ସିଫାରେ ତଫସିଲଭୁକ୍ତ ଜାତିର ମହିଳାମାନଙ୍କୁ ରଙ୍ଗୀନ ମାଛଚାଷ ପ୍ରଶିକ୍ଷଣ
ପିପିଲି: କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ସାମର୍ଥ୍ୟ ବିକାଶ ନିମନ୍ତେ ଏସ୍ସିଏସ୍ପି ପ୍ରକଳ୍ପ ମାଧ୍ୟମରେ ରଙ୍ଗୀନ ମାଛଚାଷ ଉପରେ ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡେରାବିଶ ବ୍ଲକ୍ର ଜୟଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଓ କେନ୍ଦ୍ରପଡ଼ା ଓମ୍ ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀର ତଫସିଲଭୁକ୍ତ ଜାତିର ୨୫ ଜଣ ମହିଳାଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ସଂପର୍କରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।
କଲେଜ ଅଫ୍ ଫିସରିଜ୍ର ପୂର୍ବତନ ନିର୍ଦ୍ଦେଶକ ତଥା ଏମିରଟସ୍ ବୈଜ୍ଞାନିକ ଡଃ କସ୍ତୁରୀ ସାମନ୍ତରାୟ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଏସ୍ସିଏସ୍ପି ପ୍ରକଳ୍ପ ମାଧ୍ୟମରେ ରଙ୍ଗୀନ ମାଛଚାଷର ଉନ୍ନତି ପାଇଁ ସିଫା ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ପ୍ରଶିକ୍ଷଣରୁ ରଙ୍ଗୀନ ମାଛଚାଷର ମୌଳିକ କାର୍ଯ୍ୟଗୁଡ଼ିକ ଭଲ ଭାବରେ ଶିଖିଗଲେ ମହିଳାମାନେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଏସ୍ସିଏସ୍ପି ପ୍ରକଳ୍ପର ଅଧ୍ୟକ୍ଷ ତଥା ପ୍ରଧାନ ବୈଜ୍ଞାନିକ ଡଃ ହିମାଂଶୁ କୁମାର ଦେ, ପ୍ରଧାନ ବୈଜ୍ଞାନିକ ଡଃ ଆଶିଷ ସାହା ଓ ଡଃ ସତ୍ୟନାରାୟଣ ସେଠୀ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିବା ବେଳେ ଏହି ଅବସରରେ ଡଃ କସ୍ତୁରୀ ସାମନ୍ତରାୟଙ୍କୁ ସିଫାର ନିର୍ଦ୍ଦେଶକ ସମ୍ମାନୀତ କରିଥିଲେ। ପ୍ରଶିକ୍ଷାର୍ଥୀଙ୍କୁ ରଙ୍ଗୀନ ମାଛଚାଷର କୌଶଳ, ଉଭୟ ଶାବକ ଜନ୍ମ ଦେଉଥିବା ଓ ଅଣ୍ଡା ଦେଉଥିବା ମାଛର ପ୍ରଜନନ, ପାଣିର ଗୁଣବତ୍ତା ପରୀକ୍ଷା, ପ୍ଲାଙ୍କଟନ୍ ସଂଗ୍ରହ, ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ଓ ରୋଗ ପରିଚାଳନା, ବାରିପଟେ ରଙ୍ଗୀନ ମାଛଚାଷର କୌଶଳ ଇତ୍ୟାଦି ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ବ୍ୟବହାରିକ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବା ସହିତ ସିଫାର ରଙ୍ଗୀନ ମାଛଚାଷ ୟୁନିଟ୍ ଭ୍ରମଣ କରିବାକୁ ନିଆଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବୈଜ୍ଞାନିକ ସୁନିଲ ଅଇଲ ସଂଯୋଜନା କରିଥିଲେ।
Comments are closed.