ଚୌଦ୍ୱାର: ଚୌଦ୍ବାର ମଣ୍ଡଳ କାରାଗାରରେ ଗୁରୁବାର ଭୋର ସମୟରେ ଦୁଇ ବିଚାରାଧୀନ ବନ୍ଦୀ ସୁଉଚ୍ଚ କାନ୍ଥ ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଖସି ପଳାଇବାକୁ ସକ୍ଷମ ହୋଇଥିବା ଘଟଣା ଗୁମର ଖୋଲୁଛି। ସେଲ୍ର ଲୁହା ରଡ କାଟିବା ପାଇଁ ଏକାଧିକ ନୂଆ ଆରି ବ୍ୟବହାର ହୋଇଥିବା ଏବଂ ଏହାକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଲୁଚା ଯାଇ ରଖାଯାଇଥିବା ଜଣାପଡ଼ିଛି। ସେହିପରି ଲୁହାରଡ଼ କାଟିବା ସମୟରେ ଯେଭଳି ଶବ୍ଦ ନ ହେବ ସେଥିପାଇଁ କୌଣସି ଉନ୍ନତ ଜ୍ଞାନକୌଶଳ ବଦଳରେ ଦରଜ ଉପଶମ ପାଇଁ ବ୍ୟବହାର ହେଉଥିବା ମଲମ ବା ଜେଲ୍ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି। ସେହିପରି ଓଜନ କମାଇବା ପାଇଁ କିଛି ଦିନ ପୂର୍ବରୁ ଏମାନେ କମ ପରିମାଣର ଖାଦ୍ୟ ଖାଉଥିବା ବେଳେ ପାଣି ଅଧିକ ପିଉଥିଲେ। ଏପରିକି ଫେରାର ପୂର୍ବ ରାତିସାରା ଆଦୌ ଶୋଇ ନଥିବା ମଧ୍ୟ ସୂଚନା ରହିଛି। ଗୋଟିକ ପରେ ଗୋଟିଏ ଏତେସବୁ ଘଟଣା ଘଟି ଚାଲିଥିଲେ ମଧ୍ୟ ଜେଲ କର୍ତ୍ତୃପକ୍ଷ ଏସବୁର ସାମାନ୍ୟତମ ସୁରାକ ପାଇନଥିଲେ ନା ଜାଣିଶୁଣି ଏସବୁକୁ ଚପାଇ ରଖିଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏ େନଇ େଜଲରଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଦୁଇ ଅପରାଧୀ ଖସିଯିବାର ୬ ଦିନ ବିତି ସାରିଥିବା ବେଳେ ଏ ସଂକ୍ରାନ୍ତରେ ପୁଲିସ କିମ୍ବା ଜେଲ ପକ୍ଷରୁ ଏଯାବତ ସାମାନ୍ୟତମ ସୂଚନା ପ୍ରଦାନ କରାଯାଉନାହିଁ। ତେବେ ପୁଲିସ ତଦନ୍ତ ସମୟରେ ବହୁ ଗୋପନ ତଥ୍ୟ ହସ୍ତଗତ କରିଥିବା ଜଣାପଡ଼ିଛି।
ଜେଲ କାନ୍ଥରୁ ଓହଳି ଖସିବା ବେଳେ ଓଜନ ହେତୁ କାଳେ ଦଉଡ଼ି ଛିଣ୍ଡି ଯିବ ଓ ଯୋଜନା ପଣ୍ଡ ହୋଇଯିବ ସେଥିପାଇଁ ସେମାନେ କିଛି ଦିନ ଆଗରୁ କମ୍ ପରିମାଣର ଖାଦ୍ୟ ଖାଉଥିଲେ। ରାତ୍ରିରେ ପ୍ରାୟତଃ ସେମାନେ ଖାଦ୍ୟ ଖାଉ ନଥିଲେ। ୱାର୍ଡେନ ଓ ଖାଦ୍ୟ ଦେଉଥିବା କର୍ମଚାରୀଙ୍କ ଦୃଷ୍ଟିରୁ ବଞ୍ଚିବା ପାଇଁ ପାଇଖାନା ଭିତରେ ସେସବୁ ଫୋପାଡି ପାଣି ଢାଳି କୌଣସି ଚିହ୍ନ ରଖୁ ନଥିଲେ। ତେବେ ଅନ୍ୟ ଦିନଗୁଡ଼ିକ ଭଳି ଥାଳି ଧୋଇବାକୁ ସେଲ ବାହାରେ ରହିଥିବା ପାଣି କୁଣ୍ଡ ନିକଟକୁ ଆସୁଥିଲେ। ସେହିପରି ଲୁହା ରଡ଼ରେ ମଲମ ଲଗାଇ କାଟିବା ସମୟରେ ଯେତିକି ବି ଶବ୍ଦ ହେଉଥିଲା ତାହା ଯେଭଳି ଜଣା ନ ପଡ଼ିବ ସେଥିପାଇଁ ମନୋରଞ୍ଜନ ପାଇଁ ଲଗା ଯାଇଥିବା ଟିଭିର ଶବ୍ଦକୁ ବଢ଼ାଇ ରଖୁଥିଲେ। ଅନ୍ୟପଟେ ଯେତିକି ଲୁହା କଟୁଥିଲା ସେଥିରେ ମଲମକୁ ଭର୍ତ୍ତି କରି ଦେଉଥିଲେ। ଏହାରି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜେଲ ପରିସରରେ ଲାଗିଥିବା ସିସି କ୍ୟାମେରା ଗୁଡ଼ିକର ସଠିକ ନିରୀକ୍ଷଣ ଓ ରୀତିମତ ତନଖି ହେଉନଥିବା ମଧ୍ୟ ସୂଚନା ରହିଛି। ଫଳସ୍ୱରୁପ କ୍ୟାମେରା ଗୁଡିକୁ ଉପରମୁହାଁ ସହ ଆଗରେ କାଗଜ ପଟି ଦ୍ୱାରା ଆଚ୍ଛାଦିତ କରାଯାଇଥିଲେ ସୁଦ୍ଧା ଜେଲ୍ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଇ ନଥିଲେ।
ଅସମର୍ଥିତ ସୂଚନା ଅନୁସାରେ ଅପରାଧୀ ଦ୍ୱୟ ଉକ୍ତଦିନ ଖସି ପଳାଇବା ପରେ କୌଣସି ଗାଡ଼ିରେ ବିହାର ଅଞ୍ଚଳକୁ ପଳାଇଥିବା ଅନୁମାନ କରାଯାଇଛି। ତଦନ୍ତକାରୀ ଅଧିକାରୀ ଓ ସ୍ବତନ୍ତ୍ର ଦଳ ରାଜ୍ୟର ସମସ୍ତ ଟୋଲ ଗେଟ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବଜାର ଘାଟ ଆଦି ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ ହେଁ ସେଭଳି କିଛି ବିଶେଷ ସୂଚନା ପାଇପାରି ନାହାନ୍ତି। ଅପରପକ୍ଷେ ବିହାର ବେଗୁସରାଇରେ ଡେରା ପକାଇଥିବା ସ୍କ୍ବାଡ ହାତରେ ମଧ୍ୟ ସେପରି କିଛି ସୁରାକ ମିଳିନଥିବା ଜଣାପଡ଼ିଛି।



