବିଜେପିର ସଭାପତି ଭାବେ କାର୍ଯ୍ୟକଲେ। ଏହି କାଳଖଣ୍ଡରେ ଭାରତୀୟ ଜନତା ପାର୍ଟିକୁ ଏକ ନୂଆ ଦିଗକୁ ସେ ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଏବଂ ପୁଣି ୧୯୯୫ ମସିହାରେ ରାଜ୍ୟ ସଭାପତି ଭାବରେ ସଂଗଠନକୁ ମଜଭୁତ କରିଥିଲେ। ୧୯୯୧ ଏବଂ ୧୯୯୬ ମସିହାରେ ଲୋକସଭା ପ୍ରାର୍ଥୀ ଭାବେ ଦେବଗଡ଼ ଲୋକସଭା କ୍ଷେତ୍ରରୁ ସେ ନିର୍ବାଚନ ଲଢିଥିଲେ ଏବଂ ହାରିବା ସତ୍ତ୍ୱେ ନିଜର ସ୍ଥିତିକୁ ସେ ମଜଭୁତ କରିଥିଲେ।
ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ ଏବଂ ୧୯୯୮ ମସିହାରେ ବିପୁଳ ବିଜୟ ହାସଲ କରି ଦ୍ୱାଦଶ ଲୋକସଭାକୁ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଡାକ୍ତର ପ୍ରଧାନ। ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜ‌େ‌ପୟୀଙ୍କ ଅତି ବିଶ୍ୱସ୍ତ ଡାକ୍ତର ପ୍ରଧାନଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବରେ ସଡ଼କ ପରିବହନ ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା।
୧୯୯୯ ମସିହାରେ ରାଜନୈତିକ ଅସ୍ଥିରତା ଯୋଗୁଁ ପୁଣି ହୋଇଥିଲା ନିର୍ବାଚନ। ଏହି ନିର୍ବାଚନରେ ମଧ୍ୟ ଆଶାତୀତ ଫଳ ସ୍ୱରୂପ ଡାକ୍ତର ପ୍ରଧାନ ସାଂସଦ ଭାବରେ ବିଜୟୀ ହୋଇ ତ୍ରୟୋଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର କିନ୍ତୁ ଅଧିକ କ୍ଷମତା ସହ ବାଜ​‌େ​‌ପୟୀଙ୍କ ସରକାରରେ ସେ ସଡ଼କ ପରିବହନ ଏବଂ କୃଷି ଭଳି ଦୁଇଟି ବିଶେଷ ମନ୍ତ୍ରାଳୟର ଦାୟିତ୍ୱ ନେଇଥିଲେ। ୨୦୦୧ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ୨୦୦୪ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ଆଜୀବନ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବରେ ଡାକ୍ତର ପ୍ରଧାନ ଓଡ଼ିଶାରେ ବିଜେପିର ଅସ୍ତିତ୍ୱକୁ ବଜାୟ ରଖିଥିଲେ। ଓଡ଼ିଶାରେ ବିଜେପି ଅଭ୍ୟୁଦୟରେ ସେ ଥିଲେ ଭଗୀରଥ।
