ଚାଷୀଙ୍କୁ ମିଳିବ ୧୦୦୦କୋଟି ଟଙ୍କାର ମିଆଦୀ ଋଣ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:କୃଷକଙ୍କୁ ସଶକ୍ତିକରଣ କରିବା ଏବଂ ସେମାନଙ୍କୁ ଚାଷ ସମ୍ପର୍କିତ ସଚେତନତା କରି ଋଣ ଯୋଗାଇ ଦେବା ଆଭିମୁଖ୍ୟ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସଚିବାଳୟରେ ଅପରାହ୍ନରେ ସମବାୟ ବିଭାଗ ପକ୍ଷରୁ ଏନେଇ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କୃଷିଋଣ ପ୍ରଦାନ କରିବାରେ ଓଡ଼ିଶା ବହୁ ଆଗରେ ରହିଛି। ଓଡ଼ିଶାରେ ଶତକଡା ୬୫ପ୍ରତିଶତ ଭାଗ ସମବାୟ ସମିତି ଜରିଆରେ ଚାଷୀଙ୍କୁ ଋଣ ଯୋଗାଇ ଦିଆଯାଉଛି। ଏହାବାଦ୍ ୧ପ୍ରତିଶତ ସୁଧ ହାରରେ ଋଣ ଯୋଗାଇ ଦିଆଯାଉଥିବାବେଳେ ଚଳିତବର୍ଷଠାରୁ ୧୦୦୦କୋଟି ଟଙ୍କାର ମିଆଦି ଋଣ ଯୋଗାଇ ଦିଆଯିବ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ଋଣ ପ୍ରଦାନକୁ ସରଳୀକରଣ କରାଯାଇଛି। ଯୁଗ୍ମ ଦେୟ ଗୋଷ୍ଠୀ(ଜେଏଲ୍ଜି) ଗଠନ କରିବା ଲାଗି ନାବାର୍ଡ ସହିତ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚାଷୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୃଷିଋଣ ସାଙ୍ଗକୁ ରୂପେ କିଶାନ କାର୍ଡ, ଆଧୁନିକ ଗୋଦାମ ଗୃହ ଓ ଖଳା ଆଦି ବ୍ୟବସ୍ଥା କରାଯାଇଥିବାବେଳେ ସେମାନଙ୍କ ଉତ୍ପାଦିତ ଫସଲର ବିକ୍ରିବଟା ଲାଗି ଇ-ନିଲାମୀ ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କ ନିକଟରେ ଯେଭଳି ଏହି ସମସ୍ତ ପ୍ରକାର ସୁବିଧା ପହଞ୍ଚିପାରିବ ସେଥିପାଇଁ ଜୁନ୍ ପହିଲାରୁ ଜୁଲାଇ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହାଦ୍ୱାରା ଆଗାମୀ ଦିନରେ ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ ଏବଂ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ବୈଠକରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ରାଜ୍ୟରେ ୨୭୦୩ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀଙ୍କୁ ୠଣ ଯୋଗାଇ ଦିଆଯିବ । ପ୍ରତ୍ୟେକ ପାକ୍ସ ୧୦ଟି ଲେଖାଏଁ ଜେଏଲ୍ଜି ଗଠନ କରି ଋଣ ଯୋଗାଇବେ। ରାଜ୍ୟରେ ୫୫ଲକ୍ଷ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ୭୨୦୦କୋଟି ଟଙ୍କାର ଋଣ ଦେବେ। ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ବଦ୍ଧ ପରିକର ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।
ଏହି ଅବସରରେ ନାବାର୍ଡର ସିଜିଏମ୍ ଡ. କେ ସି ପାଣିଗ୍ରାହୀ ଓ ସରକାରଙ୍କ ପକ୍ଷରୁ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦେଶକ ଟି କେ ପଣ୍ଡାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ପରେ କଳାହାଣ୍ଡି,ବ୍ରହ୍ମପୁର ଜେଏଲ୍ଜି ଗ୍ରୁପ୍ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଜନାର ସୁଫଳ ସମ୍ପର୍କରେ ଅବଗତ କରାଇଥିଲେ। ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ବାଲେଶ୍ୱରର ପୁରୁଷୋତ୍ତମ ପୁର, ଢ଼େଙ୍କାନାଳର କଲମ ଛୁଇଁ ଓ କେନ୍ଦୁଝରର ହରିଚନ୍ଦନପୁର ସମବାୟ ସମିତିକୁ ପୁରସ୍କୃତ କରାଯାଇଥିଲା।
ବୈଠକରେ ସମବାୟ ବିଭାଗ ସଚିବ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ , ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ, ଏପିସି ଗଗନ ଧଳ, ଗୃହବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ସଚିବ ସୌରଭ ଗର୍ଗ ଓ ନାବାର୍ଡ ଏବଂ ସମବାୟ ବ୍ୟାଙ୍କର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।