www.samajalive.in
Monday, December 15, 2025
27.1 C
Bhubaneswar

ରମା ସୁନ୍ଦରୀରୁ ମା’ ରମାଦେବୀ

ଉତ୍କଳ ଗୌରବ ମଧୁସୂଦନ ଦାସ, ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ଥିଲା ରମାଦେବୀଙ୍କର ଆତ୍ମିକ ସମ୍ପର୍କ। ଏହି ତିନି ମହାପୁରୁଷ ତାଙ୍କ ଜୀବନର ମୋଡ଼ ବଦଳାଇଥିଲେ ଏବଂ ଏମାନଙ୍କ ପ୍ରଦର୍ଶିତ ପଥରେ ଚାଲି ସେ ରମା ସୁନ୍ଦରୀରୁ ପାଲଟି ଯାଇଥିଲେ ମା’ରମାଦେବୀ।
ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମ ୧୮୪୮ ଏପ୍ରିଲ ୨୮ରେ। ସମ୍ପର୍କରେ ସେ ରମାଦେବୀଙ୍କ ବଡ଼ବାପା। ପିଲାଟି ଦିନରୁ ରମାଙ୍କ ଉପରେ ତାଙ୍କ ବାପା ଗୋପାଳବଲ୍ଲଭ ଓ ମା’ବସନ୍ତ ଦେବୀଙ୍କର ଯେତିକି ପ୍ରଭାବ ପଡ଼ିଥିଲା ତାହାଠାରୁ ଅଧିକ ପ୍ରଭାବ ଆସିଥିଲା ମଧୁବାବୁଙ୍କଠାରୁ। ଏକଦା ମଧୁବାବୁଙ୍କ ଜୁନିଅର ଓକିଲ ଥିବା ଖେରସର ଜମିଦାର ଗୋକୁଳାନନ୍ଦ ଚୌଧୁରୀ ଉତ୍କଳ ସମ୍ମିଳନୀ କାର୍ଯ୍ୟରେ ମଧୁବାବୁଙ୍କ ସହକର୍ମୀ ଥିଲେ। ମଧୁବାବୁଙ୍କ ଆଗ୍ରହକ୍ରମେ ଗୋକୁଳାନନ୍ଦଙ୍କ ଜ୍ୟେଷ୍ଠ ପୁତ୍ର ସେତେବେଳର ଡେପୁଟି ମାଜିଷ୍ଟ୍ରେଟ୍‌‌ ଗୋପବନ୍ଧୁ ଚୌଧୁରୀଙ୍କ ସହିତ ରମାଦେବୀଙ୍କ ବିବାହ କରାଯାଇଥିଲା। ନିଜେ ମଧୁବାବୁ ଏହି ବିବାହ ଉତ୍ସବର ଭବ୍ୟ ଆୟୋଜନ କରିଥିଲେ।
ମହାତ୍ମା ଗାନ୍ଧୀଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ। ମଧୁବାବୁଙ୍କଠାରୁ ବୟସରେ ସେ ପ୍ରାୟ ୨୧ ବର୍ଷ ସାନ। ମଧୁବାବୁଙ୍କ ବ୍ୟକ୍ତିତ୍ୱରେ ଗାନ୍ଧିଜୀ ଆକର୍ଷିତ ହୋଇଥିଲେ ଏବଂ ତାଙ୍କ ପାଇଁ ସେ ଦ୍ୱିତୀୟ ଟଲଷ୍ଟୟ ଥିଲେ ବୋଲି ବାରମ୍ବାର ଉଲ୍ଲେଖ କରିଛନ୍ତି। ଅସ୍ପୃଶ୍ୟତା ନିବାରଣ, ନାରୀ ସଶକ୍ତୀକରଣ, ଶିକ୍ଷା, କୁଟୀର ଶିଳ୍ପ, କୃଷି ଆଦି ବିଭିନ୍ନ ପ୍ରସଙ୍ଗରେ ମଧୁବାବୁ ତାଙ୍କ ଆଖି ଖୋଲି ଦେଇଥିଲେ ବୋଲି ମଧ୍ୟ ଗାନ୍ଧିଜୀ ବିଭିନ୍ନ ପତ୍ରପତ୍ରିକା ଓ ସଭା ସମିତିରେ ଉଲ୍ଲେଖ କରିଛନ୍ତି। ଏମିତି କି ମଧୁବାବୁଙ୍କ ଆମନ୍ତ୍ରଣକ୍ରମେ ସେ ୧୯୨୫ରେ କଟକ ଆସି ତାଙ୍କ ଅତିଥି ହୋଇଥିଲେ। ୧୯୨୭ରେ ଖଦୀ ଗସ୍ତ ସମୟରେ ବି ଗାନ୍ଧିଜୀ ମଧୁବାବୁଙ୍କୁ ଭେଟିଛନ୍ତି। ତାଙ୍କ ମହାପ୍ରୟାଣ ପରେ ୧୯୩୪ରେ ଓଡ଼ିଶାରେ ଅନୁଷ୍ଠିତ ହରିଜନ ପଦଯାତ୍ରା ସମୟରେ ଗାନ୍ଧିଜୀ ମଧୁବାବୁଙ୍କ ସତ୍ୟଭାମାପୁରସ୍ଥିତ ପୈତୃକ ବାସଭବନରେ ମଧ୍ୟ ଅବସ୍ଥାନ କରିଛନ୍ତି।
ମା’ ରମାଦେବୀ ଲେଖିଛନ୍ତି ଯେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ତାଙ୍କ ପ୍ରତି ସେ ଆକର୍ଷିତ ହୋଇଥିଲେ। ସେତେବେଳକୁ ମଧୁବାବୁ ଉତ୍କଳ ସମ୍ମିଳନୀ ମଞ୍ଚରୁ ଚରଖାରେ ସୂତା କାଟିବା ପାଇଁ ଆହ୍ୱାନ ଦେଉଥିଲେ। ଏ ପରିପ୍ରେକ୍ଷୀରେ ରମାଦେବୀ ପଥରଗୁଣ୍ଡି ଚରଖାରେ ୧୯୧୮ ମସିହାରୁ ସୂତା କାଟିବା ଆରମ୍ଭ କରିଥିଲେ। ୧୯୨୧ରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ବେଳେ ରମାଦେବୀ ତାଙ୍କୁ ନିଜ ହାତକଟା ଖଦୀ ସୂତା ଭେଟି ଦେଇଥିଲେ। ୧୯୩୪ରେ ହରିଜନ ପଦଯାତ୍ରା ବେଳେ ପୁରୀରେ ଗାନ୍ଧିଜୀ ରମାଦେବୀଙ୍କୁ ଆନ୍ଦୋଳନ ଭିତରକୁ କିଭଳି ଆସିଲେ ବୋଲି ପଚାରିଥିଲେ। ଏହାର ଉତ୍ତରରେ ରମାଦେବୀ ଗାନ୍ଧୀଜୀଙ୍କୁ କହିଥିଲେ ଯେ ତାଙ୍କ ବଡ଼ବାପା ମଧୁସୂଦନ ଦାସଙ୍କଠାରୁୁ ପିଲାଦିନୁ ସେ ଯାହାସବୁ ଶୁଣୁଥିଲେ ତାହା ତାଙ୍କ ମନରେ ଦେଶ ସେବା ପାଇଁ ଆଗ୍ରହ ସୃଷ୍ଟି କରିଥିଲା। ଲୁଗା ମଣିଷର ଲଜ୍ଜା ନିବାରଣ କରିଥାଏ ; କିନ୍ତୁ ଲୋକେ ବିଦେଶୀ ବସ୍ତ୍ର ପିନ୍ଧିବା ଅର୍ଥ ଆମ ଇଜ୍ଜତ ବିଦେଶୀଙ୍କ ହାତରେ ରହିଛି ବୋଲି ମଧୁବାବୁଙ୍କ ଉକ୍ତି ତାଙ୍କୁ ପ୍ରେରଣା ଦେଇଥିଲା। ଏହି ପଦଯାତ୍ରା ଶେଷରେ ଗାନ୍ଧୀଜୀ କହିଥିଲେ, “ପଦଯାତ୍ରା ଭିତରେ ଶ୍ରୀମତୀ ରମାଦେବୀ ଓ ତାଙ୍କ ସହକର୍ମୀମାନେ ଯେଭଳି କାମ କରିଛନ୍ତି, ସେଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଛି। ’’
