ସିଆଇସିଙ୍କ ସହ ଇସିଙ୍କ ମତଭେଦ : ରାଜନୈତିକ ଦଳଗୁଡିକ ଆରଟିଆଇ ଆଇନର ଊର୍ଦ୍ଧ୍ବରେ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଓ ଭାରତୀୟ ନିର୍ବାଚନ ଆୟୋଗ (ଇସି)ଙ୍କ ମଧ୍ୟରେ ମତଭେଦ ହୋଇଛି। ରାଜନୈତିକ ଦଳଗୁଡିକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରରେ ରଖିବାକୁ ନେଇ ଦୁଇ ଆୟୋଗଙ୍କ ମଧ୍ୟରେ ଏପରି ମତଭେଦ ହୋଇଛି। ଦେଶର ୬ଟି ଜାତୀୟ ରାଜନୈତିକ ଦଳକୁ ଆରଟିଆଇ ପରିସରଭୁକ୍ତ କରିବା ଲାଗି ସିଆଇସି ନିର୍ଦେଶ ଦେଇଥିବାବେଳେ ଇସି ଏହାକୁ ଅଗ୍ରାହ୍ୟ କରିଛନ୍ତି। ରବିବାର ନିର୍ବାଚନ ଆୟୋଗ ତାଙ୍କର ନିର୍ଦେଶନାମାରେ କହିଛନ୍ତି ଯେ ରାଜନୈତିକ ଦଳଗୁଡିକ ଆରଟିଆଇ ଆଇନର ଊର୍ଦ୍ଧ୍ବରେ।
ନିର୍ବାଚନ ଆୟୋଗଙ୍କ ଏପରି ନିର୍ଦେଶ ବିବାଦ ଘେରକୁ ଆସିଛି। ଗୋଟିଏ ପଟେ ନିର୍ବାଚନ ଆୟୋଗ ଆରଟିଆଇ ଆବେଦନକାରୀଙ୍କ ଆବେଦନ ଉପରେ ଉତ୍ତର ଦେଉଛନ୍ତି। ଅନ୍ୟପଟେ କହୁଛନ୍ତି ରାଜନୈତିକ ଦଳଗୁଡିକ ଆରଟିଆଇ ଆଇନର ଊର୍ଦ୍ଧ୍ବରେ। ୨୦୧୩ ଜୁନ୍‍ ୩ରେ ସିଆଇସିଙ୍କ ପୂର୍ଣ୍ଣକାଳୀନ ବେଞ୍ଚର ନିଷ୍ପତ୍ତି କ୍ରମେ ବିଜେପି, କଂଗ୍ରେସ, ବିଏସପି, ଏନସିପି, ସିପିଆଇ ଓ ସିପିଏମ୍‍ ଭଳି ୬ଟି ରାଜନୈତିକ ଦଳକୁ ଆରଟିଆଇ ଆଇନ ପରିସରଭୁକ୍ତ କରାଯାଇଥିଲା। ସିଆଇସିଙ୍କ ଏହି ନିର୍ଦେଶକୁ ଉଚ୍ଚତର ଅଦାଲତରେ ଚାଲେଞ୍ଜ କରାଯାଇ ନଥିଲା; ମାତ୍ର ରାଜନୈତିକ ଦଳଗୁଡିକ ଆରଟିଆଇ ଆବେଦନ ଉପରେ ଉତ୍ତର ଦେବାକୁ ମନା କରିଥିଲେ। ସିଆଇସିଙ୍କ ନିୟମକୁ ଅମାନ୍ୟ କରିବା ନେଇ ଅନେକ ସୂଚନା ଅଧିକାର କର୍ମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓ ମାମଲା ଏବେ ବିଚାରାଧୀନ ରହିଛି। ସିଆଇସି ୬ଟି ରାଜନୈତିକ ଦଳକୁ ଆରଟିଆଇ ଆଇନ ପରିସର କରିଥିବାବେଳେ ନିର୍ବାଚନ ଆୟୋଗ ଏହାକୁ ଅମାନ୍ୟ କରିପାରିବେ ନାହିଁ। ଯେ ପର୍ଯ୍ୟନ୍ତ ସିଆଇସିଙ୍କ ନିର୍ଦେଶକୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ରଦ୍ଦ କରି ନାହାନ୍ତି ସେ ପର୍ଯ୍ୟନ୍ତ ଇସି ଏହାକୁ ବିରୋଧ କରି ପାରିବେ ନାହିଁ ବୋଲି ପୂର୍ବତନ ମୁଖ୍ୟ ସୂଚନା ଅଧିକାର କମିଶନର ଏନ୍‍ ତିୱାରି କହିଛନ୍ତି। ପ୍ରମୁଖ ସୂଚନା ଅଧିକାରୀ କର୍ମୀ ଭେଙ୍କଟେଶ ନାୟକ କହିଛନ୍ତିଯେ ଇସିଙ୍କ ପବ୍ଲିକ ଇନଫରମେସନ ଅଫିସର ଏପରି ନିର୍ଦେଶ ଦେଇ ନିଜର ସୀମା ଲଙ୍ଘନ କରିଛନ୍ତି। ଏ ବାବଦରେ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ମୁଖ୍ୟ ସଚିବ କେ ଏଫ୍‍ ୱିଲଫ୍ରେଡ କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳ ଆରଟିଆଇ ପରିସରଭୁକ୍ତ ନୁହନ୍ତି।
ପୁଣେସ୍ଥିତ ସୂଚନା ଅଧିକାର କର୍ମୀ ବିହାର ଧ୍ରୁବେ ତାଙ୍କ ଆବେଦନରେ ବିଜେପି, କଂଗ୍ରେସ, ବିଏସପି, ଏନସିପି, ସିପିଆଇ, ସିପିଏମ୍‍ ୬ଟି ରାଜନୈତିକ ଦଳ ନୂଆ କରି ଆରମ୍ଭ ହୋଇଥିବା ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ କେତେ ଅର୍ଥ ସଂଗ୍ରହ କରିଛନ୍ତି ତାର ସବିଶେଷ ତଥ୍ୟ ଲୋଡିଛନ୍ତି। ତେବେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକ କେତେ ଅର୍ଥ ସଂଗ୍ରହ କରିଛନ୍ତି ସେ ସମ୍ପର୍କରେ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ତେଣୁ ଇଲେକ୍ଟ୍ରୋରାଲ ବଣ୍ଡ ସମ୍ପର୍କରେ ଇସିଙ୍କ ନିକଟରେ ଏବେ କୌଣସି ସୂଚନା ନାହିଁ।

Leave A Reply