କାବେରୀ ଜଳ ବିବାଦ : ଦୁଇ ଡିଏମକେ କର୍ମୀଙ୍କ ଆତ୍ମାହୁତି ଉଦ୍ୟମ

0

କୋଏମ୍ବାଟୁର : କାବେରୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ କାଳକ୍ଷେପଣ ନୀତି ପ୍ରତିବାଦରେ ତାମିଲନାଡୁର କୋଏମ୍ବାଟୁରରେ ସୋମବାର ଡିଏମକେ ଦଳର ଦୁଇଜଣ କର୍ମୀ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି। ଏହି ଦୁଇଜଣ କର୍ମୀମାନେ ହେଲେ ପି.ଟି.ମୁରୁଗେସନ ଓ ଏସ.ସଦାଶିବମ। ସୋମବାର ଏ ଦୁଇ କର୍ମୀ କୋଏମ୍ବାଟୁର ସହରର ପିଲାମେଦୁ ଅଞ୍ଚଳରେ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟତ ହେଉଥିବାବେଳେ ସେଠାରେ ଉପସ୍ଥିତ ପୁଲିସ କର୍ମୀ ସେମାନଙ୍କୁ କାବୁ କରିନେଇଥିଲେ। ପରବର୍ତ୍ତୀ ସମୟରେ ପୁଲିସ ସେମାନଙ୍କୁ ନିକଟସ୍ଥ ଥାନାକୁ ନେଇଯାଇଥିଲା।
କାବେରୀ ପରିଚାଳନା ବୋର୍ଡ ଗଠନ ନିମନ୍ତେ ସୁପ୍ରିମକୋର୍ଟ ତାଙ୍କର ଫେବୃଆରୀ ୧୬ ରାୟରେ କେନ୍ଦ୍ର ସରକାରଙ୍କୁ ଛଅ ସପ୍ତାହ ସମୟ ଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କେନ୍ଦ୍ର ସରକାର ବୋର୍ଡ ଗଠନ କରିବାରେ ବିଫଳ ହୋଇଥିବାରୁ ସମଗ୍ର ତାମିଲନାଡୁରେ ଡିଏମକେ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଜିଲାରେ ଚାଷୀ ଓ ବ୍ୟବସାୟୀ ସଂଘ ପକ୍ଷରୁ ସଂପୃକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବୋର୍ଡ ଗଠନ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଡିଏମ୍‌କେର କାର୍ଯ୍ୟକାରୀ ସଭାପତି ଷ୍ଟାଲିନ କହିଛନ୍ତି।
କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ତାମିଲନାଡୁ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାମିଲନାଡୁ ସରକାର ଗୋଟିଏପଟେ କେନ୍ଦ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିବାବେଳେ କେନ୍ଦ୍ର ସରକାର ବୋର୍ଡ ଗଠନ ପାଇଁ ସୁପ୍ରିମକୋର୍ଟଙ୍କୁ ତିନି ମାସ ସମୟ ମାଗିଛନ୍ତି। ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ବର୍ତ୍ତମାନ ବୋର୍ଡ ଗଠନ ସମ୍ଭବ ହୋଇପାରୁନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଛନ୍ତି। ଆଗାମୀ ୫ରେ ଡିଏମକେ ପକ୍ଷରୁ ତାମିଲନାଡୁ ବନ୍ଦ ଡକରା ଦିଆଯାଇଛି।

Leave A Reply