mission shakti banner

କାବେରୀ ବିକ୍ଷୋଭରେ ସାମିଲ ହେଲେ ତାମିଲ ଅଭିନେତା

nua o banner
0

ଚେନ୍ନଇ : କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ନେଇ କିଛି ଦିନ ହେବ ତାମିଲନାଡୁରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ରବିବାର ଏଠାରେ ତାମିଲ ଚଳଚ୍ଚିତ୍ର ଜଗତର ଅଭିନେତା ଓ ଅଭିନେତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ସୁପରଷ୍ଟାର ରଜିନିକାନ୍ତ, କମଲ ହାସାନ, ବିଜୟ, ଧନୁଷ ଓ ଅନ୍ୟ ଲୋକପ୍ରିୟ ତାମିଲ ତାରକା ସାମିଲ ହୋଇଥିଲେ। ବର୍ତ୍ତମାନ କାବେରୀ ପ୍ରସଙ୍ଗ ନେଇ ତାମିଲନାଡୁ ପରିସ୍ଥିତି ସରଗରମ ହୋଇପଡିଥିବାବେଳେ ଚେନ୍ନଇରେ ଆଇପିଏଲ ମ୍ୟାଚ ଆୟୋଜନ କରାଯିବା ଆଦୌ ଯୁକ୍ତିସଙ୍ଗତ ନୁହେଁ ବୋଲି ରଜିତିକାନ୍ତ କହିଛନ୍ତି। ଏହି ପ୍ରସଙ୍ଗରେ କ୍ଷମତାସୀନ ଏଆଇଏଡିଏମକେ ଠାରୁ ଆରମ୍ଭ କରି ବିରୋଧୀ ଡିଏମକେ ପର୍ଯ୍ୟନ୍ତ ସବୁ ରାଜନୈତିକ ଦଳ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଡିଏମକେ ପକ୍ଷରୁ ଗତ ୫ରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାବେଳେ ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ ଓ ଉପ ମୁଖ୍ୟମନ୍ତ୍ରୀ ଓ.ପନିରସେଲଭାମ ମଧ୍ୟ ଅନଶନରେ ବସିଥିଲେ।
କାବେରୀ ଜଳ ବଣ୍ଟନ ପ୍ରସଙ୍ଗ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବହୁ ଦିନରୁ ବିବାଦ ଲାଗି ରହିଛି। ଗତ ଫେବୃଆରୀ ୧୬ରେ ସୁପ୍ରିମକୋର୍ଟ ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଥିଲେ। ଏଥିରେ କର୍ଣ୍ଣାଟକକୁ ଅଧିକ ୧୪.୭୫ ସହସ୍ର ନିୟୁତ ଘନଫୁଟ ପାଣି ମିଳିବ ବୋଲି କୁହାଯାଇଥିଲା। ଏଥିସହିତ ରାୟ ପ୍ରକାଶ ପାଇବାର ଛଅ ସପ୍ତାହ ମଧ୍ୟରେ କାବେରୀ ପରିଚାଳନା ବୋର୍ଡ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ସୀମା ଅତିକ୍ରାନ୍ତ ହେବାପରେ ତାମିଲନାଡୁ ପକ୍ଷରୁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରାଯାଇଥିଲା। କେନ୍ଦ୍ର ସରକାର ମଧ୍ୟ ଏ ପ୍ରସଙ୍ଗରେ ଉକ୍ତ ଦିନ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ବର୍ତ୍ତମାନ କାବେରୀ ପରିଚାଳନା ବୋର୍ଡ ଗଠନ କରିବା ସମ୍ଭବ ହେଉନାହିଁ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ତିନି ମାସ ଅଧିକ ସମୟ ଲୋଡିଛନ୍ତି। ଆସନ୍ତାକାଲି ଅର୍ଥାତ ସୋମବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ତାମିଲନାଡୁ ସରକାରଙ୍କ ଦ୍ୱାରା ଆଗତ ପିଟିସନର ଶୁଣାଣି କରିବେ।

Leave A Reply