BJD Bijuli 480×75 Mob

କ୍ରିକେଟ ବିଶ୍ବକପ୍-୨୦୧୯ : ସେମିଫାଇନାଲ​ରେ ଭାରତ

BJD Bijuli 480×75 Mob

ବର୍ମିଂହାମ୍ : ଚଳିତ ବିଶ୍ବକପ୍‌ରେ ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି ଭାରତ। ମଙ୍ଗଳବାର ବାଂଲାଦେଶକୁ ୨୮ ରନ୍‌ରେ ପରାସ୍ତକରି ଭାରତ ଏହି କୃତିତ୍ବ ହାସଲ କରିଛି। ଓପ୍‌ନର ରୋହିତ ଶର୍ମା ଚଳିତ ବିଶ୍ବକପ୍‌ରେ ବ୍ୟକ୍ତିଗତ ୪ର୍ଥ ଶତକ ହାସଲ କରିବାରୁ ଭାରତର ଏହି ବିଜୟ ସମ୍ଭବ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂକରି ୯ ୱିକେଟରେ ୩୧୪ ରନ୍ କରିଥିଲା। ୧୮୦ ରନ୍‌ର ଓପ୍‌ନିଂ ଯୋଡ଼ି ପରେ ଭାରତ ଶେଷଆଡ଼କୁ ୭୭ ରନ୍‌ରେ ୭ଟି ୱିକେଟ ହରାଇବା ସତ୍ତ୍ବେ ଏହା ସମ୍ମାନଜନକ ସ୍କୋର୍ କରି ପାରିଥିଲା। ପରେ ସାକିବ୍ ଅଲ୍‌ ହାସନ୍ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ବାଂଲାଦେଶ ୪୮ ଓଭରରେ ୨୮୬ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ୮ମ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ୧୩ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ପରେ ୨ୟ ଦଳ ଭାବେ ଭାରତ ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି। ୮ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ପରେ ବାଂଲାଦେଶ ସେମିଫାଇନାଲ ଦୌଡ଼ରୁ ବାଦ୍‌ପଡ଼ିଛି। ଶ୍ରୀଲଙ୍କା ବିପକ୍ଷରେ ଭାରତ ଏବଂ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ଅନ୍ତିମ ମ୍ୟାଚ୍ ଖେଳିବେ।

