www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ଭୂତାଣୁ ଆତଙ୍କ

ପରିବେଶ କହିଲେ ଆମେ ଅଶ୍ମମଣ୍ଡଳ,ବାୟୁମଣ୍ଡଳ, ବାରିମଣ୍ଡଳ ଓ ଜୀବଜଗତର ସମାହାରକୁ ବୁଝିଥାଉ। ଆମ ଜୀବଜଗତରେ କୋଟିକୋଟି ସଂଖ୍ୟାରେ ପଶୁପକ୍ଷୀ, କୀଟ ଓ ଖାଲି ଆଖିରେ ଦେଖି ହେଉ ନଥିବା ଅଣୁଜୀବ, ସୂକ୍ଷ୍ମ ଜୀବାଣୁ ଓ ଭୂତାଣୁ ଆଦି ରହିଥାନ୍ତି। ଭୂତାଣୁ ହେଉଛି ରୋଗଜନକ ଅତିସୂକ୍ଷ୍ମ ଜୀବାଣୁ। ନବବର୍ଷର ଆଗମନ ନେଇ ସାରା ପୃଥିବୀର ଲୋକମାନେ ଖୁସି ଥିଲାବେଳେ ଚୀନ୍‌ର ଉହାନ୍‌ ସହରରେ କରୋନା ଆତଙ୍କ ଦେଖାଦେଇଥିଲା। ଏହି ଭୂତାଣୁ ସଂକ୍ରମଣଜନିତ ରୋଗରେ ଏ ପର୍ଯ୍ୟନ୍ତ କେବଳ ଚୀନ୍‌ରେ ୫୦୦ରୁ ଅଧିକ ଲୋକ ମରିସାରିଲେଣି ଓ ୨୪,୩୨୪ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇସାରିଲେଣି। ସେଠାକାର ପରିସ୍ଥିତି ଏତେ ସାଂଘାତିକ ହେଲାଣି ଯେ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହାକୁ ଗମ୍ଭୀର ବୋଲି ଘୋଷଣା କରିବା ସଙ୍ଗେସଙ୍ଗେ ସେହି ସହରକୁ ଯୋଡ଼ୁଥିବା ସମସ୍ତ ଦୂରଗାମୀ ବସ, ଟ୍ରେନ୍‌ ଓ ଉଡ଼ାଜାହାଜ ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବିଦେଶୀ ରାଷ୍ଟ୍ରମାନେ ନିଜର ଦୂତାବାସର କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଲେଣି। ଚୀନ୍‌ ଡେଇଁ ଏହି ଭୂତାଣୁ ଜାପାନ, ଥାଇଲାଣ୍ଡ, ଆମେରିକା, ଦକ୍ଷିଣ କୋରିଆ, ସିଙ୍ଗାପୁର, ଭିଏତ୍‌ନାମ, କାନାଡ଼ା ଓ ଭାରତକୁ ବ୍ୟାପିଲାଣି।
