ଧାମନଗରରେ ପୁନଃମତଦାନ ଶେଷ: ୧୪୪ ଧାରା ଜାରି, ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି

୭ ତାରିଖ ସକାଳ ୬ଟା ପର୍ୟ୍ୟନ୍ତ ଏଠାରେ ୧୪୪ ଧାରା ବଳବତ୍ତର ରହିବ

ଭଦ୍ରକ: ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ନିର୍ବାଚନ ପାଇଁ ପୁନଃମତଦାନ ଶେଷ ହେବା ପରେ ଭଦ୍ରକ ଜିଲା ଧାମନଗରରେ ୧୪୪ ଧାରା ଜାରି ହୋଇଛି । ଆଜି ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ୟ୍ୟନ୍ତ ଏଠାରେ ୧୪୪ ଧାରା ବଳବତ୍ତର ରହିବ। ଆସନ୍ତାକାଲି ଭୋଟ୍ ଗଣତି ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। ଆଇନ ଶୃଙ୍ଖଳା ଉପୁଜିବା ଆଶଙ୍କାରେ ଭଦ୍ରକ ଉପଜିଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ଧାମନଗର କଲ୍ୟାଣ ମଣ୍ଡପରେ ଭୋଟ୍‌ ଗଣତି କେନ୍ଦ୍ର କରାଯାଇଛି। ତେଣୁ ଧାମନଗର କଲ୍ୟାଣମଣ୍ଡପ ଭୋଟଗଣତି କେନ୍ଦ୍ର ନିକଟ ଦେଇ କୌଣସି ୪ ଚକିଆ ଯାନ ଯିବାଆସିବା କରିପାରିବ ନାହିଁ ବୋଲି ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 

ଏଠାରେ ସୂଚନା ଯୋଗ୍ୟ ଯେ ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିର ୬ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ର ଗଣତିକୁ ବନ୍ଦ ରଖାଯାଇଥିଲା। ଏହାସହିତ ଏହି ୬ଟି ୱାର୍ଡରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଥିଲା। ଧାମନଗର ଏନ୍‌ଏସିର ୨ ନମ୍ବର ୱାର୍ଡର ୩ ନଂ ବୁଥ୍, ୫ ନମ୍ବର ୱାର୍ଡର ୮ ଓ ୯, ୯ ନମ୍ବର ୱାର୍ଡର ୧୬, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥ୍‌ରେ ଆଜି ପୁନଃମତଦାନ ହୋଇଛି। ଆଜି ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି ଏବଂ ୭୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ଭଦ୍ରକ ଉପଜିଲାପାଳ ସୂଚନା ଦେଇଛନ୍ତି।

Comments are closed.