ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ଫାଶରେ ଫସିଗଲେ ଚୋର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପକାରୀ ଓ ବାଲନ୍ଦାପଡା ଅଞ୍ଚଳରେ ଚୋରି, ରାହାଜାନି, ଡ଼କାୟତି, ହତ୍ୟା, ଭଳି ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଥିବା ବେଳେ ଏହି ସବୁ ଅପରାଧରେ ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳର କିଛି ଅପରାଧୀ ସାମିଲ ଥିବା ଜଣାପଡିଛି। ଗୋଛାପଡା ଥାନା ଗଞ୍ଜାମାଇଁ ଗାଁରେ ନିଜକୁ ପୋଲିସର ପରିଚୟ ଦେଇ ଚୋରି ପାଇଁ ପ୍ରସ୍ତୁତି ଚଳାଇ ଥିବା ବେଳେ ଦୁଇଜଣ ବ୍ୟକ୍ତିଙ୍କୁ ଗ୍ରାମବାସୀ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ରବିବାର ରାତି ପ୍ରାୟ ବାରଟା ସମୟରେ ଚାରିଜଣ ବ୍ୟକ୍ତି ଏହି ଗଞ୍ଜାମାଇଁ ଗାଁ ନିକଟରେ ଚୋରି ପାଇଁ ପ୍ରସ୍ତୁତି ଚଳାଉ ଥିବା ବେଳେ ଗାଁର କାଳିଆ କହଁର ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ପଚାରିବାରୁ ସେମାନେ ପୋଲିସ ବୋଲି କାଳିଆଙ୍କୁ ପରିଚୟ ଦେଇଥିଲେ। ପରେ ସନ୍ଦେହ ହେବାରୁ କାଳିଆ କହଁର ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଆସିବା ଦେଖି ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଫେରାର ହୋଇଯାଇଥିବା ବେଳେ ଦୁଇଜଣ ବ୍ୟକ୍ତିଙ୍କୁ ଅଟକ ରଖି ଗୋଛାପଡା ପୋଲିସର ଜିମା ଦେଇଛନ୍ତି।
Comments are closed.