www.samajalive.in
Sunday, December 14, 2025
23.1 C
Bhubaneswar

କର୍ଣ୍ଣାଟକ ନିର୍ବାଚନ : ସଫଳତା ଦେଲା ସମ୍ମିଳିତ ଲଢ଼େଇ

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନରେ ବିପୁଳ ବିଜୟ କଂଗ୍ରେସ ପାଇଁ ସଞ୍ଜୀବନୀ ହୋଇଛି। ନିକଟ ଭବିଷ୍ୟତରେ ଥିବା ରାଜସ୍ଥାନ ଓ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତଥା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ଶକ୍ତି ସଞ୍ଚାର କରିବାର ସୁଯୋଗ ପାଇଛି। ଅପରପକ୍ଷରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଏହା ଶକ୍ତ ଧକ୍କା ହୋଇଛି। ଏହି ପରିପ୍ରେକ୍ଷୀରେ ବିଜୟ-ପରାଜୟର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
-କଂଗ୍ରେସ ସମସ୍ତ ଗୋଷ୍ଠୀ ବିବାଦକୁ ପଛରେ ପକାଇ ସମ୍ମିଳିତ ଭାବେ ଲଢ଼ିବା ବିଜୟର ପ୍ରମୁଖ କାରଣ ବୋଲି କୁହାଯାଉଛି। ଦୁଇ ନେତା ଶିବକୁମାର ଓ ସିଦ୍ଧରାମୟା ମିଳିତ ଭାବେ ଲଢ଼େଇର ନେତୃତ୍ବ ନେବା ମତଦାତାଙ୍କୁ ପ୍ରଭାବିତ କରିଛି। ସେମାନଙ୍କ ମିଳନକୁ ଚମତ୍କାର ଭାବେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିବାରେ ଦଳ ସଫଳ ହୋଇଛି।
-ନିର୍ବାଚନ ଇସ୍ତାହାରରେ କଂଗ୍ରେସ ଦେଇଥିବା ୫ ଗ୍ୟାରେଣ୍ଟି ମହିଳା ଓ ଯୁବ ମତଦାତାଙ୍କ ଉପରେ ପ୍ରଭାବ ପକାଇଛି। ମାଗଣା ବିଦ୍ୟୁତ୍‌, ବେକାର ଯୁବକ ଓ ପରିବାରର ମୁଖ୍ୟ ମହିଳାଙ୍କୁ ଭତ୍ତା, ମାଗଣା ୧୦କିଲୋ ଚାଉଳ, ମହିଳାଙ୍କୁ ମାଗଣା ବସ୍‌ ଯାତ୍ରା ଆଦିର ଗ୍ୟାରେଣ୍ଟି ଦେବା ସହ ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନେବାର ପ୍ରତିଶ୍ରୁତି ଦେଇଛି। ବିଜେପି ସହିତ ଥିବା ଏହି ଦୁଇ ଭୋଟ ବ୍ୟାଙ୍କକୁ କଂଗ୍ରେସ ନିଜ ପକ୍ଷକୁ ଅାଣିପାରିଛି।
-କଂଗ୍ରେସ ନିର୍ବାଚନରେ କେବଳ ସ୍ଥାନୀୟ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଉଥିବାବେଳେ ବିଜେପି ଏହାଠାରୁ ଦୂରେଇ ରହିଥିଲା। କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ବିଜେପି ମାଗଣା ସଂସ୍କୃତି କହି ସମାଲୋଚନା କରିଥିଲା ଓ କେବଳ ଜାତୀୟ ପ୍ରସଙ୍ଗ ଉପରେ ଜୋର୍‌ ଦେଇଥିଲା। ଏସବୁ ଦାନା ଧରିନଥିଲା। କଂଗ୍ରେସର ସବୁଠୁ ବଡ଼ ଅସ୍ତ୍ର