ଏମ୍ସରେ ଡାଏଲିସିସ୍ ଓ ୨ୟ ଏମ୍ଆର୍ଆଇ କେନ୍ଦ୍ର ଲୋକାର୍ପିତ
ଯାଁଳା : ଭୁବନେଶ୍ୱର ଏମ୍ସର ୭ମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ୧୪ ଶଯ୍ୟା ବିଶିଷ୍ଟ ଡାଏଲିସିସ୍ ୟୁନିଟ୍, ଦ୍ୱିତୀୟ ଏମ୍ଆର୍ଆଇ କେନ୍ଦ୍ର ଓ ମେଡିକାଲ ଥେରାସ୍କୋପି ସେଣ୍ଟର ଲୋକାର୍ପିତ ହୋଇଛି। ଖୁବ୍ ଶୀଘ୍ର ୨୫ଟି ମଡ୍ୟୁଲାର୍ ଓଟି ଏବଂ ୧୦୨ ଆଇସିୟୁ ପ୍ରତିଷ୍ଠା କରାଯିବ। ତେଣୁ ଚଳିତ ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ଏମ୍ସରେ ଭିତ୍ତିଭୂମି ନିର୍ମାଣ ସହ ପୂର୍ଣ୍ଣାଙ୍ଗ ରୂପ ପାଇବ ବୋଲି ଏହି ଅବସରରେ କୁହାଯାଇଛି।
ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡାଏଲିସିସ୍ କେନ୍ଦ୍ର(୧୪ ମେସିନ୍), ପାଖାପାଖି ୯ କୋଟି ବ୍ୟୟରେ ନିର୍ମାଣ କରାଯାଇଥିବା ଦ୍ୱିତୀୟ ଏମ୍ଆର୍ଆଇ ୟୁନିଟ୍(୩-ଟେସ୍ଲା) ଓ ଏକ ମେଡିକାଲ ଥେରାସ୍କୋପି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଏଣିକି କେନ୍ଦ୍ରୀୟ ଅନୁଦାନ ପାଇଁ ସେ ଦିଲ୍ଲୀରେ ଦାବି ଉପସ୍ଥାପନ କରିବେ। ଭୁବନେଶ୍ୱର ଏମ୍ସକୁ ଦେଶର ଏକ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ପାଇଁ ସେ ଅବିରତ ଚେଷ୍ଟା ଜାରି ରଖିବେ। ଚଳିତ ବର୍ଷ ସୁଦ୍ଧା ଏମ୍ସରେ ରୋଗୀ ଶଯ୍ୟା ସଂଖ୍ୟା ୯୧୭କୁ ବୃଦ୍ଧି କରାଯିବ ବୋଲି ନିର୍ଦେଶିକା ପ୍ରଫେସର ଗିତାଞ୍ଜଳି ବାଟମାନବାନେ କହିଥିଲେ।
Comments are closed.