ବିଶ୍ୱର ସବୁଠୁ ଶସ୍ତା ସହରରେ ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ

0

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଶସ୍ତା ସହର ତାଲିକାରେ ଭାରତର ରାଜଧାନୀ ଦିଲ୍ଲୀ ସମେତ ବାଙ୍ଗାଲୋର ଏବଂ ଚେନ୍ନାଇ ସ୍ଥାନ ପାଇଛି। ସିରିଆର ଡାମାସ୍କସ୍‌କୁ ବିଶ୍ୱର ସବୁଠାରୁ ଶସ୍ତା ଏବଂ ସିଙ୍ଗାପୁରକୁ ସବୁଠାରୁ ବ୍ୟୟବହୁଳ ସହର ବୋଲି ଦର୍ଶାଯାଇଛି। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ (ଇଆଇୟୁ) ପକ୍ଷରୁ ବିଶ୍ୱରେ ଜୀବନଧାରଣ ଲାଗି ଆବଶ୍ୟକ ଖର୍ଚ୍ଚ ପରିମାଣ ଉପରେ ଏକ ସର୍ଭେ କରାଯାଇଥିଲା। ଦକ୍ଷିଣ ଏସୀୟ ରାଷ୍ଟ୍ର ଭାରତ ଓ ପାକିସ୍ତାନରେ କମ୍‌ ଖର୍ଚ୍ଚରେ ଜୀବନଧାରଣ ଲାଗି ଉତ୍ତମ ବ୍ୟବସ୍ଥା ଉପଲବ୍ଧ ହେଉଥିବା ସର୍ଭେ ରିପୋର୍ଟରେ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ଭାରତର ଅର୍ଥନୈତିକ ଅଭିବୃଦ୍ଧି ଯଦିଓ ଦ୍ରୁତ ଗତିରେ ବୃଦ୍ଧି ପାଉଛି ତଥାପି ମୁଣ୍ଡପିଛା ଆୟ ଏବଂ ବ୍ୟୟ ଦୃଷ୍ଟିକୋଣରୁ ଅଭିବୃଦ୍ଧି ହାର କମ୍‌ ରହିଛି। ଗ୍ରାମାଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣରେ ସାମଗ୍ରୀ ସହରାଞ୍ଚଳକୁ ଯୋଗାଯାଉଥିବା ବେଳେ ସରକାରଙ୍କ ରିହାତି ବ୍ୟବସ୍ଥା ଯୋଗୁ ଏଠାରେ ମୂଲ୍ୟହ୍ରାସ ପାଉଛି। ସବୁଠାରୁ ଶସ୍ତା ୧୦ଟି ସହର ମଧ୍ୟରେ ଡାମାସ୍କସ୍‌ ପରେ ଭେନେଜୁଏଲାର ରାଜଧାନୀ କାରାକସ୍‌, କାଜାଖସ୍ତାନର ବାଣିଜ୍ୟ ପେଣ୍ଠସ୍ଥଳ ଆଲମାଟି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି। ଏହା ପଛକୁ ଲାଗୋସ୍‌, ବାଙ୍ଗାଲୋର, କରାଚୀ, ଆଲଜିଅର୍ସ, ଚେନ୍ନାଇ, ବୁଖାରେଷ୍ଟ ଏବଂ ନୂଆଦିଲ୍ଲୀ ରହିଛି। ସେହିଭଳି ସବୁଠାରୁ ବ୍ୟୟବହୁଳ ସହର ମଧ୍ୟରେ ସିଙ୍ଗାପୁର ପଛକୁ ପ୍ୟାରିସ, ଜୁରିଚ୍‌, ହଂକଂ, ଓସଲୋ, ଜେନେଭା, ସିଓଲ, କୋପେନ୍‌ହେଗାନ, ଟେଲ୍‌ ଅଭିଭ ଏବଂ ସିଡନୀ ରହିଛି।

Leave A Reply