ଥିଲା ଦୁର୍ନୀତି। ବିଜେପି ସରକାରକୁ ଏହା ‘୪୦% କମିସନ୍‌ ସରକାର’ କହି ତୀବ୍ର ଆକ୍ରମଣ କରିଥିଲା। ସବୁଠୁ ବଡ଼ କଥା ହେଉଛି, ରାହୁଲ ଗାନ୍ଧୀ ଆଦାନୀ ପ୍ରସଙ୍ଗ ଆଦୌ ଉଚ୍ଚାରଣ କରିନଥିଲେ; ବରଂ ଲୋକଙ୍କ ସହ ଅଧିକ ମିଶିଥିଲେ। ନିର୍ବାଚନରେ ବିଜେପି କେନ୍ଦ୍ରୀୟ ଓ ଅନ୍ୟ ରାଜ୍ୟର ନେତାଙ୍କୁ ଅଧିକ ସଂଖ୍ୟାରେ ନିୟୋଜିତ କରିଥିଲାବେଳେ କଂଗ୍ରେସ କେବଳ ସ୍ଥାନୀୟ ନେତାଙ୍କ ଉପରେ ଭରସା କରିଥିଲା। ବିଜ୍ଞାପନରେ ମଧ୍ୟ କେବଳ ସିଦ୍ଧରାମୟା ଓ ଶିବକୁମାରଙ୍କ ଫଟୋ ସ୍ଥାନ ପାଇଥିଲା।
-ବଜରଙ୍ଗ ଦଳ ପ୍ରସଙ୍ଗରେ ପ୍ରଥମେ କଂଗ୍ରେସ ଅଡ଼ୁଆରେ ପଡ଼ିଥିଲେ ମଧ୍ୟ ଏହି ଯୋଜନା ସଫଳ ହୋଇଥିଲା। ମୁସଲମାନ ଭୋଟ୍‌ ସମ୍ପୂର୍ଣ୍ଣ ଭାବେ କଂଗ୍ରେସକୁ ମିଳିଥିଲା। ବିବାଦ ପରିପ୍ରେକ୍ଷୀରେ କଂଗ୍ରେସ କିଛିଟା ଭୁଲ୍‌ କରିଥିବା ସ୍ବୀକାର କରିଥିଲେ ମଧ୍ୟ ପଛକୁ ନ ହଟିବା ଉଲ୍ଲେଖନୀୟ ଥିଲା। ବଜରଙ୍ଗ ଦଳ ପ୍ରସଙ୍ଗକୁ ବିଜେପି ବଜରଙ୍ଗବାଲିଙ୍କ ସହ ଯୋଡ଼ିବା ବୁମେରାଂ ହେଲା। ବିଜେପିର ହିନ୍ଦୁତ୍ବ କାର୍ଡ ମଧ୍ୟ ଘାତକ ସାବ୍ୟସ୍ତ ହେଲା।
-୧୯୮୫ ପରଠାରୁ କର୍ଣ୍ଣାଟକବାସୀ କେବଳ ୨୦୦୪ ଓ ୨୦୧୮କୁ ବାଦ୍‌ ଦେଲେ ପ୍ରତି ନିର୍ବାଚନରେ ସରକାର ବଦଳାଇବା ପରମ୍ପରା ରଖିଆସିଛନ୍ତି। ଏଥିମଧ୍ୟରେ କଂଗ୍ରେସ ଦୁଇ ଥର ମେଣ୍ଟ ସରକାରରେ ସାମିଲ ହୋଇଛି। ତେବେ ୨୦୧୮ ତୁଳନାରେ ଦଳ ଏଥର ୫ପ୍ରତିଶତ ଅଧିକ ଭୋଟ୍‌ ପାଇଛି। ବିଜେପିର ବିକଳ୍ପ ଭାବେ କଂଗ୍ରେସ ଏଥର ବିଜୟ ଲାଭ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଜନତାଙ୍କ ସରକାର ବଦଳ ଚିନ୍ତାଧାରାରୁ ବିଜେପି ନିଜକୁ ରକ୍ଷା କରିପାରି ନାହିଁ।
-କଂଗ୍ରେସ ଦୁଇ ପ୍ରମୁଖ ଚେହେରା ନିର୍ବାଚନକୁ ନିୟନ୍ତ୍ରଣ କରୁଥିବାବେଳେ ବିଜେପି ସେଭଳି ବ୍ୟକ୍ତିତ୍ବଙ୍କୁ ସମ୍ମୁଖକୁ ଆଣିପାରିନଥିଲା। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପ୍ରଦର୍ଶନ ମଧ୍ୟ ଭଲ ନଥିଲା। ନୂଆ ନେତାଙ୍କୁ ଆଣିବା ଆଳରେ ବରିଷ୍ଠ ନେତାଙ୍କୁ ଦଳ ଏଡ଼ାଇ ଦେଇଥିବାବେଳେ ଏହା ମହଙ୍ଗା ପଡ଼ିଥିଲା। ପ୍ରଭାବଶାଳୀ ଲିଙ୍ଗାୟତ ଏହାଦ୍ବାରା ଦଳଠାରୁ ଦୂରେଇ ଯାଇଥିଲେ। ଏହା ଛଡ଼ା ‘ପରିବାରବାଦ’ ବିଜେପିକୁ ଅଡ଼ୁଆରେ ପକାଇଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories