ଦିନାକରନଙ୍କ ନୂଆ ଦଳ ‘ଆମ୍ମା ମକ୍କାଲ ମୁନେତ୍ର କାଝାଗମ୍‌’

0

ଚେନ୍ନାଇ : ଏଆଇଏଡିଏମ୍‌କେର ବିଦ୍ରୋହୀ ନେତା ଟିଟିଭି ଦିନାକରନ୍‌ ଗୁରୁବାର ତାଙ୍କ ନୂତନ ଦଳ ଘୋଷଣା କରିଛନ୍ତି। ଏଆଇଡିଏମ୍‌କେର ପୂର୍ବତନ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ନାମ ଅନୁସାରେ ଏହି ଦଳର ନାମ ‘ଆମ୍ମା ମକ୍କାଲ ମୁନେତ୍ର କାଝାଗମ (ଏଏମ୍‌ଏମ୍‌କେ)’ ରଖାଯାଇଛି। ଦିନାକରନଙ୍କ ପ୍ରତି ଏଆଇଏଡିଏମ୍‌କେର ବହୁ ଅସନ୍ତୁଷ୍ଟ ନେତା ତଥା କର୍ମୀଙ୍କ ସମର୍ଥନ ରହିଛି। ଏଣୁ ଆଗାମୀ ଦିନରେ ନୂତନ ଦଳ ରାଜ୍ୟରେ କ୍ଷମତାକୁ ଆସିବ ବୋଲି ସେ ଦୃଢ ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଦଳୀୟ ଧ୍ୱଜା ମଧ୍ୟ ଅନାବରଣ କରାଯାଇଛି। ଧ୍ୱଜାର ଉପରିଭାଗ କଳା ଓ ତଳ ଧଳା ରଙ୍ଗ ହୋଇଥିବା ବେଳେ ଲାଲ୍‌ ରଙ୍ଗର ମଧ୍ୟଭାଗରେ ଜୟଲଳିଥାଙ୍କ ଫଟୋଚିତ୍ର ରହିଛି।

prayash

ହାଇକୋର୍ଟଙ୍କ ନିର୍ଦେଶକ୍ରମେ ନିର୍ବାଚନ କମିଶନ ନୂତନ ଦଳକୁ ‘ପ୍ରେସର କୁକର୍‌’ ଚିହ୍ନ ଆବଣ୍ଟନ କରିଥିବା ସେ ପ୍ରକାଶ କରିଛନ୍ତି। ଏହି ଚିହ୍ନ ବ୍ୟବହାର କରି ଦିନାକରନ୍‌ ୨୦୧୭ ଡିସେମ୍ବରରେ ଅନୁଷ୍ଠିତ ଆର୍‌.କେ. ନଗର ଉପନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିଲେ। ଦଳୀୟ ନାମ ନ ଥିବାରୁ ବିଗତ ଦିନଗୁଡିକରେ ସାଂଗଠନିକ କାର୍ଯ୍ୟ ଆଗେଇ ନେବା ଲାଗି କର୍ମୀମାନଙ୍କୁ ଯେଉଁ ଦୁଃସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା, ଦିନାକରନ ତାହାର ସ୍ମୃତିଚାରଣ କରିଥିଲେ। ଏଏମ୍‌ଏମ୍‌କେକୁ ଏକ ‘ଦଳ’ ଭାବେ ଅଭିହିତ ନ କରି ‘ସଂଗଠନ’ ବୋଲି ଅଭିହିତ କରିବାକୁ ବୁଧବାର ଦଳୀୟ ମୁଖପତ୍ର ମାଧ୍ୟମରେ କର୍ମୀମାନଙ୍କୁ କୁହାଯାଇଥିଲା। ‘ଆମ୍ମା’ ଅର୍ଥାତ୍‌ ଜୟଲଳିତାଙ୍କ ଦ୍ୱାରା ପ୍ରଦତ୍ତ ନାମ ‘ଏଆଇଏଡିଏମ୍‌କେ’ ଏବଂ ‘ଦୁଇଟି ସବୁଜପତ୍ର’ ଚିହ୍ନ ପୁନଃ ପ୍ରାପ୍ତ ନ କରିବା ଯାଏ କର୍ମୀମାନଙ୍କୁ ଏକ ସାଂଗଠନିକ ନାମ, ପତାକା ଏବଂ ଚିହ୍ନର ଆବଶ୍ୟକତା ରହିଛି ବୋଲି ଦିନାକରନ୍‌ ଦର୍ଶାଇଥିବା ଦଳୀୟ ମୁଖପାତ୍ରରେ ଉଲ୍ଲେଖ କରାଯାଇଥିଲା। ତେବେ ସେ ହିଁ ଜୟଲଳିତାଙ୍କର ପ୍ରକୃତ ଉତ୍ତରାଧିକାରୀ ବୋଲି ଦିନାକରନ୍‌ ଦର୍ଶାଇଛନ୍ତି।

ଦଳ ଘୋଷଣା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀ ଏବଂ ପି. ପଲାନିଆପ୍ପାନ, ବରିଷ୍ଠ ନେତା ଏସ୍‌. ଆନ୍‌ବାଝାଗନ, ଅଯୋଗ୍ୟ ଘୋଷିତ ବିଧାୟକ ଏବଂ ଦିନାକରନ୍‌ଙ୍କ ବିଶ୍ୱସ୍ତ ନେତାମାନେ ଉପସ୍ଥିତ ଥିଲେ। ବୈଠକରେ ବକ୍ତାମାନେ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଦଳୀୟ ନାମ ଘୋଷଣା ପୂର୍ବରୁ ଏକ ଭାଲା ପ୍ରଦାନ ପୂର୍ବକ ଦିନାକରନ୍‌ଙ୍କୁ ସମ୍ମାନିତ କରାଯାଇଥିଲା।

Leave A Reply