ଶ୍ରେଷ୍ଠ ଧନୁର୍ଦ୍ଧାରୀ, ଅର୍ଜୁନଙ୍କ ସମକକ୍ଷ ଯୋଦ୍ଧା ବୋଲି ଆକଳନ କରି କୁରୁପତି ଦୁେର୍ଯ୍ୟାଧନ ମିତ୍ର ଭାବରେ ବରଣ କରିନେଇଥିଲେ ସୁତପୁତ୍ର ରାଧେୟଙ୍କୁ। ଅଙ୍ଗଦେଶର ରାଜା ଭାବେ ଘୋଷଣା କରିବାସହ ବରଣ କରି ନେଇଥିଲେ ଅନ୍ତରଙ୍ଗ ମିତ୍ର ଭାବରେ। ଅର୍ଜୁନଙ୍କର ଘୋର ବିଦ୍ବେଷୀ ଥିଲେ କର୍ଣ୍ଣ। ତେଣୁ ଦୁେର୍ଯ୍ୟାଧନ ନିଶ୍ଚିତ ଥିଲେ ଯେ ପାଣ୍ଡବମାନଙ୍କର ବିନାଶରେ ସେ ପ୍ରମୁଖ ଅସ୍ତ୍ର ହେବେ। ମିତ୍ର କର୍ଣ୍ଣ ଯେ ଗୁରୁ ପରଶୁରାମଙ୍କ କଠୋର ଅଭିଶାପର ଦୁର୍ବିସହ ବୋଝ୍ ମୁଣ୍ଡାଇ ଚାଲିଛନ୍ତି, ଏହା ଭୁଲି ଯାଇଥିଲେ। ମହାଭାରତ ଯୁଦ୍ଧର ସପ୍ତଦଶ ଦିବସ। ଅର୍ଜୁନଙ୍କ ସହ ଯୁଦ୍ଧରତ ଥିବା ସମୟରେ ରକ୍ତ କର୍ଦମାକ୍ତ ଯୁଦ୍ଧ ଭୂମିରେ କର୍ଣ୍ଣଙ୍କ ରଥ ଚକ ଭୂପତିତ ହୋଇଥିଲା। ଏକାକୀ ଚକକୁ ଉଠାଇବା ନିମନ୍ତେ ରଥରୁ ଓହ୍ଲାଇ ଆସିଥିଲେ। ରଥ ଉପରେ ଅସ୍ତ୍ର ରଖି ଚକ ଉଠାଉଥିବା ସମୟରେ ଶ୍ରୀକୃଷ୍ଣ ଇଙ୍ଗିତ କରି କହିଥିଲେ- ‘ସଖା! ଏ ସୁଯୋଗ ଆଉ ଆସିବ ନାହିଁ। ଏହାର ସଦ୍ବ୍ୟବହାର କର। ଏହି ମୁହୂର୍ତ୍ତରେ ଶର ଚାଳନା କରି କର୍ଣ୍ଣଙ୍କୁ ହତ୍ୟାକର।’
ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ବାଣବର୍ଷଣ କରିବାକୁ ମଧ୍ୟମ ପାଣ୍ଡବ ଉଦ୍ୟତ ହୁଅନ୍ତେ ତାଙ୍କୁ ଏଥିରୁ ବିରତ ରହିବା ଉଦ୍ଦେଶ୍ୟରେ କର୍ଣ୍ଣ କହିଥିଲେ- ‘ଅସ୍ତ୍ରଚାଳନାରୁ କିଛିକ୍ଷଣ ବିରତ ରୁହ। ମୁଁ ନିଃଶସ୍ତ୍ର ଅବସ୍ଥାରେ ମାଟିରୁ ଚକ ଉଠାଉଛି। ପ୍ରତିପକ୍ଷର ନିରସ୍ତ୍ର ଯୋଦ୍ଧାସହ ଯୁଦ୍ଧ କରିବା ନୀତିବିରୁଦ୍ଧ। ଏହା ଯୁଦ୍ଧ ନୀତିର ଉଲ୍ଲଙ୍ଘନ। ଯେ ପର୍ଯ୍ୟନ୍ତ ଭୂମିରୁ ରଥଚକ ନ ଉଠାଇଛି ଅନ୍ତତଃ ସେ ପର୍ଯ୍ୟନ୍ତ ମୋତେ ସମୟ ଦିଅ।’ ଶ୍ରୀକୃଷ୍ଣ କିନ୍ତୁ ଏହା ଶୁଣିବା ଅବସ୍ଥାରେ ନଥଲେ। ଅର୍ଜୁନଙ୍କୁ ଚେତାଇ ଦେଇ କହିଥିଲେ- ‘କର୍ଣ୍ଣଙ୍କର ଏହି ଧର୍ମଜ୍ଞାନ ଓ ନୀତିବାଣୀ ପୂର୍ବରୁ କେଉଁଠି ଥିଲା। ଜତୁଗୃହ ଦହନ, ଭୀମଙ୍କୁ ବିଷଲଡ଼ୁ ପ୍ରଦାନ, ଦ୍ରୌପଦୀଙ୍କ ବସ୍ତ୍ରହରଣ, ଆଉ ସବୁଠୁ ଜଘନ୍ୟତମ ଅଭିମନ୍ୟୁକୁ ସପ୍ତରଥୀ ଏକତ୍ର ଆକ୍ରମଣ କରି ମାରିବାବେଳେ ଧର୍ମ, ନୀତିଜ୍ଞାନ କେଉଁଠି ଥିଲା?
ଏବେ ସଙ୍କଟକ୍ଷଣରେ କର୍ଣ୍ଣଙ୍କ ତୁଣ୍ଡରୁ ଧେର୍ମାପଦେଶ ବାହାରୁଛି।’ ଅଭିମନ୍ୟୁଙ୍କ ହତ୍ୟା କଥା ମନେ ପକାଇଦେବାରୁ ଅର୍ଜୁନ ଭୟଙ୍କର କ୍ରୋଧିତ ହୋଇ କର୍ଣ୍ଣଙ୍କ ଉପରେ ଧାରା ଶ୍ରାବଣର ବାରିଧାରା ପରି ତୀରବର୍ଷଣ କରିଥିଲେ। ତୀରାଘାତରେ ମହାଭାରତ ଯୁଦ୍ଧର ଅନ୍ୟତମ ଶ୍ରେଷ୍ଠ ଯୋଦ୍ଧା ଧରାଶାୟୀ ହୋଇଯାଇଥିଲେ। ଲାଞ୍ଛନା, ତିରସ୍କାରର ଦୁର୍ବିସହ ଭାରକୁ ନେଇ ବଞ୍ଚି ରହିଥିବା, ମିତ୍ର ପାଇଁ ଜୀବନ ଦେବାକୁ ପଣ କରିଥିବା ଏହି ମହାଯୋଦ୍ଧାଙ୍କ ଅଭିଶପ୍ତ ଜୀବନର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏଥିସହ ସାକାର ହୋଇଥିଲା ଗୁରୁ ପରଶୁରାମଙ୍କ ଅଭିଶାପ-‘ତୋର ପରିଚୟ ଗୋପନ ରଖି ମୋଠାରୁ ଯୁଦ୍ଧବିଦ୍ୟା ଶିକ୍ଷା କଲୁ, ହେଲେ ସଂକଟକ୍ଷଣରେ ଅନ୍ତ୍ର ପ୍ରୟୋଗ ବିଧି ତୁ ଭୁଲିଯିବୁ।’



