ଅଭିବୃଦ୍ଧି ମଧ୍ୟରେ ବୈଷମ୍ୟ

ଭୁବନେଶ୍ଵର: ଗତ କେତେ ଦଶନ୍ଧି ହେଲା ଭାରତୀୟ ଅର୍ଥନୀତି ଯେପରି ଭାବରେ ବୃଦ୍ଧି ପାଇ ବିଶ୍ବର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୀତିର ମାନ୍ୟତା ପାଇଛି । ତାହା ମୂଳରେ ରହିଛି ୧୯୯୧ର ଅର୍ଥନୈତିକ ସଂସ୍କାର, ନୂତନ ଜ୍ଞାନକୌଶଳର ସଫଳ ପ୍ରୟୋଗ ଏବଂ ନେତୃତ୍ୱର ପ୍ରତିବଦ୍ଧତା ଓ ଦୂରଦୃଷ୍ଟି। ଭାରତର ଅର୍ଥନୀତି ମୁଖ୍ୟତଃ କୃଷିଭିତ୍ତିକ ଥିଲା। ଏବେ ଶିଳ୍ପ, ବାଣିଜ୍ୟ, ବିଶେଷ କରି ସେବା କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଆସି ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ( ଆଇ ଏମ୍ ଏଫ୍)ର ଏକ ରିପୋର୍ଟରୁ ଜଣାଯାଇଛି ଯେ, ୨୦୧୫ ଭାରତୀୟ ଅର୍ଥନୀତିର ପରିମାଣ ୨.୧ ଟ୍ରିଲିଅନ ଡଲାର ଥିବାବେଳେ ୨୦୨୪ ସୁଦ୍ଧା ୧୦୫ ପ୍ରତିଶତ ବୃଦ୍ଧି ପାଇ ୪.୩ ଟ୍ରିଲିଅନ ଡଲାର ହୋଇଛି। ଭାରତ ଖୁବ୍ ଶୀଘ୍ର ଜାପାନ ଅର୍ଥନୀତିକୁ ଟପିଯିବ। ଭାରତର ବର୍ତ୍ତମାନର ଅଭିବୃଦ୍ଧି ହାର ଆଗାମୀ ଦିନରେ ବଜାୟ ରହିଲେ ୨୦୩୨ରେ ୧୦ ଟ୍ରିଲିଅନ ଡଲାର ହେବ। ଆମେ ଆମେରିକା ଓ ଚୀନ ଅର୍ଥନୀତି ପଛକୁ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚିଯିବୁ। ଅବଶ୍ୟ ଏବେ ଆମେରିକାର ଟ୍ରମ୍ପ ଶାସନ କାଳରେ ଯେଉଁ ଶୁଳ୍କ ଯୁଦ୍ଧ ଆରମ୍ଭ ହୋଇଛି ତାହା କିଛି ନକାରାତ୍ମକ ପ୍ରଭାବ ଆମ ଅର୍ଥନୀତିରେ ପକାଇ ପାରେ; କିନ୍ତୁ ଏହା କେବଳ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ ନାହିଁ, ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଅର୍ଥନୀତିକୁ ପ୍ରଭାବିତ କରିବ। ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଖୁବ୍ ହେଲେ ଆମର ଅଭିବୃଦ୍ଧି ହାର ଆମ ଆକଳିତ ହାରଠାରୁ ୦.