ସେ ଥିଲେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ପ୍ରତିଷ୍ଠିତ କରି ପାରିଥିଲା। କେନ୍ଦ୍ର ମନ୍ତ୍ରୀ ଭାବେ ରାଜ୍ୟର ବିକାଶରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା। ଚିକିତ୍ସକରୁ ଜଣେ ସଫଳ ରାଜନେତା ପାଲଟିଥିବା ଡାକ୍ତର ପ୍ରଧାନଙ୍କ ଦ୍ୱାରା ଓଡ଼ିଶାରେ ମଞ୍ଜି ରୋପଣ ହୋଇଥିବା ବିଜେପିର ଛୋଟ ଚାରାଟିଏ ଆଜି ରାଜ୍ୟରେ ମହାଦ୍ରୁମ ପାଲଟିଛି। କିନ୍ତୁ ଏହି ଚାରା ମହାଦ୍ରୁମ ପାଲଟିବା ପଛରେ ଡାକ୍ତର ପ୍ରଧାନଙ୍କର ରହିଥିଲା ଅକ୍ଲାନ୍ତ ପରିଶ୍ରମ, ଯାହା ଭାରତୀୟ ଜନତା ପାର୍ଟି ପାଇଁ ଅବିସ୍ମରଣୀୟ ହୋଇ ରହିବ। ତାଙ୍କ ଆଦର୍ଶ, ଆହ୍ୱାନ ଓ ଦିଗ୍‌ଦର୍ଶନ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ହୋଇଥିଲା ସୁଦୃଢ, ଯାହାର ସୁଫଳ ଆଜି ମିଳିଛି। ଡାକ୍ତର ପ୍ରଧାନଙ୍କର ନିଷ୍ଠା, ପରିଶ୍ରମ, ତ୍ୟାଗ ତାଙ୍କୁ ଚିର ଦିନ ପାଇଁ ଓଡ଼ିଶା ରାଜନୀତିରେ ଅମର କରି ରଖିବ। ଦଳରେ ସେ ଥିଲେ ଆମ ପରି ଯୁବ ନେତାଙ୍କ ପାଇଁ ମାର୍ଗଦର୍ଶକ। ଦେଖିବାକୁ ଗଲେ ସେ ଥିଲେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ। ତାଙ୍କ ପରଲୋକରେ ଭାରତୀୟ ଜନତା ପାର୍ଟିରେ ଯେଉଁ ଶୂନ୍ୟସ୍ଥାନ ହେଲା, ତାହା ଅପୂରଣୀୟ। ଆଜି ଡାକ୍ତର ପ୍ରଧାନ ଆମ ଗହଣରେ ନାହାନ୍ତି ସତ; କିନ୍ତୁ ଛାଡିଯାଇଛନ୍ତି ଓଡିଶା ପାଇଁ ଅସୁମାରି ସ୍ୱପ୍ନ, ଆକାଂକ୍ଷା, ଅଭିଳାଷ ଓ ଲୋକଙ୍କ ପାଇଁ କାମ କରିବାର ଅଙ୍ଗୀକାର।
ସୁଯୋଗ୍ୟ ପିତାଙ୍କର ସଫଳ ପୁତ୍ରଭାବେ ଆଜି ସମ୍ମାନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଜନ ବିଦିତ। ପିତାଙ୍କ ପ୍ରେରଣାରେ ସେ ମଧ୍ୟ ନିଜକୁ ଜନସେବାରେ ଉତ୍ସର୍ଗ କରିଦେଇଛନ୍ତି। ଡାକ୍ତର ପ୍ରଧାନଙ୍କର ସମସ୍ତ ଜନସ୍ୱାର୍ଥୀ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ଭାରତୀୟ ଜନତା ପାର୍ଟି ଅଙ୍ଗୀକାରବଦ୍ଧ। ଡାକ୍ତର ପ୍ରଧାନଙ୍କ ଅମର ଆତ୍ମା ସ୍ୱର୍ଗରେ ଥାଇ ମଧ୍ୟ ଭାରତୀୟ ଜନତା ପାର୍ଟି ପାଇଁ ଏବଂ ଓଡ଼ିଶାର ବିକାଶ ପାଇଁ ପଥ ପ୍ରଦର୍ଶିତ କରିବ। ସେ ଜଣର ନେତା ନଥାଇ ଗଣର ନେତା ଥିଲେ। କଷ୍ଟକର ପରିସ୍ଥିତିରେ ବି ସେ ସଂଘର୍ଷକୁ ଦୃଢ଼ ଭାବେ ସାମ୍ନା କରି ଆଗକୁ ବଢ଼ୁଥିଲେ, ଯାହା ଆଜି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ।

Comments are closed.