ପିପିଲିରେ ସ୍ଥାୟୀ ସବ୍ରେଜିଷ୍ଟ୍ରାର ନିଯୁକ୍ତି ଦାବି ଜୋର ଧରିଲା
ପିପିଲି ଉପନିବନ୍ଧକ ମୋହରିର ସଂଘର ସାମ୍ବାଦିକ ସମ୍ମିଳନୀ, ୧୦ଦଫା ଦାବି ପୂରଣ ନହେଲେ ଗଣଧାରଣା ଦିଆଯିବ
ପିପିଲି : ପିପିଲି ଉପନିବନ୍ଧକ କାର୍ଯ୍ୟାଳୟ ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ଦୀର୍ଘମାସ ହେବ ଏଠାରେ ସ୍ଥାୟୀ ଉପନିବନ୍ଧକଙ୍କୁ ନିଯୁକ୍ତ କରାଯାଇନାହିଁ । ଯାହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପିପିଲି ଉପନିବନ୍ଧକ ମୋହରିର ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦିଆଯାଇଛି। ୫ଦିନ ମଧ୍ୟରେ ଦାବି ପୂରଣ ନହେଲେ ସଂଘ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
ପିପିଲି ଉପନିବନ୍ଧକ ମୋହରିର ସଂଘ ପକ୍ଷରୁ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଡେଲାଟାଛକ ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ପ୍ରତାପ ଚନ୍ଦ୍ର ଦାସ, ସଂପାଦକ ସୁଶୀଳ କୁମାର ଦାସ, ଉପଦେଷ୍ଠା ତଥା ଆଇନଜୀବୀ ଅନୁପ କୁମାର ପରିଡା, ଆଇନଜୀବୀ ବିଷ୍ଣୁପ୍ରସାଦ ଦାସ ପ୍ରମୁଖ ଅଭିଯୋଗ କରିଥିଲେ ଯେ, ପିପିଲି ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଦୀର୍ଘ ମାସ ଧରି ସ୍ଥାୟୀ ସବ୍ରେଜିଷ୍ଟ୍ରାରଙ୍କୁ ନିଯୁକ୍ତି କରାଯାଇନାହିଁ । ଜମି ରେଜିଷ୍ଟ୍ରେସନ ହେବାର ୩ଦିନ ମଧ୍ୟରେ ଦଲିଲ ପ୍ରଦାନ କରାଯିବାର ନିୟମ ଥିବା ବେଳେ ଏଥିପାଇଁ ୧୦ରୁ ୧୫ ଦିନ ସମୟ ଲାଗୁଛି। ଅଂଶିଦାର ଥିବା ଦଲିଲ ଆଇଜିଆର୍ ନିୟମ ଅନୁଯାଇ ହେବା କଥା କିନ୍ତୁ ତାହା ମଧ୍ୟ ଏଠାରେ ବନ୍ଦ ରହିଛି । ଜମି ରେଜିଷ୍ଟ୍ରସନ କାର୍ଯ୍ୟ ପାଇଁ ଏଠାରେ ଅନ୍ଲାଇନ ଲିଙ୍କ୍ ର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରତ୍ୟେକ ଦିନ ୨ଟାରୁ ୪ଘଣ୍ଟା ଲିଙ୍କ ନଥିବା ଦର୍ଶାଇ ରେଜିଷ୍ଟ୍ରସନ ନିମନ୍ତେ ଆସିଥିବା ଜନସାଧାରଣଙ୍କୁ ଫେରାଇ ଦିଆଯାଉଛି । ଯାହାଦ୍ୱାରା ଜନସାଧାରଣ ଘୋର ଅସୁବିଧାର ସମ୍ମୁଖିନ ହୋଇ ଅସନ୍ତୋଷ ବ୍ୟକ୍ତ କରୁଥିବା ଅଭିଯୋଗ ହୋଇଛି। ଏଠାରେ ଜନସାଧାରଣଙ୍କ ନିମନ୍ତେ ପ୍ରତୀକ୍ଷାଳୟର ବ୍ୟବସ୍ଥା ନଥିବା ବେଳେ ପାନୀୟଜଳ ଓ ଶୌଚାଳୟର ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ଏଠାକୁ ଆସୁଥିବା ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି କାର୍ଯ୍ୟାଳୟର ସରକାରୀ ଜମିକୁ କେତେକ ଲୋକେ ଜବରଦଖଲ କରି ସେଠାରେ ପକ୍କାଘର ନିର୍ମାଣ କରିଥିଲେ ମଧ୍ୟ ତାହାକୁ ଉଚ୍ଛେଦ କରାଯାଉନାହିଁ । ଏଠାକାର ପୁରାତନ ରେକର୍ଡ ରୁମ୍ର ଛାତରୁ ପାଣି ଗଳିବା ଦ୍ୱାରା ପୁରୁଣା ରେକର୍ଡପତ୍ର ନଷ୍ଟ ହେଉଥିବା ବେଳେ ସେଠାରେ ଏକ ଅତ୍ୟାଧୁନିକ ନୂତନ ରେକର୍ଡରୁମ୍ ନିର୍ମାଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ୫ଦିନ ମଧ୍ୟରେ ଦାବି ପୂରଣ ନହେଲେ ସଂଘ ପକ୍ଷରୁ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସଂଘର ସଭାପତି ଶ୍ରୀଦାସ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୌରଭ ରଞ୍ଜନ ମହାନ୍ତି, ନାରାୟଣ ବରାଳ, ସଞ୍ଜୟ ବେହେରା, ସତ୍ୟଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.