ନେପାଳରେ ୯.୪୯ ବିଲିଅନ୍‌ ଟଙ୍କାର ଅଚଳ ନୋଟ

0

ନୂଆଦିଲ୍ଲୀ, ୨୦୧୬, ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣ ଘୋଷଣା କରିବା ପରେ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅଜ୍ଞାନ ବଶତଃ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ବଦଳ କରି ନ ପାରିବା ଯୋଗୁଁ ଅନେକ ନିମ୍ନମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଖରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରହିଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ଆଣିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା । ନେପାଳରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ନିକଟରେ ପ୍ରାୟ ୯.୪୯ ବିଲିୟନ(୧ ବିଲିୟନ୍‌ = ୧୦୦କୋଟି) ଟଙ୍କାର ଅଚଳ ଭାରତୀୟ ମୁଦ୍ରା ରହିଯାଇଛି । ସେଗୁଡ଼ିକୁ ତୁରନ୍ତ ବଦଳ କରିବାକୁ ଶ୍ରୀ ଶର୍ମା ଭାରତୀୟ ପ୍ରତିପକ୍ଷଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଭାରତର ବିମୁଦ୍ରାକରଣ ଘୋଷଣାର ଗୁରୁତର ପ୍ରଭାବ ନେପାଳର ଅର୍ଥନୀତି ଉପରେ ପଡ଼ିଛି । ଦ୍ୱିପାକ୍ଷିକ ଆଲୋଚନା ବେଳେ ଏ ସଂକ୍ରାନ୍ତରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଭାରତୀୟ ଅଧିକାରୀମାନେ ଗୁରୁତ୍ୱ ଦେଇନାହାନ୍ତି ବୋଲି ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶର୍ମା ନେପାଳ ସଂସଦରେ କହିଛନ୍ତି । ଅପରପକ୍ଷରେ ଆରବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନେପାଳ କିମ୍ବା ଅନ୍ୟ କୌଣସି ଦେଶରେ ଥିବା ଅଚଳ ଭାରତୀୟ ନୋଟ୍‌ ବଦଳ କରିବା ପାଇଁ ବିମୁଦ୍ରାକରଣ ସମୟରେ ନିୟମ ରଖାଯାଇ ନ ଥିବାରୁ ଏବେ ତାହା ଗ୍ରହଣ କରାଯାଇପାରିବ ନାହିଁ ।

Leave A Reply