ଯାତ୍ରା ପାଇଁ ସବୁଜ ସଙ୍କେତ, ୨ ହଜାର ଦଶର୍କଙ୍କୁ ମିଳିବ ଅନୁମତି

ଭୁବନେଶ୍ବର: ଆଜି କରୋନା ଲାଗି ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍‌ରେ ଯାତ୍ରା ପାଇଁ କଟକଣା କୋହଳ କରାଯାଇଛି। ଫଳରେ ଯାତ୍ରା ଓ ଅପେରା ପରିବେଷଣ ପାଇଁ ସବୁଜ ସଙ୍କେତ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨ହଜାର ଦର୍ଶକଙ୍କୁ ଅନୁମତି ମିଳିବ। ଜିଲାପାଳ ଓ କମିଶନରଙ୍କ ଅନୁମତି ନେଇ ଯାତ୍ରା ଓ ଅପେରା ପରିବେଷଣ ହୋଇପାରିବ। କରୋନାର ସମସ୍ତ ଗାଇଡ୍‌ଲାଇନ୍‌ ମାନି ଯାତ୍ରା ଓ ଅପେରା ପରିବେଷଣ କରାଯାଇପାରିବ। ଯାତ୍ରା ପରିବେଷଣ ସମୟରେ ସାମାଜିକ ଦୂରତ୍ବ, ମାସ୍କ ପରିଧାନ, ଥର୍ମାଲ୍‌ ସ୍କାନିଂ ବାଧ୍ୟତାମୂଳକ। ସିଟ୍‌ ମଧ୍ୟରେ ୬ଫୁଟ ଦୂରତ୍ବ ରହିବ, ରୋଗାକ୍ରାନ୍ତଙ୍କୁ ଅନୁମତି ମନା। ଇନ୍‌ଫ୍ଲୁଏଞ୍ଜା ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବା ପାଇଁ ଅନୁମତି ମିଳିବ ନାହିଁ। ତେବେ ଯାତ୍ରା ଓ ଅପେରା ଦେଖିବା ପାଇଁ ଅନ୍‌ଲାଇନ୍‌ ଟିକଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଅଧିକରୁ ଅଧିକ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦେଶ ଦିଆଯାଇଛି।

 

ଯାତ୍ରା ଓ ଅପେରା ପରିବେଷଣରେ ଉଲ୍ଲଙ୍ଘନ ହେଲେ ଆୟୋଜକ ଦାୟୀ ରହିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଅପରପକ୍ଷରେ ଯାତ୍ରା, ଅପେରା ଓ ମୁକ୍ତାକାଶ ଥିଏଟର ପ୍ରଦର୍ଶନ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇପାରିବେ। ଏଥିପାଇଁ ସର୍ବାଧିକ ୨ ହଜାର ଲୋକଙ୍କୁ ଅନୁମତି ଦେଇପାରିବେ। କରୋନା କଟକଣା ଉପରେ ଧ୍ୟାନ ରଖି ଅନୁମତି ଦେବାକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରା, ଅପେରା ଓ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶନ ପାଇଁ ଅନୁମତି ଦେବାପରେ କଳାକାର ମହଲରେ ଆନନ୍ଦର ଲହରି ଖେଳିଯାଇଛି।

Comments are closed.