ଉହାନ ହେଉଛି ଚୀନ୍‌ର ସପ୍ତମ ଜନବହୁଳ ସହର ଯେଉଁଠି ପ୍ରାୟ ୧୧ ନିୟୁତ ଲୋକ ବସବାସ କରନ୍ତି। ସେଠାରେ ଅନେକ ପାଇକାରୀ ବଜାର ଅଛି ଯେଉଁଠି ଦୁଷ୍ପ୍ରାପ୍ୟ କୁକୁର, କୁକୁଡ଼ା, ଶୂକର, ସର୍ପ, ବଣ ବିଲେଇମାନଙ୍କର ମାଂସ ବେଆଇନ୍‌ ଭାବେ ବିକ୍ରି ହୋଇଥାଏ। ମାରାତ୍ମକ କରୋନା ଭୂତାଣୁ ବାଦୁଡ଼ିମାନଙ୍କଠାରୁ ଜନ୍ମ ନେଇ ଜୀବଜନ୍ତୁଙ୍କ ମାଂସ ଜରିଆରେ ମଣିଷ ଶରୀରରେ ପ୍ରବେଶ କରିଥାଏ। ଗୋଟିଏ ସଂକ୍ରମିତ ଲୋକର ଲାଳ, କଫର ସଂସ୍ପର୍ଶରେ ଆସିଲେ ଭଲ ଲୋକକୁ ଏହି ରୋଗ ବ୍ୟାପିଥାଏ।
ସଂକ୍ରମିତ ଉହାନ ସହରର ଲୋକମାନଙ୍କର ଲକ୍ଷଣ, ଯଥା- ଥଣ୍ଡା କାଶ, ଶ୍ବାସପ୍ରଶ୍ବାସ ନଳୀରେ ସଂକ୍ରମଣ ଓ ଫୁସ୍‌ଫୁସ୍‌ରେ ପ୍ରବାହ ତଥା ନିମୋନିଆ ଭଲ ନହେବାରୁ ୩୧ ଡିସେମ୍ବର ୨୦୧୯ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରିଥିଲା। ପରେ ଚୀନ୍‌ ସରକାର ୭ ଜାନୁଆରୀ ୨୦୨୦ରେ ଏହି ଅଜଣା ଭୂତାଣୁ ବିଷୟରେ ବିଶ୍ବବାସୀଙ୍କୁ ସୁନିଶ୍ଚିତ କରାଇ ଏହାର ସାମୟିକ ନାମ ‘୨୦୧୯-ଏନ-କୋ.ଭି’ ବୋଲି ରଖିଲେ ଯାହାର ଗୁଣ ଅନ୍ୟ କୌଣସି ଭୂତାଣୁ ସହିତ ମେଳ ଖାଉ ନଥିଲା। ଏହି ଭୂତାଣୁର ନାମ ଗ୍ରୀକ୍‌ ଶବ୍ଦ ‘କ୍ରାଉନ୍‌’ରୁ ଆସିଛି ଯାହାର ଅର୍ଥ ହେଉଛି ‘ମୁକୁଟ’ ବା ‘ବଳୟ’। ଇଲେ‌େକ୍ଟ୍ରାନ ମାଇକ୍ରୋଗ୍ରାଫ ଚିତ୍ରରେ ଏହି ଭୂତାଣୁ ବଳୟ ପରି ଦେଖାଦେଇଥାଏ। ଏହି ଭୂତାଣୁ ନିଡୋଭିରେଲେସ୍‌ କ୍ରମର, ଅର୍ଥୋ କରୋନାଭିରିନାଏ ଉପ-ପରିବାରର ଓ କରୋନାଭିରିଡାଏ ପରିବାରର ଏକ ଖିଅ ବିଶିଷ୍ଟ ଯୁକ୍ତାତ୍ମକ ରାଇବୋନ୍ୟୁକ୍ଲିକ୍‌ ଅମ୍ଳର ତିଆରି। ଏହାର ଜିନୋମ୍‌ରେ କୁଣ୍ଡଳାକାର ନ୍ୟୁକ୍ଲିଓକାପ୍‌ସିଡ୍‌ ରହିଥାଏ। କଫର ସେରମ୍‌କୁ ଆରଟିପିସିଆର ପରୀକ୍ଷା କରାଇ ଏହି ଭୂତାଣୁକୁ ଆମେ ଚିହ୍ନଟ କରିପାରିବା। ଏହି ଭୂତାଣୁର ଅନ୍ୟ ନିକଟ ସମ୍ପର୍କୀୟ ହେଲେ ମର୍‌ସ୍‌ ଓ ସାର୍‌ସ୍‌ ଭୂତାଣୁ। ମର୍‌ସ୍‌ ଭୂତାଣୁ ୨୦୧୨ରୁ ୨୦୧୮ ମଧ୍ୟରେ ସାଉଦି ଆରବ ଓ ଜୋର୍ଡାନ ଦେଶରେ ବ୍ୟାପିଥିଲା