ପ୍ରଶାନ୍ତ ମହାସାଗରରେ ପଡିଲା ଅକାମୀ ସ୍ପେସ ଲ୍ୟାବର ଭଗ୍ନାବଶେଷ

0

ୱାଶିଂଟନ : ଚୀନର ଅକାମୀ ସ୍ପେସ୍‌ ଲ୍ୟାବ ଟିଆଙ୍ଗୋଙ୍ଗ-୧ର ଭଗ୍ନାବଶେଷ ସୋମବାର ପ୍ରଶାନ୍ତ ମହାସାଗରରେ ପଡିଛି। ସୋମବାର ସକାଳ ୮ଟା ୧୫ରେ ଏହା ବାୟୁ ମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଜଳିବା ଆରମ୍ଭ କରିଥିଲା। ସ୍ପେସ ଲ୍ୟାବର ଅଧିକାଂଶ ଅଂଶ ଜଳିଯିବା ପରେ କିଛି ଭଗ୍ନାବଶେଷ ଓ ଅଙ୍ଗାର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପଡିଥିଲା । ଜଳିଯିବା ପରେ ସ୍ପେସ ଲ୍ୟାବର କେତେ ଭାଗ ଅଂଶ ପୃଥିବୀ ପୃଷ୍ଠକୁ ଆସିଛି ତାହା ଜଣାପଡିନାହିଁ ବୋଲି ଚୀନ ମହାକାଶ ଗବେଷଣାକେନ୍ଦ୍ରର ଅଧିକାରୀମାନେ ସୂଚନା ଦେଇଛନ୍ତି । ଚୀନ ପକ୍ଷରୁ ଟିଆଙ୍ଗୋଙ୍ଗ-୧କୁ ୨୦୧୧ରେ ମହାକାଶକୁ ପ୍ରେରଣ କରାଯାଇଥିଲା । ସଠିକ୍‌ ଭାବେ କକ୍ଷ ପଥରେ ଅବସ୍ଥାନ କରାଯିବା ପରେ ଏହା କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର ୨୦୧୬ରେ ଟିଆଙ୍ଗୋଙ୍ଗ-୧ ଉପଗ୍ରହ ଅକାମୀ ହୋଇଯାଇଥିଲା । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଏହାପରଠାରୁ ମହାକାଶରେ ଏହା ଘୁରି ବୁଲିଥିଲା । ଏବେ ଶକ୍ତି ହରାଇ ଏହା ପୃଥିବୀ ପୃଷ୍ଠକୁ ଖସିପଡିଛି । ପୂର୍ବରୁ ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଟିଆଙ୍ଗୋଙ୍ଗ-୧ ଜଳିବା ଆରମ୍ଭ କରିବ । ବାୟୁ ମଣ୍ଡଳ ସହ ଘର୍ଷଣରେ ଉପଗ୍ରହର ଅଧାରୁ ଅଧିକ ଜଳି ନଷ୍ଟ ହୋଇଯିବ । ଏହା ପରେ ବି ଉପଗ୍ରହର କିଛି ଭଗ୍ନାବଶେଷ ପୃଥିବୀରେ ପଡ଼ିବ । ସେହି କ୍ରମରେ ସ୍ପେସ ଲ୍ୟାବର କେତେ ଭଗ୍ନାବଶେଷ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପଡିଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ସ୍ପେସ ଲ୍ୟାବ ୪୩ ଅକ୍ଷାଂଶ ରେଖା ମଧ୍ୟରେ ଆସୁଥିବା ନ୍ୟୁୟର୍କ, ବାର୍ସିଲୋନା, ଚିକାଗୋ, ଇସ୍ତାନବୁଲ, ରୋମ, ବେଜିଂ, ବର୍ଲିନ କିମ୍ବା ଟୋରୋଣ୍ଟୋରେ ପଡ଼ିବ ବୋଲି ପୂର୍ବରୁ ମହାକାଶ ବିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରିଥିଲେ । ହେଲେ ସେପରି କିଛି ହୋଇନାହିଁ । ବାୟୁମଣ୍ଡଳରେ ଏହା ଜଳିଯାଇଛି । ଏହାର ପାଉଁଶ ଓ କିଛି ଅଂଶ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଯାଇ ପଡିଛି । ଆମେରିକା ସ୍ପେସ ରାଡର ଦ୍ୱାରା ଟିଆଙ୍ଗୋଙ୍ଗ-୧ର ବାୟୁମଣ୍ଡଳରେ ପ୍ରବେଶଠାରୁ ଜଳି ଜଳି ନଷ୍ଟ ହେବା ପର୍ଯ୍ୟନ୍ତ ଚିତ୍ର ଉତ୍ତୋଳନ କରାଯାଇଛି ।

Leave A Reply