ଚୀନର ମହାନ୍ ସନ୍ଥ କନ୍ଫ୍ୟୁସିୟସ ପ୍ରାୟଶଃ ଏକାନ୍ତରେ ରହିବାକୁ ଭଲ ପାଉଥିଲେ। ନିର୍ଜନ ସ୍ଥାନର ଶାନ୍ତ ପରିବେଶ ଧ୍ୟାନ-ଚିନ୍ତନ-ମନନ ପାଇଁ ପ୍ରକୃଷ୍ଟ ସ୍ଥାନ, ସର୍ବାଧିକ ଉପଯୁକ୍ତ ଥିବାରୁ ଏହିଭଳି ସ୍ଥାନରେ ଅଧିକାଂଶ ସମୟ ବିତାଉଥିଲେ। ସେଦିନ ଜଙ୍ଗଲ ଉପକଣ୍ଠସ୍ଥ ଏକ ନିରୋଳା ପରିବେଶରେ ଚିନ୍ତନରେ ମଗ୍ନ ଥିଲାବେଳେ ପାଖରେ ଥିବା ମାର୍ଗ ଦେଇ ଚୀନ ସମ୍ରାଟ ପଟୁଆରରେ ଯାଉଥାନ୍ତି। ତାଙ୍କ ନଜରରେ ପଡ଼ିଥିଲେ କନଫ୍ୟୁସିୟସ।
ଧ୍ୟାନମଗ୍ନ ଅବସ୍ଥାରେ ଥିବା କନ୍ଫ୍ୟୁସିୟସଙ୍କୁ ଦେଖି ତାଙ୍କ ମନକୁ ଆସିଲା ଏକାନ୍ତ ସ୍ଥାନରେ ବସିଥିବା ଏଇ ବ୍ୟକ୍ତିଜଣକ କିଏ, ସେ କ’ଣ କରୁଛନ୍ତି? ନିକଟକୁ ଆସି କନ୍ଫ୍ୟୁସିୟସଙ୍କୁ କିଛି ସମୟ ନିରୀକ୍ଷଣ କରି ପ୍ରଶ୍ନ କରିଥିଲେ- ‘ଆପଣ କିଏ?’ ‘ମୁଁ ସମ୍ରାଟ’- କହିଥିଲେ କନ୍ଫ୍ୟୁସିୟସ। ‘ସମ୍ରାଟ!’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏହା ଶୁଣି ଖୋଦ ସମ୍ରାଟ। ବିସ୍ମିତ ହୋଇ କହିଥିଲେ- ‘ସମ୍ରାଟ ତ ମୁଁ ନିଜେ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛି। ମୋତେ ଦେଖ। ମୋ ପାଖରେ ସେନା ଅଛନ୍ତି। ସଂଖ୍ୟାଧିକ ସେବକ ଅଛନ୍ତି। ସମ୍ରାଟ ହିସାବରେ ମୋ ପାଖରେ ଅପାର ଧନସମ୍ପଦ ଅଛି। ହାତୀ, ଘୋଡ଼ା, ରଥ ସବୁ କିଛି ଅଛି। ତୁମ ନିକଟରେ ତ ଏସବୁ କିଛି ବି ନାହିଁ। ଏଥିରେ ତୁମେ ସମ୍ରାଟ ହେଲ କିପରି? ବଡ଼ ବିଚିତ୍ର କଥା କହୁଛନ୍ତି!’
କନ୍ଫ୍ୟୁସିୟସ ହସିହସି କହିଥିଲେ- ‘ସେନା ସେହିମାନଙ୍କର ଆବଶ୍ୟକ ହୋଇଥାଏ, ଯେଉଁମାନଙ୍କର ଶତ୍ରୁ ଥାଆନ୍ତି। ଶତ୍ରୁ କବଳରୁ ନିଜକୁ ସୁରକ୍ଷିତ ରଖିବାପାଇଁ ସେନାର ଆବଶ୍ୟକତା ଥାଏ। ମୋର କେହି ବି ଶତ୍ରୁ ନାହାନ୍ତି, ଏହି କାରଣରୁ ମୋ ପାଇଁ ସେନାର କିଛି ଆବଶ୍ୟକତା ନାହିଁ। ଯେଉଁମାନେ କର୍ମକୁଣ୍ଠ, ଆଳସ୍ୟପରାୟଣ ସେମାନଙ୍କର ସେବକ ଆବଶ୍ୟକ ହୋଇଥାନ୍ତି କାମ କରିବା ନିମନ୍ତେ। ସେମାନେ କାର୍ଯ୍ୟ ନିର୍ବାହ ପାଇଁ ଅସମର୍ଥ ଥା’ନ୍ତି। ଏହି ଦୃଷ୍ଟିରୁ ମୋର ସେବକର ଆବଶ୍ୟକତା ନାହିଁ। ଧନ-ସମ୍ପଦ କଥା କହୁଛନ୍ତି। ଏହା ଦରିଦ୍ରମାନଙ୍କର ଅତି ଜରୁରୀ ଆବଶ୍ୟକତା। ମୁଁ ଦରିଦ୍ର ନୁହେଁ। ମୋ ପାଖରେ ସନ୍ତୋଷ ରୂପୀ ମହାଧନ ଅଛି। ଏବେ ଆପଣ ନିଜେ କୁହନ୍ତୁ ଅସଲ ସମ୍ରାଟ କିଏ ମୁଁ ନା ଆପଣ?’ ସମ୍ରାଟଙ୍କ ନିକଟରେ ଏହାର ସଠିକ୍ ଉତ୍ତର ନଥିଲା। କିଛି ନ କହି ସେ ଆଗକୁ ବଢ଼ିଥିଲେ। ଏହାର ସାରବତ୍ତା ହେଲା ଧନ ସମ୍ପଦ, ଗାଡ଼ି, ଘୋଡ଼ା, ଦାସଦାସୀ ଆଦି ପାର୍ଥିବ ସାଧନ ନୁହଁ, ଆତ୍ମସନ୍ତୋଷ ହିଁ ଶ୍ରେଷ୍ଠ ସମ୍ପଦ, ରତ୍ନ। ଅସୀମିତ ସାଧନର ଅଧିକାରୀ ହୋଇ ମଧ୍ୟ ଯଦି ସନ୍ତୋଷରୂପୀ ଧନରୁ ବଞ୍ଚିତ ତେବେ ସେହି ଅକଳନ ସଂପଦର ମୂଲ୍ୟ କ’ଣ। ଅସନ୍ତୋଷ, ଅତୁଷ୍ଟି ତ ଶ୍ରେଷ୍ଠ ନିର୍ଦ୍ଧନତା। ଅପର ପକ୍ଷରେ ସୀମିତ ସାଧନର ଅଧିକାରୀ ହୋଇ ମଧ୍ୟ ସୁଖ-ଶାନ୍ତି ଭିତରେ ଜୀବନ ନିର୍ବାହ ସମ୍ପନ୍ନତାର ବଳିଷ୍ଠ ନିଦର୍ଶନ।