ଯାହାଫଳରେ ସେତେବେଳେ ୭୫୦ ଜଣ ଲୋକ ମରିଥିଲେ। ସେହିଭଳି ସାର୍‌ସ ଭୂତାଣୁ ଚୀନ୍‌ର ଗ୍ବାଙ୍ଗଡଙ୍ଗ୍ ସହରରୁ ନଭେମ୍ବର ୨୦୦୨ରେ ଜନ୍ମ ହୋଇ ୨୦୦୪ ମଧ୍ୟରେ ୩୦ଟି ଦେଶକୁ ବ୍ୟାପିଥିଲା। ଏହାଫଳରେ ୮୦୦୦ ଲୋକ ସଂକ୍ରମିତ ହୋଇଥିଲେ ଓ ୭୭୪ ଜଣ ଲୋକ ପ୍ରାଣ ହରାଇଥିଲେ। ୨୦୧୫,ମାର୍ଚ୍ଚରେ ବ୍ରାଜିଲ୍‌ର ରିଓଡ଼ି ଜେନେରିଓ ସହରରେ ଜିକା ଭୂତାଣୁ ସଂକ୍ରମଣରେ ପ୍ରାୟ ୧୦ହଜାର ଲୋକ ମରିଥିଲେ। ଇବୋଲା ଭୂତାଣୁ ଆଫ୍ରିକୀୟ ଦେଶ ଗିନିଆ, ସେରା ଲିଓନ୍‌ ଓ ଲାଇବେରିଆ ଆଦି ଦେଶରେ ୧୯୭୬ ପରଠାରୁ ସଂକ୍ରମିତ ହୋଇ ୧୧,୦୦୦ରୁ ଅଧିକ ଲୋକଙ୍କର ପ୍ରାଣ ହାନିର କାରଣ ହେଲାଣି। ସେହିପରି ନିପା ଭୂତାଣୁ କବଳରେ ଆସି କେରଳ ସମେତ ମାଲେସିଆ ଓ ଅନ୍ୟ ଦେଶମାନଙ୍କରେ ବହୁତ ଲୋକଙ୍କର ପ୍ରାଣହାନି ଘଟିଲାଣି।
ଧୀରେଧୀରେ ଭୂତାଣୁଜନିତ ମହାମାରୀ ବିଭିନ୍ନ ଦେଶମାନଙ୍କରେ ବହୁତ ପ୍ରାଣହାନି ଘଟାଉଛି। ସଂକ୍ରମଣର କେତେଗୁଡ଼ିଏ କାରଣ ହେଲା ଜଳବାୟୁ ପରିବର୍ତ୍ତନ ଓ ଲୋକଙ୍କ ଖାଇବା ପଦ୍ଧତି। ଜଳବାୟୁରେ ଦୀର୍ଘକାଳୀନ ପରିବର୍ତ୍ତନ ଯୋଗୁଁ କ୍ଷତିକାରକ ଭୂତାଣୁମାନଙ୍କ କାୟା ବିସ୍ତାର ହେଉଛି। ଉହାନ ସହରରେ ଲୋକମାନେ ସଂକ୍ରମିତ ପଶୁ ପକ୍ଷୀମାନଙ୍କୁ ଖାଇଥାଆନ୍ତି। ଯେପରି ମଣିଷମାନଙ୍କର ମାନବିକ ଅଧିକାର ଅଛି, ଠିକ୍‌ ସେହିପରି ପଶୁପକ୍ଷୀମାନଙ୍କ ବଞ୍ଚିବାର ଅଧିକାର ଅଛି। ଆମେ ଯଦି ଆମିଷ ଖାଦ୍ୟ ନ ଖାଇ ନିରାମିଷ ଖାଦ୍ୟ ଖାଇବା ତାହାହେଲେ କରୋନା ଭୂତାଣୁର ସଂକ୍ରମଣ କମିବ ଓ ଜଳବାୟୁ ପରିବର୍ତ୍ତନରେ ଲଗାମ ଲାଗି ପାରିବ।

ଶୈଳେନ୍ଦ୍ର ନାରାୟଣ ସ୍ବାଇଁ
ସରକାରୀ ମହିଳା କନିଷ୍ଠ ମହାବିଦ୍ୟାଳୟ, ସୁନ୍ଦରଗଡ଼

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories