ଘୋଡ଼ା ଚଢିବାରୁ ଦଳିତଙ୍କୁ ହତ୍ୟା ଅଭିଯୋଗ

0

ନୂଆଦିଲ୍ଲୀ : ଅସ୍ପୃଶ୍ୟତା ଭଳି ସାମାଜିକ ବ୍ୟାଧି କବଳିତ ମନୁଷ୍ୟଙ୍କ ଅମାନବୀୟ କାଣ୍ଡର ଆଉ ଏକ କରୁଣ ନିଦର୍ଶନ ଦେଖିବାକୁ ମିଳିଛି ଗୁଜରାଟର ଭାବନଗର ଜିଲାରେ। ଘୋଡ଼ା ପାଳିବା ଏବଂ ଚଢିବା ଅଭିଯୋଗରେ ପ୍ରଦୀପ ରାଠୋର ନାମକ ୨୧ ବର୍ଷ ବୟସ୍କ ଜଣେ ଦଳିତ ଯୁବକଙ୍କୁ ଉଚ୍ଚ ଜାତିର କିଛି ଲୋକେ ପିଟି ପିଟି ହତ୍ୟା କରିଛନ୍ତି। ପୁଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି। ଉମରାଲା ଥାନା ଅନ୍ତର୍ଗତ ଟିମ୍ବି ଗ୍ରାମ ନିବାସୀ ପ୍ରଦୀପ ଦୁଇ ମାସ ପୂର୍ବେ ଏକ ଘୋଡା କିଣି ପାଳିଥିଲେ। ବେଳେ ବେଳେ ସେ ଉକ୍ତ ଘୋଡା ଚଢି ଗାଁ ରାସ୍ତାରେ ଯାତାୟାତ କରୁଥିଲେ। ଏହି ଘଟଣା ଗ୍ରାମର ଉଚ୍ଚ ବର୍ଗର ଲୋକଙ୍କ ଦୃଷ୍ଟିକୁ ଆସିବା ପରେ ଘୋଡା ନ ଚଢିବା ଲାଗି ପ୍ରଦୀପଙ୍କୁ କୁହାଯାଇଥିଲା। ଧମକ ମଧ୍ୟ ଦିଆଯାଇଥିଲା। ଧମକ ମିଳିବା ପରେ ପ୍ରଦୀପ ଘୋଡା ବିକ୍ରି କରିଦେବାକୁ ଚାହୁଁଥିଲେ। ମାତ୍ର ପରିବାର ଲୋକେ ବାରଣ କରିବାରୁ ସେ ଘୋଡାଟିକୁ ବିକି ନ ଥିଲେ। ଏଥିରେ କ୍ରୋଧାନ୍ୱିତ ହୋଇ ଉଚ୍ଚ ବର୍ଗର କିଛି ଲୋକ ତାଙ୍କୁ ଗୁରୁବାର ରାତିରେ ହତ୍ୟା କରିଥିବା ତାଙ୍କ ପିତା କାଳୁଭାଇ ରାଠୋର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଘଟଣା ଦିନ ପ୍ରଦୀପ କ୍ଷେତରୁ ଫେରିବା ପରେ ଘର ଲୋକଙ୍କ ସହିତ ଏକାଠି ଖାଇବେ ବୋଲି କହିଯାଇଥିଲେ। ମାତ୍ର ବହୁ ସମୟ ପର୍ଯ୍ୟନ୍ତ ସେ ଫେରି ନ ଥିଲେ। ରାତି ବହୁତ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜିଥିଲେ। କ୍ଷେତ ନିକଟସ୍ଥ ରାସ୍ତା ପାର୍ଶ୍ବରୁ ତାଙ୍କ ମୃତ ଦେହ ମିଳିଥିଲା। ଏହି ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ତିନି ଜଣଙ୍କୁ ଗିରଫ କରି ପଚରା ଉଚୁରା କରୁଛି। ଏଥିସହିତ ମାମଲାର ତଦନ୍ତ ନିମନ୍ତେ ପୁଲିସ କ୍ରାଇମବ୍ରାଞ୍ଚର ସହାୟତା ମଧ୍ୟ ଲୋଡିଛି।
ଦଳିତଙ୍କ ପ୍ରତି ଅସ୍ପୃଶ୍ୟତା ଜନିତ ମନୋଭାବର ଏଭଳି ଘଟଣା ପ୍ରଥମ ନୁହେଁ। ରବିବାର ଅନ୍ୟ ଏକ ଘଟଣାରେ ଗୁଜରାଟର ଆନନ୍ଦ ଜିଲା ଅନ୍ତର୍ଗତ ଭଦ୍ରାନିଆ ଗ୍ରାମରେ ଗରବା ନୃତ୍ୟ ଦେଖିବା ଅଭିଯୋଗରେ ୨୧ ବର୍ଷୀୟ ଜଣେ ଦଳିତ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଜୟେଶ ସୋଲଙ୍କି ନାମକ ଏହି ଯୁବକ, ତାଙ୍କ ସମ୍ପର୍କୀୟ ପ୍ରକାଶ ସୋଲଙ୍କି ଏବଂ ଅନ୍ୟ ଦୁଇ ଜଣ ଦଳିତ ବ୍ୟକ୍ତିଙ୍କ ସହିତ ମନ୍ଦିର ନିକଟରେ ବସି ଗର୍‌ବା ନୃତ୍ୟ ଦେଖୁଥିଲେ। ଏହି ସମୟରେ ଉଚ୍ଚ ବର୍ଗର ଜଣେ ବ୍ୟକ୍ତି ଦଳିତମାନଙ୍କର ଗର୍‌ବା ଦେଖିବାର ଅଧିକାର ନାହିଁ ବୋଲି କହି କିଛି ଲୋକଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ସମ୍ପୃକ୍ତ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦଳିତ ଯୁବକମାନଙ୍କ ମାଡ଼ ମାରିବା ସହିତ ଜୟେଶଙ୍କ ମୁଣ୍ଡକୁ ପାଚେରିରେ ପିଟି ଦେଇଥିଲେ। ଫଳରେ ଜୟେଶ ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏହି ଘଟଣାରେ ଏକ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଚଳାଇଛି। ସେହିଭଳି ନିଶ ରଖିବା ଅଭିଯୋଗରେ ଏହି ଗ୍ରାମର ଦୁଇ ଜଣ ଦଳିତଙ୍କୁ ସେପ୍ଟେମ୍ବର ୨୫ ଏବଂ ୨୯ରେ ପ୍ରାଣ ହରାଇବାକୁ ପଡିଥିଲା।

Leave A Reply