ନୂତନ ଶିକ୍ଷା ନୀତିରେ ଡିଜିଟାଲ ପାଠ

ଭୁବନେଶ୍ଵର: ସଦ୍ୟ ୨୦୨୫-୨୬ ଶିକ୍ଷାବର୍ଷରୁ ରାଜ୍ୟ ସରକାର ନୂତନ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରିଛନ୍ତି। ଆଜିର ଛାତ୍ରଛାତ୍ରୀ ନିଜକୁ ସ୍ୱାବଲମ୍ବୀ କରିପାରିବା ସହିତ ବିଶ୍ୱର ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ଦମ୍ଭର ସହ ତାଳଦେଇ ଚାଲିପାରିବା ଭଳି ମାନବସମ୍ବଳ ପ୍ରସ୍ତୁତ କରିବାରେ ନୂତନ ଶିକ୍ଷାନୀତି ଯେ ପ୍ରଭାବଶାଳୀ, ଏହା ପ୍ରମାଣିତ ହେବା ଆଶା କରାଯାଏ। ତତ୍ ସହିତ ୨୦୩୬ ମସିହା ସୁଦ୍ଧା ଆମ ରାଜ୍ୟକୁ ଏକ ବିକଶିତ ରାଜ୍ୟ ତଥା ୨୦୪୭ ମସିହା ସୁଦ୍ଧା ରାଷ୍ଟ୍ରକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ରାଜ୍ୟ ପାଇଁ ଏହି ନୂତନ ଶିକ୍ଷାନୀତି, ସମୟର ଆବଶ୍ୟକତା କୁହାଯାଇପାରେ।
ତେବେ ଶିକ୍ଷାକ୍ଷେତ୍ରରେ ଆଜି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଖୁବ୍ ବ୍ୟାପକ। ପ୍ରାୟ ଶିକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ଏହାର ପ୍ରୟୋଗ ଆଜି ଦେଖିବାକୁ ମିଳୁଛି ଯାହାକୁ ସାମଗ୍ରିକ ଭାବରେ ଡିଜିଟାଲ ଶିକ୍ଷା ଭାବେ ଅଭିହିତ କରାଯାଇଛି। ଡିଜିଟାଲ ଶିକ୍ଷଣ ହେଉଛି ପ୍ରଯୁକ୍ତିବିଦ୍ୟା ଦ୍ୱାରା ସମର୍ଥିତ ଶିକ୍ଷା। ଏହା ଯେକୌଣସି ପ୍ରକାରର ଶିକ୍ଷାକୁ ଅନ୍ତର୍ଭୁକ୍ତ କରେ ଯାହା ପ୍ରଯୁକ୍ତିବିଦ୍ୟାର ସହାୟତାରେ ଅବା ସମନ୍ୱୟରେ ଚାଲିଥାଏ। ଏଥିରେ ମିଶ୍ରିତ ଏବଂ ଭର୍ଚୁଆଲ୍ ଶିକ୍ଷଣ ସମେତ ବିଭିନ୍ନ ପ୍ରକାରର ଅଭ୍ୟାସ ଅନ୍ତର୍ଭୁକ୍ତ।
ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ର ଉଦ୍ଦେଶ୍ୟ ସହିତ ଓଡ଼ିଶାର ନୂତନ ଶିକ୍ଷା ନୀତି ୨୦୨୫ର ଉଦ୍ଦେଶ୍ୟ ଘନିଷ୍ଠ ଭାବରେ ସମନ୍ୱିତ। ରାଜ୍ୟର ନୂତନ ଶିକ୍ଷା ନୀତି ୨୦୨୫, ଡିଜିଟାଲ ଶିକ୍ଷାକୁ ଏକ ମୂଳଦୁଆ ଭାବରେ ସମନ୍ୱିତ କରିବା, ଡିଜିଟାଲ ବିଭାଜନକୁ ଦୂର କରିବା ଏବଂ ଏହାର ବିବିଧ ଅଞ୍ଚଳରେ ଶିକ୍ଷା ଫଳାଫଳକୁ ବୃଦ୍ଧି କରିବା ପାଇଁ ପ୍ରୟାସ କରିବା ଲକ୍ଷ୍ୟ ରଖିଛି। ଏହି ନୀତିରେ ସରକାରୀ ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା, ଟେକ୍ନୋଲୋଜି ଶିଳ୍ପ ସହିତ ସହଯୋଗ ମାଧ୍ୟମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ଶିକ୍ଷାର ପ୍ରଚଳନ ଆରମ୍ଭ କରିବାର କଳ୍ପନା କରାଯାଇଛି।
