www.samajalive.in
Monday, December 15, 2025
27.1 C
Bhubaneswar

ସହରୀକରଣ ସମସ୍ୟା: ପରିବେଶ ଅନୁକୂଳ ହେବା ଆବଶ୍ୟକ

ନିକଟରେ ପ୍ରକାଶିତ ଏକ ବିଜ୍ଞାନ ପତ୍ରିକାର ତଥ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ତାହା ହେଉଛି, ଆଜି ବିଶ୍ୱର ପ୍ରାୟ ୮୧% ଲୋକ ସହରରେ ବାସ କରୁଛନ୍ତି। ଏହି ସଂଖ୍ୟାକୁ ନେଇ କିଛି ମତଭେଦ ଥାଇପାରେ, କିନ୍ତୁ ଗୋଟିଏ କଥା ସ୍ପଷ୍ଟ-ସହରୀକରଣର ଏହି ବଡ଼ ପରିବର୍ତ୍ତନ ଫଳରେ ମାନବ ସଭ୍ୟତା ଏକ ନୂଆ ମୋଡ଼ରେ ଛିଡ଼ା ହୋଇଛି। ଲୋକମାନେ ଭାବୁଛନ୍ତି ସହରରେ ସୁବିଧା ଅଛି, ବଜାର ଅଛି; କିନ୍ତୁ ଏହାର ଅନ୍ୟ ଦିଗରେ ରହିଛି ଜୀବନର ଅସ୍ଥିରତା ଏବଂ ଗଣତନ୍ତ୍ରର ଦୁର୍ବଳତା। ସହରଗୁଡ଼ିକର ବୃଦ୍ଧି ସମୟରେ, ଜଳବାୟୁ ପରିବର୍ତ୍ତନ ଆଜି ସବୁଠୁ ବଡ଼ ସମସ୍ୟା। ଜାତିସଂଘର ବିଶ୍ୱସ୍ତରୀୟ ସଂସ୍ଥା ଆଇପିସିସି ଏହାର ସପ୍ତମ ମୂଲ୍ୟାଙ୍କନ ଚକ୍ର (ଏଆର୭) ପାଇଁ ପ୍ରସ୍ତୁତ ହେଉଛି। ଏଥର ଏହି ସଂସ୍ଥା ସହରଗୁଡ଼ିକୁ ମୁକାବିଲାର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନ ଦେଇଛି। ଏକ ଉତ୍ତପ୍ତ ଦୁନିଆରେ ଆଗାମୀ ଭବିଷ୍ୟତ କିପରି ହେବ, ତାହା କେବଳ ସହରଗୁଡ଼ିକ ଉପରେ ନିର୍ଭର କରେ। ସେମାନେ କିପରି ଜଳବାୟୁର ଚରମ ପ୍ରଭାବକୁ ସାମ୍ନା କରିବେ ଓ କେମିତି ନିଜକୁ ପ୍ରସ୍ତୁତ କରିବେ। ଭାରତ ଭଳି ବିକାଶଶୀଳ ଦେଶରେ ସହରୀକରଣର ଚିତ୍ର କିନ୍ତୁ ସଂପୂର୍ଣ୍ଣ ଅଲଗା। ଏଠାରେ ଲୋକେ ଶିଳ୍ପସଂସ୍ଥାରେ କାମ କରିବା ପାଇଁ ଆସୁନାହାନ୍ତି; ବରଂ ଗାଁରେ ଜମି ନଷ୍ଟ ହେବା, କାମ ନ ମିଳିବା କିମ୍ବା ପାଣିପାଗର ଅନିୟମିତତା ଯୋଗୁଁ ବାଧ୍ୟ ହୋଇ ସହରକୁ ପଳାଇ ଆସୁଛନ୍ତି।

