ଭୁବନେଶ୍ବର: ଆୟୁଷ ନିର୍ଦେଶାଳୟକୁ ଶନିଦଶା। ମୁହଁ ଖୋଲୁନି ସ୍ବାସ୍ଥ୍ୟ ବିଭାଗ। ପୂର୍ବରୁ ବିଭିନ୍ନ ଦାବି ପୂରଣ ନେଇ ଛାତ୍ରଛାତ୍ରୀ ଧାରଣା ଦେଇଥିବା ବେଳେ ସେହି ରାସ୍ତାର ପଥିକ ହୋଇଛନ୍ତି ଆୟୁଷ ଡାକ୍ତର। ଅର୍ଥାତ ଆସନ୍ତାକାଲିଠୁ ଆୟୁଷ ଡାକ୍ତର ସେବା ବନ୍ଦ କରିବେ। ଏତେସବୁ ହେଲା ପରେ ବି ଏଦିଗରେ ସରକାର ନିରବତା ଅବଲମ୍ବନ କରୁଛନ୍ତି। ଯଦିଓ ବିଭିନ୍ନ ସଭା ସମିତିରେ ନେତା ମନ୍ତ୍ରୀ ଆୟୁଷର ବିକାଶ କଥା କହୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ। ଯଦି ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ ନହେବ ତେବେ ଆଗକୁ ଉଭୟ ସେବା ଓ ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ନଭେମ୍ବର ୨୪ରୁ ରାଜ୍ୟର ୭ ଆୟୁଷ ଭେଷଜ ମହାବିଦ୍ୟାଳୟରେ ତାଲା ଝୁଲୁଛି। ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଛି। ପୂର୍ବରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଥିବା ବେଳେ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ଆୟୁଷ ଛାତ୍ରଛାତ୍ରୀ ଗତ ରବିବାରରୁ ବିଭିନ୍ନ ମହାବିଦ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣା ଦେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଆୟୁଷ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦାବି ପୂରଣ କରିନାହାନ୍ତି କି ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସୂଚନା ପ୍ରଦାନ କରିନାହାନ୍ତି। ଏନେଇ ଆୟୁଷ ବିକାଶ ପରିଷଦ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛି।
ଛାତ୍ରଛାତ୍ରୀଙ୍କ ଦାବିରେ ରହିଛି, ନୂତନ ଆୟୁଷ ମେଡ଼ିକାଲ ଅଧିକାରୀ ପଦ ସୃଷ୍ଟି, ଆୟୁଷ ପିଜି ଓ ପିଏଚ୍ଡ଼ି ପାଠ୍ୟକ୍ରମ ଆସନ ଓ ହାଉସ ସର୍ଜନଙ୍କ ଡାଇନାମିକ ଭତ୍ତା ବୃଦ୍ଧି। ସେହିପରି ଚାକିରି ନିୟମିତ ସାଙ୍ଗକୁ ଦରମା ବୃଦ୍ଧି ଦାବି ପୂରଣ ନେଇ ଆସନ୍ତାକାଲିଠୁ ଆୟୁଷ ଡାକ୍ତର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ପାଖାପାଖି ୩ ହଜାର ଡାକ୍ତର ସାମିଲ ହେଉଛନ୍ତି। ଗତକାଲି ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା। ଆଲୋଚନା ସଫଳ ନହେବାରୁ ଡାକ୍ତରମାନେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି।