୫ ପ୍ରତିଶତ କମିବ। ଆମେ ସିନା ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅନୁଯାୟୀ ବିଶ୍ବର ତୃତୀୟ ଅର୍ଥନୀତି ହେବା; କିନ୍ତୁ ଆମର ହାରାହାରି ମୁଣ୍ଡପିଛା ଜିଡିପି କେତେ? ଆମର ମୁଣ୍ଡପିଛା ହାରାହାରି ଜିଡିପି ୨, ୪୮୧ ଡଲାର ହୋଇଥିବାବେଳେ ଆମେରିକାର ୮୨, ୭୧୪ ଡଲାର, ଜର୍ମାନୀର ୪୮, ୫୬୨ ଡଲାର, ଇଂଲଣ୍ଡର ୪୭, ୫୫୧ ଡଲାର ଓ ଜାପାନର ୩୩, ୮୫୧ ଡଲାର ଏବଂ ଚୀନର ୧୨, ୬୧୪ ଡଲାର। ଆମେ ସିନା ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବା; କିନ୍ତୁ ଆମର ଜନସଂଖ୍ୟା ଅଧିକ ହୋଇଥିବାରୁ ଆମର ମୁଣ୍ଡପିଛା ଜିଡିପି ବହୁତ କମ୍। ଅନ୍ୟ ଯେଉଁ ବୃହତ୍ ଅର୍ଥନୀତି ରାଷ୍ଟ୍ର ରହିଲେ ସେମାନଙ୍କର ମୁଣ୍ଡପିଛା ହାରାହାରି ଜିଡିପି କେବଳ ଚୀନକୁ ଛାଡି ଆମଠାରୁ ବହୁଗୁଣରେ ଅଧିକ। ସେସବୁ ରାଷ୍ଟ୍ରର ଲୋକେ ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ମେଣ୍ଟାଇବା ପରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଆମ ଠାରୁ ନିଶ୍ଚିତ ଭାବରେ ସୁବିଧାରେ ଅଛନ୍ତି, ଯଦିଚ ଆମେରିକା ଓ ଚୀନକୁ ଛାଡି ଜିଡିପିରେ ଆମ ପଛରେ ରହିବେ।
ଆମ ଦେଶରେ ଅଭିବୃଦ୍ଧି ମଧ୍ୟରେ ମଧ୍ୟ ଲୁଚି ରହିଛି ବୈଷମ୍ୟ। ଆମର ଆର୍ଥିକ ଅଭିବୃଦ୍ଧିର ସିଂହ ଭାଗ ଉପଭୋଗ କରୁଛନ୍ତି ଧନୀ ଲୋକ। ଯଦିଓ ବିଶ୍ବବ୍ୟାଙ୍କର ବହୁମୁଖୀ ଦାରିଦ୍ର୍ୟ ସୀମାରେଖା ଅନୁସାରେ ଗତ ୨୦୧୫-୧୬ରେ ଦେଶର ୨୫ ପ୍ରତିଶତ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ଥିଲେ, ୨୦୨୩ ମଧ୍ୟରେ ତାହା ୧୧.୨୮କୁ ଖସି ଆସିଛି; କିନ୍ତୁ ରାଜ୍ୟ ରାଜ୍ୟ ମଧ୍ୟରେ ବୈଷମ୍ୟ ଅଛି। ବିହାରରେ ଦାରିଦ୍ର୍ୟ ପ୍ରତିଶତ ୩୩.୭୬ ହେବା ବେଳେ କେରଳରେ ମାତ୍ର ୦.