ଶତକ ପରେ ରୋହିତ ଶର୍ମା

ବାଂଲାଦେଶର ଓପ୍‌ନର ଧିମାଗତିରେ ୩୧୫ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ି ୩୯ ରନ୍ କରିବା ପରେ ଅଭିଜ୍ଞ ତମିମ୍ ଇକ୍‌ବାଲ ୩୧ ବଲ୍‌ରୁ ୩ଟି ଚୌକା ସହ ୨୨ ରନ୍‌କରି ବିଦାୟ ନେଇଥିଲେ। ଅନ୍ୟ ଓପ୍‌ନର ସୌମ୍ୟ ସରକାର ୩୮ ବଲ୍‌ରୁ ୪ଟି ଚୌକା ସହ ୩୩ ରନ୍‌କରି ବିଦାୟ ନେଇଥିଲେ। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ଚଳିତ ବିଶ୍ବକପ୍‌ରେ ବାଂଲାଦେଶର ଦୁଇ ସଫଳ ବ୍ୟାଟ୍‌ସମ୍ୟାନ ସାକିବ୍ ଅଲ୍‌ ହାସନ୍ ଓ ମୁସ୍‌ଫିକୁର ରହିମ୍। ତେ​‌େ​‌ବ ସ୍କୋର୍ ୧୨୧ ରନ୍ ଥିବାବେଳେ ମୁସ୍‌ଫିକୁର ୨୩ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌କରି ବିଦାୟ ନେଇଥିଲେ। ପରେ ଲିଟନ୍ ଦାସଙ୍କ ସହ ସାକିବ୍ ୪୧ ରନ୍ ଯୋଡ଼ିଥିଲେ। ଲିଟନ୍ ୨୪ ବଲ୍‌ରୁ ଗୋଟିଏ ଛକା ସହ ୨୨ ରନ୍‌କରି ବିଦାୟ ନେଇଥିଲେ। ୩୪ତମ ଓଭରରେ ସାକିବ୍ ଅଲ୍‌ ହାସନ୍ ଆଉଟ ହୋଇଯିବା ଯୋଗୁଁ ବାଂଲାଦେଶର ବିଜୟ ଆଶା ମଉଳି ଯାଇଥିଲା। ଚଳିତ ବିଶ୍ବକପ୍‌ରେ ୨ଟି ଶତକ ସହ ୪ର୍ଥ ଅର୍ଦ୍ଧଶତକ ହାସଲ କରିିଥିବା ସାକିବ୍ ୭୪ ବଲ୍‌ରୁ ୬ଟି ଚୌକା ସହ ୬୬ ରନ୍ କରିଥିଲେ। ୧୭୯ ରନ୍‌ରେ ୬ଟି ୱିକେଟ ପଡ଼ିଯିବା ପରେ ସାବିର ରେହ୍‌ମାନ ଓ ମହମ୍ମଦ ସୈଫୁଦ୍ଦିନ ପ୍ରତ୍ୟାକ୍ରମଣ କରିଥିଲେ। ୭ ଓଭରରୁ ୭୦ ରନ୍ ଆବଶ୍ୟକ ଥିବା ବେଳେ ସାବିର ରେହ୍‌ମାନ ଆଉଟ ହୋଇଥିଲେ। ସାବିର ୩୬ ବଲ୍‌ରୁ ୫ଟି ଚୌକା ସହ ୩୬ ରନ୍ କରିଥିଲେ। ମସ୍ରଫି ମୋର୍ତାଜା ୮ ରନ୍‌କରି ବିଦାୟ ନେଇଥିଲେ। ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିଥିବା ସୈଫୁଦ୍ଦିନ୍ ୩୮ ବଲ୍‌ରୁ ୯ଟି ଚୌକା ସହ ୫୧ ରନ୍‌କରି ଅପରାଜିତ ଥିଲେ। ଯଶପ୍ରୀତ ବୁମ୍‌ରା ୪ଟି ଓ ହାର୍ଦିକ ପାଣ୍ଡ୍ୟା ୩ଟି ୱିକେଟ ନେଇଥିଲେ। ରୋହିତ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଭାରତ ଏହି ମ୍ୟାଚ୍‌ରେ ୨ଟି ପରିବର୍ତ୍ତନ କରିଥିଲା। ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ପେସ୍ ବୋଲର ଭୁବନେଶ୍ବର କୁମାର ଏବଂ କେଦାର ଯାଦବଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ଖେଳିଥିଲେ। ପ୍ରଥମ ଓଭରରେ ଛକାମାରି ରୋହିତ ତାଙ୍କ ଇନିଂସ ଆରମ୍ଭ କରିଥିଲେ। ତେବେ ୫ମ ଓଭରରେ ରୋହିତଙ୍କୁ ଜୀବନଦାନ ମିଳିଥିଲା। ତମିମ୍ ଇକ୍‌ବାଲ ତାଙ୍କର ସହଜ କ୍ୟାଚ୍ ଛାଡ଼ିଥିଲେ। ଏହାର ସୁଯୋଗ ନେଇ ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ଅନ୍ୟ ଓପ୍‌ନର କେ.ଏଲ୍‌. ରାହୁଲ ମଧ୍ୟ ଭଲ ଖେଳିଥିଲେ। ଭାରତୀୟ ଓପ୍‌ନିଂ ଯୋଡ଼ି ଓଭର୍ ପିଛା ୬ ରନ୍ ହାରରେ ସ୍କୋର୍ କରିଥିଲେ। ଓପ୍‌ନିଂ ଯୋଡ଼ି ୩୦ତମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବାରୁ ଭାରତ ୩ ଶହ ରନ୍ ଅତିକ୍ରମ କରି ପାରିଥିଲା। ୧୮୦ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ରୋହିତ ଆଉଟ ହୋଇଥିଲେ। ୯୦ ବଲ୍‌ରୁ ରୋହିତ ୨୬ତମ ଦିନିକିଆ ଶତକ ପୂରଣ କରିଥିଲେ। ସେ ୯୨ ବଲ୍‌ ଖେଳି ୫ଟି ଛକା ଓ ୭ଟି ଚୌକା ସହ ୧୦୪ ରନ୍ କରିଥିଲେ। ୩ ଓଭର ପରେ ରାହୁଲ ବିଦାୟ ନେଇଥିଲେ। ରାହୁଲ ୯୨ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୭୭ ରନ୍ କରିଥିଲେ। ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତ୍ ୩୮ ବଲ୍‌ରୁ ୪୨ ରନ୍‌ର ଭାଗିଦାରୀ କରିଥିଲେ। କୋହଲି ୨୭ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍ କରିଥିଲେ। କ୍ରମାଗତ ୫ଟି ଇନିଂସରେ ଅର୍ଦ୍ଧଶତକ ମାରିବା ପରେ ୬ଷ୍ଠ ଇନିଂସରେ କୋହଲି ୫୦ରୁ କମ୍ ସ୍କୋର୍‌ରେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ହାର୍ଦିକ ପାଣ୍ଡ୍ୟା (୦) ଆଉଟ ହୋଇ ଯାଇଥିଲେ। ଋଷଭ ପନ୍ତ୍ ଓ ମହେନ୍ଦ୍ର ସିଂହ ଧୋନି ୪୦ ରନ୍ ଯୋଡ଼ିଥିଲେ। କ୍ରମାଗତ ୨ୟ ଇନିଂସରେ ଭଲ ବ୍ୟାଟିଂ କରିଥିବା ବାମହାତି ପନ୍ତ୍ ୪୧ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୮ ରନ୍ କରିଥିଲେ। ୧୬ ରନ୍‌ରେ ଭାରତ ଶେଷ ୪ଟି ୱିକେଟ ହରାଇଥିଲେ ହେଁ ଧୋନି ଶେଷ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ। ଧୋନି ୩୩ ବଲ୍‌ରୁ ୪ଟି ଚୌକା ସହ ୩୫ ରନ୍ କରିଥିଲେ। ମୁସ୍ତାଫିଜୁର ରେହ୍‌ମାନ ୫ଟି ୱିକେଟ ପାଇଥିଲେ।

Comments are closed.