ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ପ୍ରତି ଘଟିଥିବା ଗଣଦୁଷ୍କର୍ମ ଘଟଣା ପୁଣି ଥରେ ଦେଶବ୍ୟାପୀ ମହିଳା ସୁରକ୍ଷାର ସାମଗ୍ରିକ ଚିତ୍ର ଉପରେ ଗଭୀର ପ୍ରଶ୍ନ ଚିହ୍ନ ଲଗାଇଛି। ଏହି ନିନ୍ଦନୀୟ ଘଟଣା କେବଳ ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରଶ୍ନ କରୁନାହିଁ, ବରଂ ଏହା ସମଗ୍ର ଦେଶରେ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସା ଏବଂ କୋହଳ ସୁରକ୍ଷା ବ୍ୟବସ୍ଥାର କଠୋର ବାସ୍ତବତାକୁ ସାମ୍ନାକୁ ଆଣିଛି। ଗତବର୍ଷ କଲକାତାର ଆର୍ଜି କର୍ ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ୨୦୧୨ର ନିର୍ଭୟା ଘଟଣା, ହାଥରସ କାଣ୍ଡ ଭଳି ଅନେକ ଦୁର୍ଭାଗ୍ୟଜନକ ଘଟଣା ପ୍ରମାଣିତ କରୁଛି ଯେ ମହିଳାଙ୍କ ସୁରକ୍ଷା ଦିଗରେ ଆମେ ଆଜି ବି ବହୁତ ପଛରେ। ଯେତେବେଳେ ଜଣେ ଛାତ୍ରୀ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଅନ୍ୟ ଏକ ସହରକୁ ଯାଆନ୍ତି, ସେତେବେଳେ ତାଙ୍କ ପରିବାର ଓ ସମାଜ ତାଙ୍କ ସୁରକ୍ଷା ପାଇଁ ଆଶ୍ୱସ୍ତ ରୁହନ୍ତି। ଏଭଳି ସ୍ଥିତିରେ କଲେଜ କ୍ୟାମ୍ପସ ନିକଟରେ ହିଁ ଏଭଳି ଜଘନ୍ୟ କାଣ୍ଡ ଘଟିବା ଶିକ୍ଷାନୁଷ୍ଠାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, କ୍ୟାମ୍ପସରେ ଉପଯୁକ୍ତ ସୁରକ୍ଷା ନଥିଲା, ଯାହା ଅପରାଧୀମାନଙ୍କୁ ଏଭଳି କାଣ୍ଡ ଘଟାଇବାକୁ ସାହସ ଦେଇଛି। ଏହା କେବଳ ଏହି କଲେଜ ନୁହେଁ, ବରଂ ଦେଶର ଅଧିକାଂଶ ଶିକ୍ଷାନୁଷ୍ଠାନ ଏବଂ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ସୁରକ୍ଷା ପ୍ରତି ଅବହେଳାକୁ ସୂଚାଉଛି। କିଛି ବର୍ଷ ତଳେ ରାଜଧାନୀ ଦିଲ୍ଲୀରେ ଘଟିଥିବା ନିର୍ଭୟା ଘଟଣା ପରେ ମହିଳା ସୁରକ୍ଷାକୁ ନେଇ ସାରା ଦେଶରେ ଏକ ବିରାଟ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ସରକାର ଅନେକ ନୂଆ ଆଇନ ଏବଂ କଡ଼ା ଦଣ୍ଡବିଧାନର ବ୍ୟବସ୍ଥା କଲେ। ଏହା ସତ୍ତ୍ୱେ ମଧ୍ୟ ମହିଳାଙ୍କ ବିରୋଧରେ ଅପରାଧ କମିବାର ନାଁ ନେଉନାହିଁ, ଯାହା ଏକ ଚିନ୍ତାଜନକ ବିଷୟ। ମହିଳାଙ୍କ ପ୍ରତି ଅପରାଧ ରୋକିବାରେ ପ୍ରଶାସନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୁଲିସ, ସ୍ଥାନୀୟ ପ୍ରଶାସନ ଏବଂ ନ୍ୟାୟ ବ୍ୟବସ୍ଥାକୁ ଅଧିକ ଦୃଢ଼ ଓ ସମ୍ବେଦନଶୀଳ ହେବାକୁ ପଡ଼ିବ। ଅପରାଧୀମାନଙ୍କୁ ତୁରନ୍ତ ଧରି କଠୋର ଦଣ୍ଡ ଦେଲେ ଅନ୍ୟ ଅପରାଧୀମାନଙ୍କ ମନରେ ଭୟ ସୃଷ୍ଟି ହେବ। ପଶ୍ଚିମବଙ୍ଗର ଏହି ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ଜାତୀୟ ମହିଳା କମିସନ ମଧ୍ୟ ସ୍ୱତଃ ନିଜ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଏହି ପଦକ୍ଷେପ ଗୁଡ଼ିକ ସ୍ୱାଗତ ଯୋଗ୍ୟ; କିନ୍ତୁ ଏଭଳି ଘଟଣା ଘଟିବା ପରେ କାର୍ଯ୍ୟାନୁଷ୍ଠାନ ନେବା ଅପେକ୍ଷା ଏହାକୁ ରୋକିବା ପାଇଁ ପ୍ରତିକାରମୂଳକ ପଦକ୍ଷେପ ଅଧିକ ଗୁରୁତ୍ୱପୂର୍ଣ୍ଣ। କେବଳ ଆଇନଗତ ବ୍ୟବସ୍ଥା ନୁହେଁ, ସାମାଜିକ ସ୍ତରରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। ପୁରୁଷ ଏବଂ ମହିଳା ଉଭୟଙ୍କ ମଧ୍ୟରେ ସମାନତା, ସମ୍ମାନ ଏବଂ ସମ୍ବେଦନଶୀଳତା ବୃଦ୍ଧି କରିବାକୁ ହେବ। ପରିବାର, ବିଦ୍ୟାଳୟ ଏବଂ ସାମାଜିକ ପ୍ରତିଷ୍ଠାନଗୁଡ଼ିକ ମାଧ୍ୟମରେ ଏହି ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ଏକ ସୁରକ୍ଷିତ ତଥା ସମତାଯୁକ୍ତ ସମାଜ ଗଠନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସରକାର, ପ୍ରଶାସନ, ସମାଜ ଏବଂ ବ୍ୟକ୍ତିବିଶେଷ –ସମସ୍ତେ ମିଶି କାର୍ଯ୍ୟ କଲେ ହିଁ ମହିଳାଙ୍କ ପ୍ରତି ହିଂସା କମିବ। ଏହି ଅସମାପ୍ତ ସଂଗ୍ରାମକୁ ଜିତିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଅପରିହାର୍ଯ୍ୟ।



