ଦଶହରା ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ

ଢେଙ୍କାନାଳ ଓ ତାଳଚେରରେ ‘ରାବଣ ପୋଡି ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଅନୁଗୋଳ ଜିଲା ତାଳଚେର ସାଉଥ୍ ବଲଣ୍ଡା ଓ ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ଆୟୋଜିତ ପୃଥକ ‘ରାବଣ ପୋଡ଼ି ମହୋତ୍ସବ -୨୦୨୩’ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି। ଏହି ଅବସରରେ ଆମର ପର୍ବ ପର୍ବାଣୀ ଗୁଡ଼ିକ ଆମର ପରିଚୟ ଏବଂ ଦଶହରା ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

prayash

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିରେ ଅପାର ସମ୍ଭାବନାର ଅଞ୍ଚଳ ଅନୁଗୋଳ ଓ ତାଳଚେରର ଅବଦାନ ବହୁତ ଅଧିକ। ତାଳଚେର ଲୋକଙ୍କ ଝାଳବୁହା ପରିଶ୍ରମ କାରଣରୁ କୋଇଲା ଉତ୍ପାଦନ ମାଧ୍ୟମରେ ଆମ ରାଜ୍ୟ ଓଡ଼ିଶା ଓ ଭାରତର ଅର୍ଥନୀତି ସୁଦୃଢ଼ ହେଉଛି। ଆଜି ଦେଶରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉଥିବା ବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି ସୁଦୃଢ ହେଉଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଦେଶର ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଅଣାଯାଉଛି।

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖାଯାଇଛି। ଢେଙ୍କାନାଳ ପ୍ରଗତି ତ୍ୱରାନ୍ୱିତ ଗତିରେ ହେଉଛି। ଭାରତ ସରକାର ଏଥିପାଇଁ ସବୁ ସହଯୋଗ ନେଇଛନ୍ତି । ଭୁବନେଶ୍ୱର, କଟକ ଏବଂ ଢେଙ୍କାନାଳକୁ ଗୋଟିଏ ରିଙ୍ଗ୍ ରୋଡରେ ଯୋଡାଯିବାର ଆକାଂକ୍ଷୀ ପ୍ରକଳ୍ପ ଅଛି।ଢେଙ୍କାନାଳ ସହର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତାୟତ କରୁଛି । ଢେଙ୍କାନାଳ ସହର ସହ ଯୋଡି ହୋଇଥିବା ଜାତୀୟ ରାଜପଥ କାର୍ଯ୍ୟକୁ ମଧ୍ୟ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Comments are closed.