କନ୍ଧମାଳରେ ଜିଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଫୁଲବାଣୀ: ସ୍ଥାନୀୟ ସଭାଗୃହ ଠାରେ ଜିଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କନ୍ଧମାଳ ଜିଲା ପ୍ରଶାସନ ଓ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଯୋଗଦେଇ ଏହି ଦିବସ ଅବସରରେ ଉଦ୍ବୋଧନ ଦେଇଥିବା ବେଳେ ଜିଲା ସମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.ସନ୍ତୋଷ କୁମାର ପଣ୍ଡା , ଉପଜିଲାପାଳ ଚିତ୍ତ ରଂଜନ ମହନ୍ତ , ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ , ଫୁଲବାଣୀ ଓ ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ସମାଜିକ ସୁରକ୍ଷା ଅଧିକାରୀ ଇତିଶ୍ରୀ ମହାପାତ୍ର ଏବଂ ମମିତା କୁମାରୀ ପ୍ରଧାନ ଓ ନିପିଡ଼ିତ ଅନୁଷ୍ଠାନର ପ୍ରମୋଦ ନାୟକ ଏବଂ ବନବାସୀ ସେବା ସମିତିର ସହ ସଂପାଦକ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।

ଏହି ଦିବସ ଅବସରରେ ୫ଜଣଙ୍କୁ ଦମ୍ପତିଙ୍କୁ ବିବାହ ପ୍ରତ୍ସୋହନ ରାଶି , ବାଣିଶ୍ରୀ ବୃତ୍ତି , ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପ୍ରଦାନ ସହିତ ବିଭିନ୍ନ ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ କୃତି ମାନଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ। ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ମୁଖ୍ୟ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠିସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡ଼ସେଠ୍ , ଫୁଲବାଣୀ ସାମାଜିକ ସୁରକ୍ଷା ଅଧିକାରୀ ଉଷାରାଣୀ ପ୍ରଧାନ ଓ ଖଜୁରିପଡ଼ାର ମନୋଜ କୁମାର ସାହୁ ଏବଂ ବାଲିଗୁଡ଼ାର ଦିନେସ୍ କୁମାର କହଁର ଓ ଜିଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମ ପରେ ପରେ ବନବାସୀ ସେବା ସମିତି ଓ ନିପିଡ଼ୀତ ପକ୍ଷରୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରିଥିଲେ। ସଭାକାର୍ଯ୍ୟ ପୂର୍ବରୁ ଏକ ସଚେତନତା ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା।

Comments are closed.