ମାତିଲେ ସାଇବର ଠକ ; ମାସକରେ ୨.୨୦ କୋଟି ଲୁଟିଲେ

ଭୁବନେଶ୍ୱର : ସାଇବର ଠକେଇରୁ ବର୍ତ୍ତିବା ଲାଗି କମିସନରେଟ ପୁଲିସ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିଥିଲାବେଳେ ସାଇବର ଠକେଇଜନିତ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ମାର୍ଚ୍ଚମାସରେ ସାଇବର କ୍ରାଇମ ହେଲ୍ପ ଡେସ୍କ ମୋଟ ୪୦୫ଟି ଅଭିଯୋଗ ଗ୍ରହଣ କରିଥିଲା। ସେଥି ମଧ୍ୟରୁ ୨୧୭ଟି ୟୁପିଆଇଜନିତ, ୮୩ଟି କ୍ରେଡିଟ/ଡେବିଟ କାର୍ଡ ଏବଂ ୭୦ଟି ସାମାଜିକ ଗଣମାଧ୍ୟମଜନିତ ଅଭିଯୋଗ ଗ୍ରହଣ କରିଥିବାବେଳେ ମୋଟ ୨୭ଟି ଅନ୍ୟାନ୍ୟ ଠକେଇଜନିତ ଅଭିଯୋଗ ହୋଇଥିଲା। ସେଥିମଧ୍ୟରୁ ମୋଟ ୧୪ଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା। ଭୁବନେଶ୍ୱର ସହରାଞ୍ଚଳ ଜିଲାରେ ୨େକାଟି ୨୦ଲକ୍ଷ ୧୭ହଜାର ୮୬୯ଟଙ୍କାର ଠକେଇ ହୋଇଥିବାବେଳେ ଅନଲାଇନ ଟ୍ରେଡିଂ ଓ ପୁଞ୍ଜିନିବେଶରେ ୧େକାଟି ୫୪ ଲକ୍ଷ ୫୮ହଜାର ୧୨୯ଟଙ୍କାର ଠକେଇ ହୋଇଛି। ସେହିପରି ୬୫ଲକ୍ଷ ୫୯ ହଜାର ୭୪୦ଟଙ୍କାର ଓଟିପି, କେୱାଇସି ଓ ଲିଙ୍କ୍‌ଜନିତ ଠକେଇ ରହିଛି। ଗତ ମାସରେ ହୋଇଥିବା ଠକେଇ ମଧ୍ୟରୁ ମୋଟ ୨ଲକ୍ଷ ୯୪ ହଜାର ୯୯୬ଟଙ୍କା ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ହେଲ୍ପ ଡେସ୍କର ମିଳିତ ଉଦ୍ୟମରେ ଅଭିଯୋଗକାରୀଙ୍କୁ ଫେରସ୍ତ ଦିଆଯାଇ ପାରିଥିବା ବେଳେ ୩୦ଲକ୍ଷ ୫୫ହଜାର ୨୮୧ ଟଙ୍କାକୁ ବ୍ଲକ କରାଯାଇ ପାରିଛି। ଅନ୍ୟପଟେ ଟେଲିଗ୍ରାମ ବ୍ୟବହାର ଜରିଆରେ ଠକେଇ କରାଯାଉଥିବା ନୂଆ ତରିକା ମଧ୍ୟ ଧରାପଡ଼ିଛି। ପୁଲିସ କହିବା ମୁତାବକ, ଅନେକ ଶିକ୍ଷିତ ଲୋକଙ୍କୁ ୱାର୍କ ଫମ୍ ହୋମ୍ ବା ଘରୁ କାମ କରି ରୋଜଗାର କରିବାର ଲୋଭ ଦେଖାଇ ଠକୁଛନ୍ତି। ଅଧିକ ଅର୍ଥ ଫେରସ୍ତର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର ଠକ। ପ୍ରଥମ ଜମା ଉପରେ ଆକର୍ଷଣୀୟ ସୁଧ ଦେଉଛନ୍ତି। ଏହା ପରେ ମିଳୁଥିବା ଜମା ସମୂଳ ଆତ୍ମସାତ କରୁଛନ୍ତି। ଏହି ଧରଣର ସର୍ବାଧିକ ୧୪ଟି ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକରେ ୧କୋଟି ଟଙ୍କାରୁ ଅଧିକ ଠକେଇ ହୋଇଛି। ସାଇବର ଥାନା ଗଠନର ଦେଢ଼ ବର୍ଷ ଭିତରେ ଗତ ଅଗଷ୍ଟ ମାସରେ ସର୍ବାଧିକ ଠକେଇ ମାମଲା ରେକର୍ଡ କରାଯାଇଛି। ଏହି ସମୟ ଭିତରେ ଫୋନ୍ କଲ୍‌ ମାଧ୍ୟମରେ ୪୦୫ଟି, ଓଟିପିରେ ୨୧୭, ସାମାଜିକ ଗଣମାଧ୍ୟମ ଜରିଆରେ ୧୦୫ଟି ଠକେଇ ହୋଇଛି। ଚଳିତବର୍ଷ ଜାନୁଆରୀରେ ୧କୋଟି ୮୭ ହଜାର, ଫେବୃଆରୀରେ ୧ କୋଟି ୪୪ ଲକ୍ଷ ଟଙ୍କା ଠକେଇ ହୋଇଥିଲା।

Comments are closed.