୫୫ ପ୍ରତିଶତ। ରାଜ୍ୟ ଭିତରେ ଜିଲା-ଜିଲା ମଧ୍ୟରେ ବୈଷମ୍ୟ କମ୍ ନାହଁ। ଓଡ଼ିଶାରେ ହାରାହାରି ଦାରିଦ୍ର୍ୟ ୧୫.୬୮ ପ୍ରତିଶତ ହେବା ବେଳେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଦାରିଦ୍ର୍ୟର ସ୍ଥିତି ଚିନ୍ତାଜନକ। ନବରଙ୍ଗପୁରରେ ୫୯.୩୨, ମାଲକାନଗିରିରେ ୫୮.୧୪, କୋରାପୁଟରେ ୪୮.୧୯, ରାୟଗଡ଼ାରେ ୪୭.୨୮, କଳାହାଣ୍ଡିରେ ୪୪.୯୧ ମୟୂରଭଞ୍ଜରେ, ୪୪.୭୫ ଏବଂ କନ୍ଧମାଳରେ ୪୧.୭୮ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ସବୁ ସ୍ତରରେ ବୈଷମ୍ୟର ସ୍ପଷ୍ଟ ଚିତ୍ର।
ଜାତୀୟ ସ୍ତରରେ ଅତି ସ୍ପଷ୍ଟ ବୈଷମ୍ୟ। ଅର୍ଥନୈତିକ ସ୍ତରରେ ଯେଉଁ ଅଭିବୃଦ୍ଧି ହେଉଛି ତା’ର ସିଂହ ଭାଗ ଉପଭୋଗ କରୁଛନ୍ତି ମୁଷ୍ଟିମେୟ ଧନୀ ଲୋକ। ୨୦୨୨-୨୩ ସୁଦ୍ଧା ଦେଶର ମାତ୍ର ୧ ପ୍ରତିଶତ ଲୋକ ୨୨.୬ ପ୍ରତିଶତ ଜାତୀୟ ଆୟକୁ ଉପଭୋଗ କରୁଥିବା ବେଳେ ୪୦.୧ ପ୍ରତିଶତ ଜାତୀୟ ସମ୍ପତ୍ତିର ମାଲିକ ଥିଲେ। ଏପରି ବୈଷମ୍ୟ ବ୍ରିଟିଶ୍ ଶାସନ ସମୟରେ ବି ନଥିଲା। ୧୯୩୯-୪୦ରେ ୧ ପ୍ରତିଶତ ଲୋକ ୨୦.୭ ଆୟ ଉପଭୋଗ କରୁଥିଲେ। ଏବେ ୨୦୧୫ରେ ତଳ ସ୍ତରରେ ଥିବା ୫୦ ପ୍ରତିଶତ ଲୋକ ଜାତୀୟ ଆୟର ମାତ୍ର ୧୫ ପ୍ରତିଶତ ଭୋଗ କରୁଥିବା ବେଳେ ୨୦୨୨-୨୩ରେ ତାହା ହ୍ରାସ ପାଇ ହେଲାଣି ୧୩ ପ୍ରତଶତ। ଜାତୀୟ ସମ୍ପତ୍ତିର ୮୦ ଭାଗ ମାଲିକାନା ୧୦ ପ୍ରତିଶତ ଲୋକଙ୍କ ପାଖରେ ଅଥଚ ତଳ ଶ୍ରେଣୀର ୧୦ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୦.୨ ପ୍ରତିଶତ ସମ୍ପତ୍ତି ଅଛି। ୧୯୯୧ରେ ଅର୍ବୁଦପତିଙ୍କ ସଂଖ୍ୟା ୧ ଥିବା ବେଳେ ୨୦୨୪ରେ ୨୨୧ ହେଲାଣି। ୨୦୧୪ ତୁଳନାରେ ୨୦୨୨ରେ ସେମାନଙ୍କ ଆୟ ଜାତୀୟ ଆୟ ତୁଳନାରେ ଦଶ ଗୁଣ ବଢ଼ିଛି। ଆମର ୬୫ ଭାଗ ଲୋକ ଗାଁ’ରେ ବାସ କରନ୍ତି; କିନ୍ତୁ ଚାଷୀ ପରିବାରର ମାସିକ ଆୟ ମାତ୍ର ୧୦, ୨୧୮ ଟଙ୍କା, ଆଉ ଆମ ଓଡ଼ିଶାରେ ତାହା ୫, ୧୧୨ ଟଙ୍କା। ଆମର ଗ୍ରାମାଞ୍ଚଳରେ ଶ୍ରମିକମାନେ ୪୬ ପ୍ରତିଶତ କାମ ପାଆନ୍ତି ଏବଂ ମହିଳାମାନେ ମାତ୍ର ୨୩ ପ୍ରତିଶତ କାମ ପାଆନ୍ତି। ଭାରତରେ ବିଭିନ୍ନ ବର୍ଗ ମଧ୍ୟରେ ଥିବା ଅର୍ଥନୈତିକ ବୈଷମ୍ୟ ସବୁଠାରୁ ଅଧିକ ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରନୀତିର ପରିପନ୍ଥୀ। ଆମ ଆୟ ଓ ସମ୍ପତ୍ତିର ଗାଣିତିକ ସମବଣ୍ଟନ କଥା କୁହା ଯାଉନାହିଁ, ଯେପରି ପାଞ୍ଚ ଆଙ୍ଗୁଳି ସମାନ ହୋଇ ପାରିବ ନାହିଁ; କିନ୍ତୁ ପାଞ୍ଚ ଆଙ୍ଗୁଳି ମଧ୍ୟରେ ଯେଉଁ ଅନୁପାତରେ ଦୈର୍ଘ୍ୟ ଅଛି ସେହିପରି ଆମ ଅର୍ଥନୀତିର ବିଭିନ୍ନ ବର୍ଗ ମଧ୍ୟରେ ଆନୁପାତିକ ଆୟ ଓ ସମ୍ପତ୍ତି ରହିଲେ ଆମେ ଏକ ସୁସ୍ଥ ସମାଜ ଗଠନ କରିପାରିବା। ଏହା କରିବାକୁ ହେଲେ ଆମକୁ ନିମ୍ନୋକ୍ତ ପ୍ରସ୍ତାବକୁ ବିଚାରକୁ ନେବାକୁ ହେବ।
ସମ୍ପତ୍ତି ସୃଷ୍ଟିକାରୀଙ୍କୁ ଉତ୍ସାହିତ କରିବା ଉଚିତ୍; କିନ୍ତୁ ଯେଉଁମାନେ ସମ୍ପତ୍ତି ସୃଷ୍ଟି କରୁଛନ୍ତି, ସେମାନେ କେବଳ ପୁଞ୍ଜି ଲଗାଣ କରି ଏବଂ ନିଜର ପରିଚାଳନା ଦକ୍ଷତା ଯୋଗୁଁଁ ସୃଷ୍ଟି କରୁ ନାହାନ୍ତି, ସେଥିପାଇଁ ଶ୍ରମିକଙ୍କ ଭୂମିକା ଏବଂ ଖାଉଟିଙ୍କ ଭୂମିକାକୁ ଗୈାଣ କରାଯାଇ ନପାରେ। ଜିଏସଟି ଆମ ରାଷ୍ଟ୍ର ତହବିଲକୁ ସମୃଦ୍ଧ କରିବା ଯୋଗୁଁଁ ଆମେ ବିଭିନ୍ନ ବିକାଶ ଯୋଜନା ହାତକୁ ନେଉଛୁ। ଆମର ମୋଟ ଜିଏସଟିର ୬୪ ଭାଗ ଆସୁଛି ତଳ ବର୍ଗର ୫୦ ପ୍ରତିଶତ ଖାଉଟିଙ୍କଠାରୁ, ଆଉ ମାତ୍ର ୪ ପ୍ରତିଶତ ଆସୁଛି ସବା ଉପର ବର୍ଗରେ ଥିବା ୧୦ ପ୍ରତିଶତ ଲୋକଙ୍କ ଠାରୁ। ଏହି ତଳ ବର୍ଗର ଲୋକେ କ’ଣ ସମ୍ପତ୍ତି ସୃଷ୍ଟିକାରୀ ନୁହନ୍ତି? ସେମାନଙ୍କ ଆର୍ଥିକ ସ୍ଥିତି ଦାଣ୍ଡରୁ ଆସେ ହାଣ୍ଡିରେ ପଶିବା ନ୍ୟାୟରେ କାହିଁକି? ସୁତରାଂ ଆମ ଯୋଜନାରେ କିପରି ତଳୁଆ ବର୍ଗର ନିଯୁକ୍ତି ଓ ଆୟ ବଢିବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉ।
