ବୌଦ୍ଧ : ସରକାର ବ୍ୟାଙ୍କ ଜରିଆରେ କାରବାରକୁ ପ୍ରୋତ୍ସାହନ ଦେବା ସହିତ ଅଧିକ ସଂଖ୍ୟାରେ ବ୍ୟାଙ୍କ ଶାଖା ଖୋଲି ଲୋକମାନଙ୍କୁ ସେବା ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷିରେ ପ୍ରତ୍ୟେକ ଜାତୀୟକରଣ ବ୍ୟାଙ୍କ ଜିଲାସ୍ତରରେ ନିଶ୍ଚିତ ଭାବରେ ଶାଖା ଖୋଲିବାକୁ ଏବଂ ଅଧିକରୁ ଅଧିକ ସଂଖ୍ୟାରେ ଶାଖା ଗ୍ରାମାଞ୍ଚଳରେ ଖୋଲିବାକୁ ସରକାର ବ୍ୟାଙ୍କ ଗୁଡିକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ଦୀର୍ଘ ବର୍ଷରୁ ସଫଳତାର ସହିତ କାର୍ଯ୍ୟ କରିଆସୁଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ବନ୍ଦ କରାଯିବାକୁ କର୍ତ୍ତୃପକ୍ଷ ନିଷ୍ପତି ନେବାପରେ ଗ୍ରାମାବସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନଯୋଗ୍ୟ ଯେ, ଏହି ବ୍ୟାଙ୍କ ଖୋଲିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୃହ ଯୋଗାଇଦେଇଥିବାବେଳେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତା ଏହି ବ୍ୟାଙ୍କ ଜରିଆରେ କାରବାର କରିଥାନ୍ତି । ବିଶେଷ ଭାବରେ ଗ୍ରାମର ମହିଳା ଓ ଦିବ୍ୟାଙ୍ଗମାନେ ସିଧାସଳଖ ବ୍ୟାଙ୍କକୁ ଆସି ଅର୍ଥ ଜମା ଓ ଉଠାଇଥାନ୍ତି । ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ଶାଖା ଅନେକଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୁରସ୍କୃତ ହୋଇସାରିଛି । କିନ୍ତୁ ବ୍ୟାଙ୍କ କ୍ଷତିରେ ଚାଲୁଥିବା ଆଳ ଦେଖାଇ ବ୍ୟାଙ୍କ କର୍ତ୍ତୃପକ୍ଷ ହଠାତ ଆସନ୍ତା ୨୮ ତାରିଖରୁ ଏହି ଶାଖା ବନ୍ଦ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିବା ଜଣାପଡ଼ିବାପରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ବୁଧବାର ପୂର୍ବାହ୍ନରେ ଶହଶହ ସଂଖ୍ୟାରେ ଗ୍ରାମବାସୀ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବ୍ୟାଙ୍କ ବନ୍ଦ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏହି ବ୍ୟାଙ୍କ ଉପରେ ସରସରା ସମେତ ପାଖାପାଖି ୪ଟି ପଞ୍ଚାୟତର ଉପଭୋକ୍ତାମାନେ ନିର୍ଭର କରୁଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବରେ ଏହି ଶାଖା ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଶାଖା ବନ୍ଦ ହୋଇଗଲେ ଦୈନନ୍ଦିନ ନେଣଦେଣ ପାଇଁ ନିର୍ଭର କରୁଥିବା ମହିଳା ଓ ଦିବ୍ୟାଙ୍ଗମାନଙ୍କୁ ସହରରେ ଥିବା ମୁଖ୍ୟଶାଖାକୁ ଯିବାକୁ ପଡ଼ିବ । ତେଣୁ ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ ଗ୍ରାମରେ ବ୍ୟାଙ୍କ କାର୍ଯ୍ୟ କରିବା ଦ୍ୱାରା ଅନେକ ଲୋକ ଉପକୃତ ହେଉଥିବା ପ୍ରକାଶ କରିଛନ୍ତି । ଯଦି ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟାଙ୍କ ଶାଖା ବନ୍ଦ କରିବା ନିଷ୍ପତିରୁ ନ ଓହରନ୍ତି ତାହେଲେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିବା ସହିତ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହିତ ଯଦି ଉତ୍କଳ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଶାଖା ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରନ୍ତି ତାହେଲେ ବ୍ୟାଙ୍କରେ ଜମାଖାତା ଖୋଲିଥିବା ସମସ୍ତ ଉପଭୋକ୍ତାଙ୍କ ଖାତା ପ୍ରଥମେ ବନ୍ଦ କରନ୍ତୁ ଏବଂ ସେମାନଙ୍କ ଜମା ଅର୍ଥ ଫେରସ୍ତ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିବା ସହିତ ସେହିଦିନ ହିଁ ଗ୍ରାମରେ ଅନ୍ୟ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ଖୋଲାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ନିଷ୍ପତି ସମ୍ପର୍କର୍ରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ ସମ୍ଭବ ହୋଇନଥିବାବେଳେ ବୌଦ୍ଧ ବ୍ୟାଙ୍କର ଶାଖା ପରିଚାଳକ ବ୍ୟାଙ୍କ କ୍ଷତିରେ ଚାଲୁଥିବାରୁ ଏହା ଉପରିସ୍ଥ ଅଧିକାରୀଙ୍କ ନିଷ୍ପତି ବୋଲି ପ୍ରକାଶ କରିଛନ୍ତି। ତେବେ ଗ୍ରାମବାସୀମାନେ ଏ ସମ୍ପର୍କର୍ରେ ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇ ଗ୍ରାମରେ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ବନ୍ଦ ନକରିବାକୁ ଅନୁରୋଧ କରିଥିବା ଜଣାଯାଇଛି।



