ଏପ୍ରିଲ ୨୪ରୁ ୨୭ ପର୍ଯ୍ୟନ୍ତ ସମ୍ବଲପୁର କବାଡି ପ୍ରିମିୟର ଲିଗ ସିଜନ – ୨

ସମ୍ବଲପୁର: ଆସନ୍ତା ଏପ୍ରିଲ ୨୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର କବାଡି କ୍ଲବ ତରଫରୁ ପଶ୍ଚିମ ଓଡ଼ିଶା ସ୍ତରୀୟ ସମ୍ବଲପୁର କବାଡି ପ୍ରିମିୟର ଲିଗ (ଏସକେପିଏଲ) ସିଜନ – ୨ ପ୍ରତିଯୋଗିତାର ଆୟୋଜନ କରାଯିବ। ଏହି ମର୍ମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବର ସଭାପତି ସିଦ୍ଧାର୍ଥ ସାହା ସୁଚନା ଦେଇଛନ୍ତି। ଶ୍ରୀ ସାହା ସୁଚନା ଦେଇ କହିଛନ୍ତି ଯେ, ଆଗାମୀ ୨୮ ମାର୍ଚ୍ଚ ସକାଳ ୭ଟାରୁ ସ୍ଥାନୀୟ ମନ୍ଦଲିଆ ଖେଳ ପଡ଼ିଆ ଠାରେ ଖେଳାଳି ମାନଙ୍କର ଚୟନ କରାଯିବ। ଏହା ପରେ ଖେଳାଳି ମାନଙ୍କ ନିଲାମ ୩୦ ମାର୍ଚ୍ଚ ରବିବାର ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସଭା ଗୃହରେ ଆୟୋଜିତ ହେବ।

ଏହି ପ୍ରତିଯୋଗିତାରେ ଗାନ୍ଧୀ ବୁଲ୍ସ, ମହାକାଳ ରାଇଡର, ବୀର ତ୍ରିରଙ୍ଗା ବଏଜ, ପଶ୍ଚିମାଞ୍ଚଳ ପେନ୍ଥର, ସମଲେଶ୍ୱରୀ ଷ୍ଟ୍ରାଇକର, ଅଞ୍ଜନୀ ପୁତ୍ର ହଣ୍ଟର, ଅଯୋଧ୍ୟା ସରୋବର, ମାଁ ମନଷା ଆର୍ମି, ବୁଢ଼ିମା ଟାଇଗର, ଆମ୍ବେଦକର ଲାୟନ୍ସ, ଘଣ୍ଟେଶ୍ୱରୀ ୱାରିୟରସ ଏବଂ ମାଁ ଘିକୁଣ୍ଡି ଯୋଦ୍ଧା ଙ୍କ ସମେତ ସମୁଦାୟ ୧୨ଟି ଦଳ ଅଂଶଗ୍ରହଣ କରିବେ। ସମସ୍ତ ଚୟନିତ ଖେଳାଳି ମାନଙ୍କୁ ନେଇ ଆଗାମୀ ୨୪ ଏପ୍ରିଲ ସକାଳ ୭ଟା ସମୟରେ ସମଲେଶ୍ୱରୀ ମନ୍ଦିରରୁ ପୁଜାର୍ଚ୍ଚନା ପରେ ଟାଉନ ହଲ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରାଯିବ। ଜିଲା ବାହାର ତଥା ସମ୍ବଲପୁରର ଖେଳାଳି ମାନେ ଏଥିରେ ସାମିଲ ରହିବେ। ଏହି ପ୍ରତିଯୋଗିତାରେ ସମୁଦାୟ ୨ ଶହରୁ ଊର୍ଦ୍ଧ୍ବ ଖେଳାଳି ସାମିଲ ହେବ। ଜିଲା ବାହାରୁ ଆସୁଥିବା ସମସ୍ତ ଖେଳାଳି ମାନଙ୍କର ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା କ୍ଲବ ତରଫରୁ କରାଯାଉଛି। ଏପ୍ରିଲ ୨୪ ତାରିଖ ଅପରାହ୍ନ ୪ଟାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ୨୭ ତାରିଖ ରାତ୍ରି ୮ଟାରେ ଏହାର ଫାଇନାଲ ମ୍ୟାଚ ଓ ରାତ୍ର ୯ଟାରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେବ। କବାଡି ପ୍ରତିଯୋଗିତା ସମୁଦାୟ ୪୦ ମିନିଟର ହେବାକୁ ଥିବା ବେଳେ ପ୍ରଥମାର୍ଦ୍ଧ ୨୦ ମିନିଟ ଏବଂ ଦ୍ୱିତୟାର୍ଦ୍ଧ ୨୦ ମିନିଟର ସମୟ ରଖଯାଇଛି। ପ୍ରତିଯୋଗିତାରେ ମୁଖ୍ୟ ବିଜେତା, ଉପ ବିଜେତା, ତୃତୀୟ ସ୍ଥାନ, ଚତୁର୍ଥ ସ୍ଥାନ, ନଗଦ ପୁରସ୍କାର ଏବଂ ଟ୍ରଫି ସହିତ ଶ୍ରେଷ୍ଠ ରାଇଡର, ଶ୍ରେଷ୍ଠ କ୍ୟାଚର, ଶ୍ରେଷ୍ଠ ଖେଳାଳି, ମ୍ୟାଚର ଏମଭିପି ଖେଳାଳି ପୁରସ୍କାର ପ୍ରଦାନ କରାଯିବ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବର ସମ୍ପାଦକ ରାମଦାସ ପଣ୍ଡା, ଜିଲା କ୍ରିଡା ସଂଘର କବାଡି ସମ୍ପାଦକ ରାଜେଶ ସେଠ, ଆଇନ ପରାମର୍ଶଦାତା ମଧୁସୁଚନ ମିତ୍ର, ଜଗନ୍ନାଥ ଜେନା, ଏସକେପିଏଲର ସଭାପତି ରବି ମୁଖୀ, କାର୍ଯ୍ୟକାରୀ ସଭାପତି ବିମଲ ବେରିହା ଓ ଏସକେପିଏଲର ସଚିବ ଭଜନ ତରିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ।

Comments are closed.