ନ୍ୟୁଜିଲାଣ୍ଡରେ ୧.୨୬ଲକ୍ଷ ଗାଈଙ୍କୁ ହତ୍ୟା କରାଯିବ

0

ୱେଲିଂଟନ୍‍: ବିଶ୍ୱର ସର୍ବାଧିକ ଦୁଗ୍ଧ ରପ୍ତାନିକାରୀ ରାଷ୍ଟ୍ର ନ୍ୟୁଜିଲାଣ୍ଡରେ ରୋଗ ସଂକ୍ରମଣରୁ ରକ୍ଷା କରିବା ପାଇଁ ୧ଲକ୍ଷ ୨୬ହଜାର ଗାଈଙ୍କୁ ହତ୍ୟା କରାଯିବ। ‘ମାଇକୋପ୍ଳାଜ୍‍ମା ବୋଭିସ୍‍’ ନାମକ ରୋଗରେ ବହୁ ସଂଖ୍ୟାରେ ଗାଈ ସଂକ୍ରମିତ ହେଉଛନ୍ତି। ଏହାର ନିରାକରଣ ପାଇଁ ଦେଶର ସରକାର ୬୧୦ ନିୟୁତ ଡଲାର ବ୍ୟୟ କରିବେ। ଏହି ପରିପ୍ରେକ୍ଷୀରେ ସଂକ୍ରମିତ ଗାଈଙ୍କୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମୟକ୍ରମେ ହତ୍ୟା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ ସୋମବାର ପ୍ରକାଶ କରିଛନ୍ତି। ସାଉଥ୍‍ ଆଇଲାଣ୍ଡ ଅଞ୍ଚଳରେ ଗତ ବର୍ଷ ଜୁଲାଇ ମାସରେ ଏହି ରୋଗ ପ୍ରଥମେ ଏକ ଗୋ-ଫାର୍ମରେ ଠାବ ହୋଇଥିଲା। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହା ଏକ ସାଧାରଣ ରୋଗ ବୋଲି କୁହାଯାଉଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ସରକାର ଏଥିପ୍ରତି ଅଧିକ ଯତ୍ନଶୀଳ ହୋଇଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସରକାରୀ ଭାବେ କୁହାଯାଇଛି। ରୋଗର ମୂଳୋତ୍ପାଟନ ସହିତ ଦୁଗ୍ଧ ଚାଷ ଆଧାରିତ ଅର୍ଥନୀତିକୁ ସୁଦୃଢ଼ ରଖିବା ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ଜାସିଣ୍ଡା କହିଛନ୍ତି। ନିମୋନିଆ ଓ ଆର୍ଥରାଇଟିସ୍‍ ଭଳି ଏହି ରୋଗ ମଣିଷଙ୍କ ପ୍ରତି ବିପଜ୍ଜନକ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave A Reply