ଚୀନର ଦାବି ଅସତ୍ୟ: ଦଲାଇ ଲାମା ଚୟନ କରିବେ ନିଜ ଉତ୍ତରାଧିକାରୀ, ବଜାୟ ରହିବ ୮୦୦ ବର୍ଷର ପରମ୍ପରା

ଧର୍ମଶାଳା: ପରବର୍ତ୍ତୀ ଦଲାଇ ଲାମା ଚୟନରେ ମୁଣ୍ଡ ପୂରାଉଥିବା ଚୀନକୁ ଶକ୍ତ ଧକ୍କା ମିଳିଛି। ଦଲାଇ ଲାମା ଚୟନ କରିବାର ଅଧିକାର ଚୀନର ରହିଛି ବୋଲି ବେଜିଂ ଦାବି କରିଆସୁଥିବାବେଳେ ଖୋଦ ଦଲାଇ ଲାମା ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ଅସତ୍ୟ ବୋଲି ପ୍ରମାଣିତ କରିଛନ୍ତି। ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଅର୍ଥାତ ପଞ୍ଚଦଶ ଦଲାଇ ଲାମା ଚୟନକୁ ନେଇ ପ୍ରସ୍ତାବ ପାରିତ କରିବା ସହିତ ଏଥିରେ ଚୀନର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି। ଦଲାଇ ଲାମା ହିଁ ତାଙ୍କ ଉତ୍ତରାଧିକାରୀ ଚୟନ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ହିମାଚଳ ପ୍ରଦେଶର ଧର୍ମଶାଳା ସହରରେ ବୁଧବାର ସନ୍ଧ୍ୟାରେ ନିର୍ବାସିତ ତିବ୍ଦତ ସରକାରଙ୍କ ଧର୍ମ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ୩ ଦିନିଆ ତିବ୍ଦତୀୟ ଧାର୍ମିକ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ସାରା ବିଶ୍ଵରୁ ବରିଷ୍ଠ ବୌଦ୍ଧ ଲାମାମାନେ ଯୋଗଦେଇଥିଲେ। ଏଥିରେ ଦଲାଇ ଲାମାଙ୍କ ପୁନର୍ଜନ୍ମକୁ ନେଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଛି। ଏଥିରେ କୁହାଯାଇଛି ଯେ, ଦଲାଇ ଲାମାଙ୍କ ଆଗାମୀ ପୁନର୍ଜନ୍ମ ବିଷୟରେ ନିଷ୍ପତ୍ତି ନେବାର ଅଧିକାର ସମ୍ପୂର୍ଣ୍ଣ ଭାବେ ଦଲାଇ ଲାମାଙ୍କର ରହିବ। କୌଣସି ସରକାର କିମ୍ବା ଅନ୍ୟ ବ୍ୟକ୍ତିଙ୍କ ନିକଟରେ ଏଭଳି କୌଣସି ଅଧିକାର ରହିବ ନାହିଁ। ଯଦି ଚୀନ ସରକାର ଦଲାଇ ଲାମାଙ୍କ ପାଇଁ ଆଶାୟୀଙ୍କୁ ଚୟନ କରେ, ତେବେ ତିବ୍ଦତ ଲୋକମାନେ ତାଙ୍କୁ ଆଶାୟୀଙ୍କ ସମ୍ମାନ ପ୍ରଦାନ କରିବେ ନାହିଁ କି କୌଣସି ମାନ୍ୟତା ମଧ୍ୟ ଦେବେ ନାହିଁ। ସମ୍ମିଳନୀରେ ବରିଷ୍ଠ ବୌଦ୍ଧ ଲାମାମାନେ କହିଥିଲେ ଯେ, ଦଲାଇ ଲାମାଙ୍କ ପୁନର୍ଜନ୍ମକୁ ନେଇ ୮୦୦ ବର୍ଷ ପୁରୁଣା ତିବ୍ଦତୀୟ ବୌଦ୍ଧ ପରମ୍ପରାର ପାଳନ କରାଯିବ। ଏହି ପଦ୍ଧତି ବୁଦ୍ଧଙ୍କ ମୂଳ ଦର୍ଶନ ଅନୁରୂପ ଅଟେ ଏବଂ ୮୦୦ ବର୍ଷ ତଳେ ଏହି ପରମ୍ପରା ତିବ୍ଦତରେ ଆରମ୍ଭ ହୋଇଥିଲା।

Comments are closed.