ଦଲାଇଲାମାଙ୍କ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଧର୍ମଶାଳା : ଚୀନର ବିରୋଧ ସତ୍ତ୍ୱେ ଧର୍ମଗୁରୁ ଦଲାଇଲାମାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇଛନ୍ତି। ଚୀନ ସହିତ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଦଲାଇଲାମାଙ୍କ ଉତ୍ସବରୁ ଦୂରେଇ ରହିବା ଲାଗି ଭାରତ ସରକାର ନିଜର ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ସରକାର ପରବର୍ତ୍ତୀ ସମୟରେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବା ଜଣାଯାଇଛି। କାରଣ ଦଲାଇଲାମାଙ୍କ ସମ୍ମାନାର୍ଥେ ଶନିବାର ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା, ବିଜେପି ସାଧାରଣ ସମ୍ପାଦକ ରାମ ମାଧବ ଯୋଗଦେଇଥିଲେ। ଦଲାଇଲାମାଙ୍କ ନିର୍ବାସନର ୬୦ବର୍ଷ ପୂର୍ତ୍ତି ଉପଲକ୍ଷେ ତିବ୍ବତ ସରକାର ଏହି ଉତ୍ସବ ଆୟୋଜନ କରିଥିଲେ। ଚୀନ ସରକାର ଦଲାଇଲାମାଙ୍କୁ ନିର୍ବାସନ କରିଥିବାବେଳେ ଭାରତ ସରକାର ତାଙ୍କୁ ଆଶ୍ରୟ ଦେଇଥିଲେ। ଦଲାଇଲାମାଙ୍କୁ ଭାରତ ସରକାର ଆଶ୍ରୟ ଦେଇଥିବା କାରଣରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ‘ଥାଙ୍କ ୟୁ ଇଣ୍ଡିଆ’ ନାମରେ ଉତ୍ସବର ଆୟୋଜନ କରାଯାଇଥିଲା। ଡୋକଲାମକୁ ନେଇ ଭାରତ-ଚୀନ ସମ୍ପର୍କରେ ତିକ୍ତତା ରହିଥିବାବେଳେ ଏଥିରେ ସୁଧାର ଆଣିବାକୁ ପ୍ରୟାସ ଚାଲିଛି।