ଏମ୍ସରେ କରୋନା: ୫ ଦିନରେ ୩୫ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ଭୁବନେଶ୍ବର: କରୋନା ଦ୍ବିତୀୟ ଲହର ବ୍ୟାପୀ ଚାଲିଛି। ଭୁବନେଶ୍ବର ଏମ୍ସରେ ଗତ ୫ ଦିନରେ ୩୫ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବାବେଳେ ସେବା ଯୋଗାଇବା କ୍ଷେତ୍ରରେ ଜଟିଳ ପରିସ୍ଥିତି ପରିଲକ୍ଷିତ ହୋଇଛି। ଏମ୍ସରେ ଗତ ୨୫ ତାରିଖରୁ ବହିର୍ବିଭାଗ (ଓପିଡି)ରେ ଚିକିତ୍ସା ସେବା ବନ୍ଦ କରି ଦିଆଯାଇଛି। ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଦୂରଭାଷ ଔଷଧ (ଟେଲି ମେଡିସିନ୍) ଏବଂ ପ୍ରତ୍ୟକ୍ଷ ନିୟନ୍ତ୍ରଣ (ଅନଲାଇନ) ସ୍ବାସ୍ଥ୍ୟ ଆପ୍ରେ ରୋଗୀଙ୍କୁ ଚିକିତ୍ସା ସେବା ଦିଆଯାଉଛି। ହେଲେ ଦୂରଭାଷ ସଂଖ୍ୟା (ମୋବାଇଲ ନମ୍ବର)ରେ ରୋଗୀ ଏବଂ ସମ୍ପର୍କୀୟ ଯୋଗାଯୋଗ କଲେ ପ୍ରାୟ ସମୟ ଦୂରଭାଷ ସଂଖ୍ୟା ଲାଗୁନାହିଁ। ୪ ଥର ଯୋଗାଯୋଗ କଲେ କର୍ମଚାରୀ ଦୂରଭାଷ ଉଠାଉଛନ୍ତି। ଡାକ୍ତର ରୋଗୀଙ୍କୁ କ’ଣ ପରାମର୍ଶ ଦେଉଛନ୍ତି ରୋଗୀ ଏବଂ ସମ୍ପର୍କୀୟ ଠିକ୍ ଭାବେ ବୁଝି ପାରୁନାହାନ୍ତି।

ଯାଁଳା ଅଞ୍ଚଳର ଲକ୍ଷ୍ମୀଧର ସ୍ବାଇଁ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟ ବିଷୟରେ ଡାକ୍ତରଙ୍କୁ ଜଣାଇବା ପାଇଁ ଏମ୍ସ ଦୂରଭାଷ ସଂଖ୍ୟାରେ ଯୋଗାଯୋଗ କରିଥିଲେ। ୨ରୁ ୪ଥର ଯୋଗାଯୋଗ କଲେ ମଧ୍ୟ ଦୂରଭାଷ ଲାଗି ନଥିଲା। ୫ଥର ବେଳକୁ ଦୂରଭାଷ ଲାଗିଲା। ସମସ୍ୟା ସମ୍ପର୍କରେ ଲକ୍ଷ୍ମୀଧର ଡାକ୍ତରଙ୍କୁ ଜଣାଇଥିଲେ। ଡାକ୍ତର କ’ଣ ଔଷଧ ଖାଇବାକୁ ପଡ଼ିବ କହିଲେ; କିନ୍ତୁ ଡାକ୍ତରଙ୍କ କଥାକୁ ଲକ୍ଷ୍ମୀଧର ଠିକ୍ ଭାବେ ବୁଝିପାରି ନଥିଲେ। ଖୋର୍ଦ୍ଧାର ମୋହନ ସେନାପତି ଏମ୍ସରେ ଅେସ୍ତ୍ରାପଚାର ହୋଇଥିଲେ। ଆରୋଗ୍ୟ ହୋଇ ଘରକୁ ଫେରିଥିଲେ। ଔଷଧ ସରିଯିବାରୁ ସେହି ଔଷଧ ଆଉ ଥରେ କିଣି ଖାଇବେ କି ଔଷଧ ପରିବର୍ତ୍ତନ କରିବାକୁ ପଡ଼ିବ ସେ ବିଷୟରେ ଜାଣିବା ପାଇଁ ଏମ୍ସ ଦୂରଭାଷରେ ଯୋଗାଯୋଗ କରିଥିଲେ। ୪ଥର ଦୂରଭାଷ କରିବା ପରେ କର୍ମଚାରୀ ଉଠାଇ ଥିଲେ।

ଅଭିଯୋଗକାରୀଙ୍କ କହିବାନୁଯାୟୀ, ବହିର୍ବିଭାଗରେ ରୋଗୀ ଡାକ୍ତରଙ୍କ ସହିତ ପରାମର୍ଶ କରିବାବେଳେ ଡାକ୍ତର ପୁରୁଣା ଔଷଧ ଚିଠା ଦେଖି ଔଷଧ ଲେଖୁଥିଲେ। ରୋଗୀଙ୍କୁ ଔଷଧ ବିଷୟରେ ଭଲ ଭାବେ ଡାକ୍ତରଙ୍କ ପାଖରୁ ବୁଝି ହେଉଥିଲା। ଦୂରଭାଷ ଏବଂ ସ୍ବାସ୍ଥ୍ୟ ଆପ୍ ମାଧ୍ୟମରେ ଚିକିତ୍ସା ସେବା ଉପଲବ୍ଧ ଥିବାରୁ ଗ୍ରାମାଞ୍ଚଳ ଏବଂ ପ୍ରତ୍ୟକ୍ଷ ନିୟନ୍ତ୍ରଣ ବ୍ୟବହାର ଜାଣି ନଥିବା ଲୋେକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏମ୍ସ ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରାୟ ୨୦୦୦ ରୋଗୀ ସ୍ବାସ୍ଥ୍ୟ ଆପ୍ ଜରିଆରେ ଚିକିତ୍ସା ପାଇଛନ୍ତି। ପ୍ରଥମ ଏବଂ ଦ୍ବିତୀୟ ଲହରକୁ ମିଶାଇ ଗୁରୁବାର ସୁଦ୍ଧା ମୋଟ ୮୦ ହଜାର ରୋଗୀ ଦୂରଭାଷ ସଂଖ୍ୟାକୁ ଯୋଗାଯୋଗ କରି ଚିକିତ୍ସା ସେବା ପାଇଲେଣି। ପ୍ରଥମ ଲହରରେ ଯେଉଁଭଳି ଏମ୍ସ ସ୍ବାସ୍ଥ୍ୟ କର୍ମୀ ରୋଗୀ ଏବଂ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଥିଲେ ଅନୁରୂପ ଭାବେ ଦ୍ବିତୀୟ ଲହରରେ ସ୍ବାସ୍ଥ୍ୟ କର୍ମୀ ରୋଗୀ ଏବଂ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଛନ୍ତି। ଦୈନିକ ୫ରୁ ୬ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀ ଆକ୍ରାନ୍ତ ହେଉଛନ୍ତି। ଏପ୍ରିଲ ୨୫ରୁ ୨୯ ତାରିଖ ସୁଦ୍ଧା ଏମ୍ସର ୩୫ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେଲେଣି। ଫଳରେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ଜଟିଳ ହୋଇ ପଡ଼ିଲାଣି ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

Comments are closed.