ଦଶନ୍ଧି ଧରି ନୀତି ନିର୍ଦ୍ଧାରକ ଓ ଅର୍ଥନୀତିଜ୍ଞମାନେ ସହରକୁ ‘ଅଭିବୃଦ୍ଧିର ଇଞ୍ଜିନ’ ବୋଲି ପ୍ରଶଂସା କରିଆସୁଛନ୍ତି; କିନ୍ତୁ ବାସ୍ତବତା ହେଉଛି, ଅନେକ ସହର ଏବେ ‘ଶୋଷଣର ଇଞ୍ଜିନ’ ପାଲଟି ଯାଇଛନ୍ତି। ଧନୀ ବିଲଡରମାନଙ୍କ ମଲ୍ ଓ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ସହରରେ ଥିବା ଗରିବ ଲୋକଙ୍କ ବସ୍ତି ଉଚ୍ଛେଦ କରାଯାଉଛି, ପାଣି-ବିଜୁଳି ଭଳି ଜୀବନ ପାଇଁ ଅତ୍ୟାବଶ୍ୟକ ସେବାକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯାଉଛି, ଜମିକୁ କେବଳ ଲାଭ କମାଇବାର ସାମଗ୍ରୀ ଭାବରେ ଦେଖାଯାଉଛି, ଆଉ ଯେଉଁମାନେ ସହରର ପ୍ରକୃତ ମେରୁଦଣ୍ଡ ସଫେଇକର୍ମୀ, ନିର୍ମାଣ ଶ୍ରମିକ, ରିକ୍ସା ଚାଳକ, ଫୁଟ୍‌ପାଥ ବିକ୍ରେତା- ସେମାନଙ୍କୁ ଉନ୍ନୟନ ନାମରେ ବିସ୍ଥାପିତ କରାଯାଉଛି।
ସହରଗୁଡ଼ିକୁ ପୁନର୍ବାର ବ୍ୟବସ୍ଥିତ କରିବାର ସମୟ ଆସିଛି, ଯେଉଁଠାରେ ଘରୋଇ ଲାଭ ଅପେକ୍ଷା ସାର୍ବଜନୀନ କଲ୍ୟାଣ ଅଧିକ ମୂଲ୍ୟବାନ। କାରଣ ସହର ଆଉ କେବଳ ଧନୀ ଶ୍ରେଣୀର ବାସସ୍ଥାନ ନୁହେଁ, ଏଠାରେ ଅଶୀ ପ୍ରତିଶତ ଲୋକ ସାଧାରଣ ପରିବାରର, ଯେଉଁମାନେ ପ୍ରତିଦିନ ହାଡ଼ଭାଙ୍ଗା ପରିଶ୍ରମ କରି ସହରକୁ ଚଳାଉଛନ୍ତି; କିନ୍ତୁ ଦୁଃଖର କଥା, ସରକାରମାନେ ଏବେ ବି ସହରୀ ଯୋଜନାରେ ଅଳ୍ପ କିଛି ଧନୀ ଗୋଷ୍ଠୀର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି, ଯେତେବେଳେ ପ୍ରକୃତରେ ଆବଶ୍ୟକତା ହେଉଛି ସେହି ସାଧାରଣ ଲୋକଙ୍କ ପାଇଁ ସୁଲଭ ଘର, ନିର୍ଭରଯୋଗ୍ୟ ସାର୍ବଜନୀନ ଯାତାୟାତ, ସ୍ୱଚ୍ଛ ପାନୀୟ ଜଳ, ଆଉ ଜୀବିକାର ସୁରକ୍ଷା।

- Advertisement -

ମନେରଖିବାକୁ ହେବ ସହରୀକରଣ କେବଳ ରାସ୍ତା ଓ ଘର ତିଆରିରେ ସୀମିତ ନୁହେଁ। ଏହା ବାସସ୍ଥାନର ସୁରକ୍ଷା, ଶ୍ରମିକଙ୍କ ଅଧିକାର ଓ ସମ୍ମାନ ଏବଂ ମହିଳାଙ୍କ ସୁରକ୍ଷା ଦାବି କରେ। ଆମକୁ ଏକ ନୂଆ ସହରୀ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡ଼ିବ ଯାହା ପରିବେଶକୁ ସୁଧାରିବ ଏବଂ ଭାରତ ଭଳି ଦେଶର ସହରଗୁଡ଼ିକୁ ବିଶ୍ୱର ଅଗ୍ରଣୀ ସହର ଭାବରେ ପ୍ରତିଷ୍ଠିତ କରିବ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories