ଚୀନ ସୀମାରେ ସୈନ୍ୟ ସଂଖ୍ୟା ବଢାଉଛି ଭାରତ

0

କିବିଥୁ : ଡୋକଲାମ ବିବାଦକୁ ନେଇ ଚୀନର ଧମକପୂର୍ଣ୍ଣ ବୟାନବାଜି ପରେ ଅରୁଣାଚଳପ୍ରଦେଶ ସୀମାନ୍ତରେ ଭାରତ ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡି କରିଛି । ଚୀନର ତିବ୍‌ବତ ସଲଗ୍ନ ଅରୁଣାଚଳ ପ୍ରଦେଶ ସୀମାର ଦିବାଙ୍ଗ, ଦାଉ-ଦେଲାଇ, ଲୋହିତ ପାର୍ବତ୍ୟାଞ୍ଚଳରେ ଅଧିକରୁ ଅଧିକ ଭାରତୀୟ ସେନା ଯବାନଙ୍କୁ ମୁତୟନ କରାଯାଇଛି । ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ ସାମରିକ ଦୃଷ୍ଟିରୁ ସମ୍ବେଦନଶୀଳ ତିବ୍‌ବତ ସୀମାରେ ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଏହାସହ ପର୍ଯ୍ୟବେକ୍ଷଣକୁ ଅଧିକ ମଜଭୁତ କରିବା ପାଇଁ ନିୟମିତ ଭାବେ ହେଲିକପ୍ଟର ମୁତୟନ କରାଯାଉଛି । ଡୋକଲାମ ଅଚଳାବସ୍ଥା ପରେ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ଭାରତ ସେନା ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଅରୁଣାଚଳର ୩ ଘାଟି ମଧ୍ୟରେ ସମୁଦ୍ରପତ୍ତନଠାରୁ ୧୭ ହଜାର ଫୁଟ୍‌ ଉପରେ ସୈନ୍ୟଙ୍କୁ ମୁତୟନ କରାଯାଇଛି । ପ୍ରକୃତ ନିୟନ୍ତ୍ରଣ ରେଖାର ଦୂରାନ୍ତ ଅଞ୍ଚଳକୁ ଛୋଟ ଛୋଟ ଟ୍ରୁପ୍‌ ୧୫ରୁ ୩୦ ଦିନ ଲେଖାଏଁ ପାଟ୍ରୋଲିଂରେ ଯାଉଛନ୍ତି । ସୈନ୍ୟ ସଂଖ୍ୟା ବୃଦ୍ଧି ପରେ ପାଟ୍ରୋଲିଂକୁ ଅଧିକ ମଜଭୁତ କରିହେବ । ପ୍ରକାଶ ଯେ ବିବାଦୀୟ ଡୋକଲାମ ଅଞ୍ଚଳରେ ଚୀନ ସେନାର ରାସ୍ତା ନିର୍ମାଣକୁ ଭାରତ ବିରୋଧ କରିବା ପରେ ଗତ ବର୍ଷ ଜୁନ୍‌ ୧୬ରୁ ୭୩ ଦିନ ପର୍ଯ୍ୟନ୍ତ ଉଭୟ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ରହିଥିଲେ । ପରେ ଅଗଷ୍ଟ ୨୮ରେ କୂଟନୀତିଜ୍ଞସ୍ତରରେ ଆଲୋଚନା ଦ୍ୱାରା ଅଚଳାବସ୍ଥାର ସମାଧାନ ହୋଇଥିଲା ।

Leave A Reply