ରାଜନୀତିର ଆଧ୍ୟାତ୍ମିକରଣ ଗୋଖଲେଙ୍କ ଲକ୍ଷ୍ୟ ଥିଲା
ଶିଶୁ ସଦନରେ ଗୋପାଳକୃଷ୍ଣ ଗୋଖଲେ ଜୟନ୍ତୀ
ଚୌଦ୍ୱାର : ପ୍ରଖ୍ୟାତ ରାଷ୍ଟ୍ରନାୟକ, ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଗୁରୁ,ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ ସେବକ ସଂଘର ପ୍ରତିଷ୍ଠାତା ଗୋପାଳକୃଷ୍ଣ ଗୋଖଲେଙ୍କ ୧୫୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶିଶୁ ସଦନସ୍ଥିତ ଲକ୍ଷ୍ମୀନାରାୟଣ ସ୍ମୃତି ମଣ୍ଡପରେ ଆୟୋଜିତ ଉତ୍ସବରେ ଉତ୍କଳ ସମ୍ମିଳନୀର ଉପସଭାପତି ଶିକ୍ଷାବିତ୍ ଡଃ. ସୁରେନ୍ଦ୍ର ମୋହନ ମିଶ୍ର ଅତିଥିଭାବେ ଯୋଗ ଦେଇ ଗୋଖଲେଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରିବା ସହିତ ରାଜନୀତିରେ ନୈତିକତା ଓ ଆଧ୍ୟାତ୍ମିକରଣ ଗୋଖଲେଙ୍କ ଲକ୍ଷ୍ୟ ଥିଲା ବୋଲି ମତ ବ୍ୟକ୍ତ କରିଥିଲେ। ଭାରତର ସ୍ୱାଧିନତା ସଂଗ୍ରାମ ପାଇଁ ମହାତ୍ମା ଗାନ୍ଧୀଙ୍କୁ ପ୍ରେରଣା ଯୋଗାଇ ଗୋଖଲେ ସ୍ୱାଧୀନତା ସଂଗ୍ରାମର ସୂତ୍ରଧର ସାଜିଥିଲେ ବୋଲି ଡ. ମିଶ୍ର ମତ ରଖିଥିଲେ। ଶିକ୍ଷାବିତ୍ ଡଃ. ବାବାଜୀ ଚରଣ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଗୋଖଲେଙ୍କ ଜୀବନର ବହୁମୁଖୀ ଦିଗ ଓ ତାଙ୍କ ଆଦର୍ଶ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ ଅନୁଷ୍ଠାନର ବିଭିନ୍ନ ସେବାକାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ।ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଜେଡି ନଗର ସଭାପତି ବିଷ୍ଣୁ ଚରଣ ପରିଡା, ବରିଷ୍ଠ ସାମ୍ବାଦିକ ସତ୍ୟରାୟ, ମାଧବ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ରାଜନେତା, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଘର ଓଡିଶା ଶାଖା ବରିଷ୍ଠ ସଦସ୍ୟ ରମାକାନ୍ତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ସଦନର ପିଲାମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଶିଶୁସଦନର ସମସ୍ତ କର୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.