ଏହି କ୍ରମରେ ରାଜ୍ୟରେ ପିଲାମାନଙ୍କର ଶିକ୍ଷା ନିମନ୍ତେ ପ୍ରତ୍ୟେକ ଶ୍ରେଣୀ, ବିଷୟ ତଥା ଦକ୍ଷତାଭିତ୍ତିକ ଉଚ୍ଚମାନର ଇଣ୍ଟରଆକ୍ଟିଭ୍ ଶିକ୍ଷଣ ଭିଡିଓମାନ ପ୍ରସ୍ତୁତ କରାଯାଇ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହାୟତାରେ ସି.ଆଇ.ଇ.ଟି, ନୂଆଦିଲ୍ଲୀ ଦ୍ୱାରା ପ୍ରସ୍ତୁତ ଦୀକ୍ଷା ଆପ୍ରେ ଉପଲବ୍ଧ କରାଯାଇଛି ଯେଉଁଗୁଡିକୁ ପିଲାମାନେ ସେମାନଙ୍କ ଘରେ ଥିବା ଆଣ୍ଡ୍ରଏଡ୍ ମୋବାଇଲରେ ଦେଖିପାରିବେ। ତତ୍ସହିତ ଗଞ୍ଜାମ ପ୍ରଶାସନ ଉଦ୍ୟମରେ ପ୍ରସ୍ତୁତ ମଧୁ ଆପ୍ରେ ମଧ୍ୟ ଶ୍ରେଣୀ, ବିଷୟ ତଥା ଦକ୍ଷତାଭିତ୍ତିକ ଶିକ୍ଷଣ ଭିଡିଓମାନ ଉପଲବ୍ଧ କରାଯାଇଛି ଯାହାକୁ ପିଲାମାନେ ଦେଖିପାରିବେ। କେବଳ ସେତିକି ନୁହେଁ ଡିଜିଟାଲ ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ଶିକ୍ଷଣ ସ୍ତର ସହିତ ଶୈଖିକ ଦକ୍ଷତା ବୃଦ୍ଧି, ପିଲାମାନଙ୍କର ଅନୁପସ୍ଥିତି ଜନିତ ଶୈକ୍ଷିକ ବ୍ୟବଧାନ ହ୍ରାସ, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପଢାଉଥିବା ପାଠ ସମ୍ପର୍କରେ ପିତାମାତା ଓ ଅଭିଭାବକଙ୍କୁ ସଚେତନ ତଥା ଜ୍ଞାନ ଆହରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ପି.ଏମ୍. ଇ-ବିଦ୍ୟା ଅଧୀନରେ ରାଜ୍ୟ ସରକାରଙ୍କୁ ଦୂରଦର୍ଶନରେ ୪ଟି ମାଗଣା ଡି.ଟି.ଏଚ୍. ଚ୍ୟାନେଲ ପ୍ରଦାନ କରାଯାଇଛି। ଚ୍ୟାନେଲ୍ ସଂଖ୍ୟାଗୁଡିକ ୧୩୮, ୧୩୯, ୧୪୦ ଓ ୧୪୧ ହୋଇଥିବା ବେଳେ ଚ୍ୟାନେଲ୍ ସଂଖ୍ୟା ୧୩୮ ପ୍ରଥମରୁ ପଞ୍ଚମ ଶ୍ରେଣୀ, ୧୩୯ ଷଷ୍ଠରୁ ଅଷ୍ଟମ ଶ୍ରେଣୀ, ୧୪୦ ନବମରୁ ଦଶମ ଶ୍ରେଣୀ ଓ ୧୪୧ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ। ଏହି ଚ୍ୟାନେଲଗୁଡ଼ିକରେ ରାଜ୍ୟର ବଛାବଛା ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାବିତ୍ଙ୍କ ଦ୍ୱାରା ଶ୍ରେଣୀ ଆଧାରିତ ବିଷୟ ଭିତ୍ତିକ ଭିଡିଓ ସବୁ ଶିକ୍ଷକ ଶିକ୍ଷା ନିେର୍ଦଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶାଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ ହେଉଛି।
ପୁନଶ୍ଚ ୨୦୨୫-୨୬ ଶିକ୍ଷାବର୍ଷରୁ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା ଆରମ୍ଭ କରିଛନ୍ତି, ଯାହା ରାଜ୍ୟର ପ୍ରତ୍ୟେକ ୬୭୯୪ ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛି। ଜାନୁଆରୀ ୨୦୨୫ରେ ରାଜ୍ୟ କ୍ୟାବିନେଟ ଦ୍ୱାରା ଅନୁମୋଦିତ ଏହି ପଦକ୍ଷେପ ପ୍ରାଥମିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ର ଉଦ୍ଦେଶ୍ୟ ସହିତ ସମନ୍ୱିତ।
ଏହି ମଡେଲ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା ପାଇଁ ପ୍ରତି ସ୍କୁଲର ପିଲାସଂଖ୍ୟାକୁ ବିଚାରକୁ ନେଇ ପ୍ରତି ବିଦ୍ୟାଳୟ ନିମନ୍ତେ ଖର୍ଚ୍ଚ ୧ କୋଟିରୁ ୪ କୋଟି ମଧ୍ୟରେ ସୀମିତ ରଖି ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ୧୧, ୯୩୯ କୋଟି ଖର୍ଚ୍ଚ କରାଯିବାର ଆକଳନ କରାଯାଇଛି। ଏହି ମଡେଲ ସ୍କୁଲଗୁଡ଼ିକରେ ଆଧୁନିକ ସୁବିଧା ରହିବ ଯେଉଁଥିରେ ସ୍ୱତନ୍ତ୍ର ଶ୍ରେଣୀଗୃହ, ପୁଅ ଏବଂ ଝିଅଙ୍କ ପାଇଁ ପୃଥକ୍ ଶୌଚାଳୟ, ସୀମା ପ୍ରାଚୀର, ସବୁଜ କ୍ଷେତ୍ର, ଡିଜିଟାଲ୍ ଲାଇବ୍ରେରୀ, ଭାଷା ପ୍ରୟୋଗଶାଳା, ଖେଳ ପଡ଼ିଆ, ଡାଇନିଂ ହଲ୍, କମ୍ପ୍ୟୁଟର ଏବଂ ସ୍ମାର୍ଟ ବୋର୍ଡ ଆଦି ଅନ୍ତର୍ଭୁକ୍ତ। ପାଠ୍ୟକ୍ରମରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ କ୍ରୀଡ଼ା, ଶାରୀରିକ ସୁସ୍ଥତା ଏବଂ ସାମାଜିକ ଏବଂ ସାଂସ୍କୃତିକ ଶିକ୍ଷାକୁ ଏକୀକୃତ କରାଯିବ।
ତତ୍ ସହିତ ଭବିଷ୍ୟତର ଡିଜିଟାଲ୍ ଶିକ୍ଷାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଗୁରୁତ୍ୱକୁ ଅନୁଭବ କରି ରାଜ୍ୟ ସରକାର ଫେବୃଆରୀ ୨୦୨୫ରେ ଏକ ଅଣ-ଲାଭକାରୀ ଶିକ୍ଷା ପ୍ରଯୁକ୍ତିବିଦ୍ୟା ସଂଗଠନ ସିକେ-୧୨ ଫାଉଣ୍ଡେସନ୍ ସହିତ ଗୋଟିଏ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଚାଳିତ ଶିକ୍ଷା ସମ୍ବଳଗୁଡ଼ିକୁ ମାଗଣାରେ ପ୍ରଦାନ କରିବା, ବ୍ୟକ୍ତିଗତ ଶିକ୍ଷା ଅଭିଜ୍ଞତାକୁ ସହଜ କରିବା ଏବଂ ରାଜ୍ୟ ସାରା ଶିକ୍ଷାରେ ସମାନତାକୁ ପ୍ରୋତ୍ସାହିତ କରିବା ଆଦି ଏହି ବୁଝାମଣାପତ୍ରର ଲକ୍ଷ୍ୟ। ତେବେ ଏ ସମସ୍ତ ସୁବିଧା ସତ୍ତ୍ୱେ ବର୍ତ୍ତମାନ ରାଜ୍ୟରେ ଡିଜିଟାଲ ଶିକ୍ଷାର ସ୍ଥିତି ଅନୁଧ୍ୟାନ ଓ ଆକଳନ କରିବାକୁ ହେଲେ ପରିବାର ଓ ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ ଶିକ୍ଷା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କିତ ଉପଲବ୍ଧ ତଥ୍ୟସବୁକୁ ଜାଣିବା ଜରୁରୀ। କହିବା ବାହୁଲ୍ୟ ଯେ ଡିଜିଟାଲ ଶିକ୍ଷା ନିମନ୍ତେ ଅତ୍ୟାବଶ୍ୟକ ଭିତ୍ତିଭୂମି ମଧ୍ୟରେ ଆବଶ୍ୟକ ଇଲେକ୍ଟ୍ରୋନିକ୍ ଉପକରଣଗୁଡିକ ହେଉଛି କମ୍ପ୍ୟୁଟର/ଲ୍ୟାପଟପ୍/ଟାବଲେଟ୍/ସ୍ମାର୍ଟଫୋନ୍, ସ୍ମାର୍ଟବୋର୍ଡ, ସ୍ମାର୍ଟ କ୍ଲାସରୁମ୍, ଟିଭି, ସ୍ମାର୍ଟ ଟିଭି, ଇଣ୍ଟରନେଟ୍, ପ୍ରୋଜେକ୍ଟର ଇତ୍ୟାଦି। ଏହି ପରିପ୍ରେକ୍ଷୀରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫, ୨୦୧୯-୨୧ର ତଥ୍ୟ ଅନୁଯାୟୀ ରାଜ୍ୟର ପାଖାପାଖି ୮୧.୪% ସହରାଞ୍ଚଳ ଲୋକଙ୍କ ପାଖରେ ରଙ୍ଗିନ ଟେଲିଭିଜନ ଥିବାବେଳେ ୫୩.୭% ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ଅଛି।
ସେହିପରି ମୋବାଇଲ୍ ଟେଲିଫୋନ୍ ୯୫.୨% ସହରାଞ୍ଚଳ ଲୋକଙ୍କ ପାଖରେ ଥିବାବେଳେ ୮୬.୯% ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ଅଛି। ତତ୍ ସହିତ କେନ୍ଦ୍ର ସରକାରଙ୍କ ଇଉଡାଇସ୍ ପ୍ଲସ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ୫୫.୮% ସରକାରୀ ଓ ୬୫.୨% ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଅଛି। ପରିତାପର ବିଷୟ, ଉପଲବ୍ଧ କମ୍ପ୍ୟୁଟରଗୁଡିକ ମଧ୍ୟରୁ ଯଥାକ୍ରମେ ମାତ୍ର ୧୬.୧% ଓ ୪୯.୧% କାର୍ଯ୍ୟକ୍ଷମ ଅବସ୍ଥାରେ ଥିବାବେଳେ ବାକି ସବୁ ଅକାମୀ ହୋଇ ପଡ଼ିଛି। ଏ ସମସ୍ତ ଭିତ୍ତିଭୂମିକୁ ଶତ ପ୍ରତିଶତ ହାସଲ କରିବା ପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା ଆବଶ୍ୟକ। ୟୁଡିଆଇଏସଇ + ୨୦୨୩-୨୪ ରିପୋର୍ଟ ଅନୁଯାୟୀ ୩,୩୫,୦୦୦ ଶିକ୍ଷକଙ୍କ ମଧ୍ୟରୁ କେବଳ ୩୩.୩% କମ୍ପ୍ୟୁଟର-ଆଧାରିତ ଶିକ୍ଷାଦାନରେ ତାଲିମପ୍ରାପ୍ତ। ଏହି ବ୍ୟବଧାନକୁ ଦୂର କରିବା ନିମନ୍ତେ ଶିକ୍ଷକମାନଙ୍କୁ ଆବଶ୍ୟକ ଡିଜିଟାଲ୍ ଦକ୍ଷତା ହାସଲ କରାଇବା ପାଇଁ ବ୍ୟାପକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି।
Comments are closed.