କୃଷି ସିଧାସଳଖ ଭାବେ ୪୨ ଭାଗ ଲୋକଙ୍କୁ କାମ ଯୋଗାଇବା ବେଳେ ମାତ୍ର ୧୬ ଭାଗ ଜିଡିପିକୁ ଦେଇଥାଏ; କିନ୍ତୁ କୃଷିରୁ ଆୟ ଆମର ଆୟ ଅନ୍ତତଃ ୨୫ ପ୍ରତିଶତ ହେବା ଉଚିତ। କୃଷିରୁ କମ୍ ଆୟ ହେବାର କାରଣ କୃଷି କ୍ଷେତ୍ରର ବିକାଶ ପାଇଁ ଯଥେଷ୍ଟ ପୁଞ୍ଜି ବିନିଯୋଗ ହୋଇ ଭିତ୍ତିଭୂମି ସୃଷ୍ଟି ହେଉନାହିଁ, ଆଧୁନିକ ଜ୍ଞାନେକୗଶଳ ଚାଷୀ ନିକଟରେ ପହଞ୍ଚୁ ନାହିଁ, କୃଷି ଭିତ୍ତିକ ଶିଳ୍ପ ଆବଶ୍ୟକ ମୁତାବକ ପ୍ରତିଷ୍ଠା ହେଉନାହିଁ। କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦୁଇଗୁଣ କରିବେ ବୋଲି କହିଥିଲେ ମଧ୍ୟ, ତାହା ହେଲା କି? କୃଷି କ୍ଷେତ୍ରର ବିକାଶ ହେଲେ ନିଯୁକ୍ତି ହାର ବୃଦ୍ଧି ପାଇବ ଏବଂ ଆୟର ବୈଷମ୍ୟ କମିବ। ସୁତରାଂ କୃଷି କ୍ଷେତ୍ରରେ ବିକାଶ ପାଇଁ ଅଧିକ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି।
ମହିଳାମାନେ ଅଧିକ ସଂଖ୍ୟାରେ କର୍ମ କ୍ଷେତ୍ରକୁ ନଆସିଲେ ପରିବାରର ଆୟ ଆବଶ୍ୟକତା ଅନୁଯାୟୀ ବଢିବ ନାହିଁ। ଏବେ ଦେଶର ବିଭିନ୍ନ ରାଜ୍ୟର ସରକାର ମହିଳା ସଶକ୍ତୀକରଣର ନାମରେ ଓଡ଼ିଶାର ସୁଭଦ୍ରା ଯୋଜନା କୁହନ୍ତୁ, ଅବା ମଧ୍ୟପ୍ରଦେଶର ଲାଡଲୀ ବହେନ କୁହନ୍ତୁ ବା ମହାରାଷ୍ଟ୍ରର ଲାଡକୀ ବହୀନ କିମ୍ବା ପଶ୍ଚିମ ବଙ୍ଗର ଲକ୍ଷ୍ମୀଭଣ୍ଡାର ଯୋଜନା ବା କର୍ଣ୍ଣାଟକର ଗୃହଲକ୍ଷ୍ମୀ ଯୋଜନା କୁହନ୍ତୁ -ଏସବୁ ମହିଳାମାନଙ୍କୁ ଭ୍ରମିତ କରି ଭୋଟ ବ୍ୟାଙ୍କ ସୃଷ୍ଟି କରାଯାଉଛି। ଏହାଦ୍ବାରା ମହିଳାମାନେ ଦୁର୍ବଳ ହେଉଛନ୍ତି ସିନା, ସଶକ୍ତ ହେଉନାହାନ୍ତି। ଏହି ଅର୍ଥ ବାଣ୍ଟିବାରେ ଅଯଥା ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମହିଳାମାନେ ପରିବାରର ଆୟ ବଢ଼ାଇବାକୁ ହେଲେ ସେମାନଙ୍କ ପାଇଁ ଆତ୍ମନିଯୁକ୍ତି ବ୍ୟବସ୍ଥା କରିବାକୁ ହେବ। କୃଷି କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ଅନିବାର୍ଯ୍ୟ।