୧୯୩୨ରେ ହରିଜନ ପତ୍ରିକାରେ ଗାନ୍ଧିଜୀ ଲେଖିଛନ୍ତି, “ସମାଜ ସଂସ୍କାର କାର୍ଯ୍ୟରେ କଟକର ଭଉଣୀମାନଙ୍କ ଆଗ୍ରହ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି…. କଟକରେ ନାରୀମାନଙ୍କ ଉଦାହରଣ ଅନ୍ୟତ୍ର ଅନୁସୃତ ହେବ ବୋଲି ଆଶା କରେ। ଅସୁବିଧା ଓ ନିରାଶା ଯାହା ଆସୁ ପଛକେ ଶ୍ରୀମତୀ ରମାଦେବୀ ଓ ତାଙ୍କର ସହକର୍ମିଣୀମାନେ ଯେଉଁ କାମ ଆରମ୍ଭ କରିଛନ୍ତି ତାହା ଚାଲୁ ରଖିବେ।”
୧୯୩୮ରେ ବି ପୁରୀ ଜିଲାରେ ବେରବୋଇଠାରେ ଅନୁଷ୍ଠିତ ଗାନ୍ଧୀ ସେବାସଂଘ ସମ୍ମିଳନୀର ରମାଦେବୀ ଥିଲେ ଅନ୍ୟତମ ସଂଯୋଜିକା। ଏହି ସମ୍ମିଳନୀରେ ଗାନ୍ଧିଜୀ, ସର୍ଦ୍ଦାର ପଟେଲ, ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦଙ୍କ ସମେତ ଦେଶର ଅଗ୍ରଗଣ୍ୟ ନେତାମାନେ ଗହିର ବିଲରେ ନିର୍ମିତ ପତ୍ରକୁଡ଼ିଆରେ ୭ଦିନ ବିତାଇଥିଲେ। ଗାନ୍ଧିଜୀ ରମାଦେବୀଙ୍କୁ ହରିଜନ ସେବକ ସଂଘର ପ୍ରାଦେଶିକ ସମ୍ପାଦକ, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ନିଧିର ପ୍ରତିନିଧି, ମହିଳା ସେବା ମଣ୍ଡଳ ଏବଂ ଅଖିଳ ଭାରତ ଚରଖା ସଂଘର ଟ୍ରଷ୍ଟୀ, ହିନ୍ଦୁସ୍ଥାନୀ ତାଲିମ ସଂଘର ସଦସ୍ୟ, ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ, ସର୍ବଭାରତୀୟ ମହିଳା ସମ୍ମିଳନୀର ସଦସ୍ୟ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଆଦି ବିଭିନ୍ନ ସଂଗଠନର ଗୁରୁଦାୟିତ୍ୱ ଦେଇଥିଲେ ଏବଂ ସେସବୁକୁ ସେ ନିଷ୍ଠାର ସହ ବି ତୁଲାଇଥିଲେ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ୧୮୭୭ ଅକ୍ଟୋବର ୯ ତାରିଖରେ ହୋଇଥିବାବେଳେ ମା’ରମାଦେବୀଙ୍କ ଜନ୍ମ ୧୮୯୯ ଡିସେମ୍ବର ୩ ତାରିଖରେ। ରମାଦେବୀ ଉତ୍କଳମଣିଙ୍କଠାରୁ ବୟସରେ ପ୍ରାୟ ୨୨ ବର୍ଷ ସାନ। ତାଙ୍କ ଶ୍ୱଶୁର ଗୋକୁଳାନନ୍ଦ ଚୌଧୁରୀଙ୍କ ଜୁନିଅର ଭାବେ ଗୋପବନ୍ଧୁ ଦାସ କଟକରେ ଓକିଲାତି ଆରମ୍ଭ କରିଥିଲେ। ଉତ୍କଳ ସମ୍ମିଳନୀରେ ବି ଉଭୟଙ୍କର ସମ୍ପର୍କ ଥିଲା। ଏହି କ୍ରମରେ ସେ ଚୌଧୁରୀ ପରିବାରର ନିକଟ ବଳୟରେ ଥିଲେ। କଟକର ଯେଉଁ ଘରେ ଉତ୍କଳମଣି ସ୍ୱରାଜ ଆଶ୍ରମ ଆରମ୍ଭ କରିଥିଲେ ସେହି ଘରକୁ ପୂର୍ବରୁ ଗୋକୁଳାନନ୍ଦ ଚୌଧୁରୀ ଭଡ଼ାରେ ନେଇ ରହୁଥିଲେ ଏବଂ ସେହି ଘରେ ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ହୋଇଥିଲା। ଗୋକୁଳାନନ୍ଦ ବାଖରାବାଦରେ ଜମି କିଣି ଘର ତିଆରି କରିବା ପରେ ନୂଆ ଜାଗାକୁ ଆସିଥିଲେ। ୧୯୧୮ରୁ ୧୯୨୮ ପର୍ଯ୍ୟନ୍ତ ଚୌଧୁରୀ ନିବାସ ସହିତ ଉତ୍କଳମଣି ଏବଂ ତାଙ୍କ ସତ୍ୟବାଦୀ ଗୋଷ୍ଠୀ ଓ ଅନ୍ୟ ସଂଗ୍ରାମୀମାନଙ୍କର ସମ୍ପର୍କ ଥିଲା। ଉତ୍କଳମଣିଙ୍କ ସମର୍ପିତ ସେବା ଭାବ ଏବଂ ସ୍ୱରାଜ ସାଧନା ରମାଦେବୀଙ୍କୁ ବେଶ୍‌‌ ଆକୃଷ୍ଟ କରିଥିଲା। ଏହି ପରିପ୍ରେକ୍ଷୀରେ କଟକ, ବୋଲଗଡ଼, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳମଣି ଆୟୋଜନ କରିଥିବା ମହିଳା ସଭାରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହା ଛଡ଼ା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ମଧ୍ୟ ଗୋପବନ୍ଧୁ ଦାସଙ୍କ ଦଳରେ ରମାଦେବୀଙ୍କ ସମେତ ଚୌଧୁରୀ ପରିବାରର ଅନେକ ସାମିଲ ହୋଇଥିଲେ।
ଗୋପବନ୍ଧୁ ଚୌଧୁରୀ ଡେପୁଟି ମାଜିଷ୍ଟ୍ରେଟ୍‌‌ ଚାକିରିରୁ ଇସ୍ତଫା ଦେବା ପରେ ସତ୍ୟବାଦୀ ଯାଇ ଭେଟିଥିଲେ ଗୋପବନ୍ଧୁ ଦାସଙ୍କୁ। ଦୁଇ ଗୋପବନ୍ଧୁ ଏକ ମନ, ଏକ ପ୍ରାଣ ହୋଇ ଦେଶ ଓ ଜାତିର ସେବାରେ ନିଜକୁ ନିୟୋଜିତ କରିଥିଲେ। ପଣ୍ଡିତ ଗୋପବନ୍ଧୁଙ୍କ ସ୍ୱର୍ଗବାସ ୧୯୨୮ରେ ହେଲା ଏବଂ ଏହା ପରେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଗୋପବନ୍ଧୁ ଦାସଙ୍କ କାର୍ଯ୍ୟ କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ଅହରହ ଉଦ୍ୟମ କରିଥିଲେ। ପଣ୍ଡିତ ଗୋପବନ୍ଧୁଙ୍କ ଭଳି ମା’ରମାଦେବୀ ବାରମ୍ବାର କାରାବରଣ କରିଛନ୍ତି। କେବଳ ସେ ଏକା ନୁହନ୍ତି, ତାଙ୍କ ସ୍ୱାମୀ, ଦିଅର, ଯାଆ, ପୁଅ, ଝିଅ, ଝିଆରୀ ଓ ଅନ୍ୟ ବହୁ ସମ୍ପର୍କୀୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରି ସେବା ଓ ସାମାଜିକ ବିପ୍ଳବ କ୍ଷେତ୍ରରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିଯାଇଛନ୍ତି। ଗାନ୍ଧୀ-ଗୋପବନ୍ଧୁଙ୍କ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ତାଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ ପୁଅ ମନମୋହନ ଓ ଝିଅ ଅନ୍ନପୂର୍ଣ୍ଣାଙ୍କୁ ସେ ବ୍ରିଟିଶ ସରକାରର ପାଠ୍ୟକ୍ରମ ପଢ଼଼ିବାକୁ ସ୍କୁଲ ଛାଡ଼ିନଥିଲେ।
୧୯୬୨ ଫେବୃଆରୀ ୪ ତାରିଖ ରବିବାର ଦିନ ମା’ରମାଦେବୀ ତାଙ୍କ ଡାଏରିରେ ବଡ଼ବାପା ଉତ୍କଳ ଗୌରବଙ୍କ ପୁଣ୍ୟ ତିଥିର ସ୍ମରଣ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ୨୮ବର୍ଷ ପୂର୍ବେ ସେହି ଦିନରେ ଉତ୍କଳ ଗୌରବଙ୍କ କଫିନ୍‌‌ରେ କିଭଳି ସେ ପ୍ରଥମ ମାଟି ଦେବାର ଅଧିକାରିଣୀ ହୋଇଥିଲେ। ତାଙ୍କ ଭାଷାରେ, ‘ସେତେବେଳେ ମୁଁ ଭାବୁଥାଏ ଯେ ମାଟି ମୁଠାକରେ କ’ଣ ଅଛି? ଯେ ତାଙ୍କ ଗୁଣ ଓ କାର୍ଯ୍ୟର ଉତ୍ତରାଧିକାରୀ ହୋଇପାରିବ ସେହି ଏକା ପ୍ରକୃତ ଦାୟଦ।’ ମଧୁବାବୁ, ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତା ମା’ରମାଦେବୀ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏଭଳି କାମ କରୁଥିଲେ ଯେ ପାଠପଢ଼଼ା ଛାଡ଼ି ଆନ୍ଦୋଳନରେ ଝାସ ଦେଇଥିବା ବାନର ସେନାମାନେ ତାଙ୍କୁ ଶ୍ରଦ୍ଧାରେ ମା’ବୋଲି ଡାକୁଥିଲେ। ପରବର୍ତ୍ତୀ କାଳରେ ଓଡ଼ିଶା ଭିତରେ ଓ ବାହାରେ ସେ ରଚନାତ୍ମକ କର୍ମୀ ମହଲରେ ମା’ନାମରେ ପରିଚିତା ହେଲେ।
ଯେଉଁ ସମୟରେ ଝିଅମାନେ ଓଢ଼ଣା ଟାଣି ଘରେ ରହୁଥିଲେ ସେତେବେଳେ ମା’ରମାଦେବୀଙ୍କ ଚୁମ୍ବକୀୟ ଆକର୍ଷଣ ସେମାନଙ୍କୁ ଆନ୍ଦୋଳନର ମଇଦାନକୁ ଟାଣିଆଣି ଜେଲ୍‌‌ ଯିବାକୁ ଅନୁପ୍ରାଣିତ କରୁଥିଲା। କ୍ଷମତା ରାଜନୀତିରୁ ଦୂରରେ ରହି ସେବା ଓ ତ୍ୟାଗର ସେ ଯେଉଁ କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିଛନ୍ତି ତାହା କାଳକାଳ ପାଇଁ ବତିଘର ହୋଇ ରହିଥିବ।
ପ୍ରହଲାଦ କୁମାର ସିଂହ , prahalladsinha@gmail.com

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories