କାବେରୀ ବାଲିରେ ଚାଷୀ ନିଜକୁ ପୋତିଲେ

0

ତ୍ରିଚି : କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗରେ ତାମିଲନାଡୁରେ ଚାଷୀମାନେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି। ତ୍ରିଚି ସହରରେ କାବେରୀ ନଦୀକୂଳରେ କେତେକ ଚାଷୀ ନିଜ ଶରୀରକୁ ବାଲିରେ ପୋତି ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଗଳାରେ ଫୁଲହାର ଓ ଖପୁରୀ ମାଳ ପିନ୍ଧି ବାଲିରେ ଶରୀରର ଅଧାଅଂଶକୁ ପୋତିଥିବା ଲକ୍ଷ୍ୟ କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଅଭିଯାନର ନେତୃତ୍ୱ ନେଇଥିବା ପି.ଆୟାକାନ୍ନୁଙ୍କ ସମେତ ବିକ୍ଷୋଭରେ ସାମିଲ ଥିବା ସବୁ ଚାଷୀଙ୍କୁ ଥାନାକୁ ନେଇଥିଲା।
ଗତବର୍ଷ ଏପ୍ରିଲରେ ତାମିଲନାଡୁର କେତେକ ଚାଷୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ସେମାନେ ନିଜ ଶରୀରରେ ଚାବୁକ ମାଡ କରିବା ସହ ମିଥ୍ୟା ଶବସତ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଚାଷୀମାନେ ଲଣ୍ଡା ହେବାସହିତ ମୁହଁରେ ସାପ କାମୁଡିଥିଲେ। ଏପରିକି ସେମାନେ ତାମିଲନାଡୁରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ଖପୁରି ମଧ୍ୟ ପ୍ରଦର୍ଶନ କରିଥିଲେ। ତାମିଲନାଡୁରେ ଚାଷୀଙ୍କ ଏହି ବିକ୍ଷୋଭକୁ ରାଜ୍ୟର ଅନ୍ୟ ରାଜନୈତିକ ଦଳ ସମର୍ଥନ ଜଣାଉଛନ୍ତି। ତେବେ କାବେରୀ ବିବାଦରେ ପକ୍ଷଭୁକ୍ତ ପଡୋଶୀ କର୍ଣ୍ଣାଟକ ଏଭଳି ବିକ୍ଷୋଭକୁ ସମାଲୋଚନା କରିଛି।
କାବେରୀ ପରିଚାଳନା ବୋର୍ଡ ଗଠନ ପାଇଁ ସୁପ୍ରିମକୋର୍ଟ ଚଳିତବର୍ଷ ଫେବୃଆରୀ ୧୬ରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ରାୟ ପ୍ରକାଶ ପାଇବାର ଛଅ ସପ୍ତାହ ମଧ୍ୟରେ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରାଯିବାକୁ ସୁପ୍ରିମକୋର୍ଟ କହିଥିଲେ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବୋର୍ଡ ଗଠିତ ହୋଇନପାରିବାରୁ ଏହାର ପ୍ରତିବାଦରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି।

Leave A Reply