ବିକାଶର ମୂଳମନ୍ତ୍ର ହେଲା ଶିକ୍ଷା। ଶିକ୍ଷାପ୍ରସାର କ୍ଷେତ୍ରରେ ଯଥାଯଥ ଦୃଷ୍ଟି ଦିଆଯାଉନାହିଁ। ବିଶେଷକରି ବୃତ୍ତିଭିତ୍ତିକ ଶିକ୍ଷାଦାନ ବ୍ୟବସ୍ଥା ହେଉ ଏବଂ ଦକ୍ଷତା ବିକାଶ ପାଇଁଁ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା ହେଉ। ଉଚ୍ଚ ଶିକ୍ଷା ଅନୁଷ୍ଠାନ ସୀମିତ ସଂଖ୍ୟାରେ ଖୋଲୁ। କେବଳ ଅତି ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଆନ୍ତୁ। ଆଜି ଯେପରି ଛତୁ ଫୁଟିଲା ପରି ବିଶ୍ବବିଦ୍ୟାଳୟ ଖୋଲୁଛି ସେସବୁକୁ ବନ୍ଦ କରନ୍ତୁ।
ସ୍ୱାସ୍ଥ୍ୟବୀମା ସ୍ବାଗତ ଯୋଗ୍ୟ; କିନ୍ତୁ ପ୍ରାଥମିକ ସ୍ବାସ୍ଥ୍ୟ ପାଇଁ ସରକାରୀ ଡାକ୍ତରଖାନା ନହେଲେ ଲୋକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାପାଇଁ ଆର୍ଥିକ ଦୃଷ୍ଟିରୁ ସମର୍ଥ ହେବେ ନାହିଁ। ବୈଷମ୍ୟକୁ ସୀମିତ କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକ। ସେଥିପାଇଁ ଅଧିକ ପୁଞ୍ଜି ଯୋଗାଡ଼ କରିବାକୁ ହେଲେ ମାଗଣା ବଣ୍ଟନକୁ ବନ୍ଦ କରିବାକୁ ହେବ, ଅଧିକ ଆୟ କରୁଥିବା ଲୋକଙ୍କ ଠାରୁ ଅଧିକ ଟିକସ ଆଦାୟ କରିବାକୁ ପଡ଼ିବ, ସମ୍ପତ୍ତି କର କଥା ବିଚାରକୁ ନେବାକୁ ହେବ ଏବଂ ଶାସନରେ ସ୍ବଚ୍ଛତା ଆଣି ଦୁର୍ନୀତି ରୋକିବାକୁ ହେବ, ତେବେ ଯାଇ ବିଭିନ୍ନ ବିକାଶମୂଳକ କାମ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ଉପଲବ୍ଧ ହେବ। ଏସବୁ ପଦକ୍ଷେପ ନନେଲେ ଭାରତରେ ଆର୍ଥିକ ବୈଷମ୍ୟ ବୃଦ୍ଧି ପାଇବ। ଆମେ ବିଶ୍ବର ତୃତୀୟ ଅର୍ଥନୀତି ହେଲେ ବି ମୁଷ୍ଟିମେୟ ଲୋକ ତାହା ଉପଭୋଗ କରିବେ। ତଳ ଶ୍ରେଣୀର ଲୋକେ ଢୋକେ ପିଇ ଦଣ୍ଡେ ବଞ୍ଚି ହନ୍ତସନ୍ତ ହେଉଥିବେ।
Comments are closed.