ସାକ୍ଷୀଗୋପାଳ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥିତ। ସତ୍ୟବାଦୀ ବ୍ଲକ ସମେତ କଣାସ, ଡେଲାଙ୍ଗ, ପିପିଲି, ନିମାପଡା, ଗୋପ, ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ଜନସାଧାରଣ ଏହି ଡାକ୍ତରଖାନା ଉପରେ ଚିକିତ୍ସା ନିମନ୍ତେ ନିର୍ଭରଶୀଳ। ଏହି ଡାକ୍ତରଖାନା ମଧ୍ୟ ଫାଷ୍ଟ ରେଫେରାଲ ୟୁନିଟ ମାନ୍ୟତା ପ୍ରାପ୍ତ। ୧୦୮ ଆମ୍ବୁଲାନ୍ସର ଡ୍ରପ ସେଣ୍ଟର । ମଙ୍ଗଳ ପୁର, ଡେଲାଙ୍ଗ, ଚନ୍ଦନ ପୁର ଓ ବଳଙ୍ଗା ଡାକ୍ତରଖାନାର ରୋଗୀ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଏହି ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ମଙ୍ଗଳପୁର ଠାରୁ ଚନ୍ଦନପୁର ମଧ୍ୟରେ ରାଜପଥର ପ୍ରାୟ ୧୫ କିଲୋମିଟର ମଧ୍ୟରେ ହେଉଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନେ ଚିକିତ୍ସା ନିମନ୍ତେ ଏହି ଡାକ୍ତରଖାନାକୁ ଆସିଥାନ୍ତି।
ଏହି ଡାକ୍ତରଖାନାରେ ମେଡିକାଲ ଅଫିସର, ଅସ୍ତ୍ରୋପଚାର ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞ ପଦବୀ ରହିଅଛି। ତେବେ ସମସ୍ତ ବିଶେଷଜ୍ଞ ପଦବୀ ଖାଲି ପଡ଼ିଅଛି। କେବଳ ଆସିଷ୍ଟାଣ୍ଟ ସର୍ଜନ ରହିଛନ୍ତି । ସରକାରୀ ନିୟମ ଅନୁସାରେ ଏହି ଡାକ୍ତରଖାନାରେ ୧୧ ଜଣ ଡାକ୍ତର ରହିବା କଥା। ମାତ୍ର ୫ ଜଣ ଆସିଷ୍ଟାଣ୍ଟ ସର୍ଜନ ରହିଛନ୍ତି । ଏହି ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ରହିଛି । ଜଣେ ଡାକ୍ତର ୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ଦେବା ପରେ ତା ପର ଦିନ ଛୁଟିରେ ରହୁଛନ୍ତି । କିନ୍ତୁ ଜଣେ ଡାକ୍ତର ୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା କରିବା ଏକ ପ୍ରକାର ଅସମ୍ଭବ।
ଏହି ଡାକ୍ତରଖାନାର ବର୍ହିବିଭାଗକୁ ଦୈନିକ ୩୫୦ ରୁ ୪୦୦ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଦୁର୍ଘଟଣା ପ୍ରବଣ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଦୁର୍ଘଟଣାରେ ଦୈନିକ ୧୦ ରୁ ୧୫ ଜଣ ଆହତ ବ୍ୟକ୍ତି ଚିକିତ୍ସା ନିମନ୍ତେ ଆସୁଛନ୍ତି। ଦୀର୍ଘ ଦିନ ତଳୁ ଏହି ଡାକ୍ତରଖାନାରେ ଟ୍ରମା କେୟାର ୟୁନିଟ ଖୋଲିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ୟୁନିଟ ଖୋଲି ପାରିଲା ନାହିଁ। ଫଳରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଅଭାବରୁ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝଡି ଯାଉଛି।
ସାଧାରଣ ରୋଗୀଙ୍କ ନିମନ୍ତେ ୪୬ ଶଯ୍ୟା ଓ ନବଜାତ ଶିଶୁ ମାନଙ୍କ ନିମନ୍ତେ ୧୦ ଶଯ୍ୟା ବିଶିଷ୍ଟ ଶିଶୁ ପୁଷ୍ଟି ପୁନର୍ବାସ କେନ୍ଦ୍ର ରହିଅଛି। ଶିଶୁ ବିଶେଷଜ୍ଞ ଡାକ୍ତର ନ ଥିବାରୁ ନବଜାତ ଶିଶୁ ମାନେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି। ସରକାରଙ୍କ ଶିଶୁ ଓ ମୃତ୍ୟୁ ହାର ହ୍ରାସ ଯୋଜନା ଏଠାରେ ବିଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ପାହିଁ। ସ୍ତ୍ରୀ ରୋଗ ବିଶେଷଜ୍ଞ ନ ଥିବାରୁ ଚିକିତ୍ସା ନିମନ୍ତେ ଆସୁଥିବା ମହିଳା ମାନେ ମଧ୍ୟ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି। ସେହିପରି ଅସ୍ତ୍ରୋପଚାର ବିଶେଷଜ୍ଞ ନ ଥିବାରୁ ଅସ୍ତ୍ରୋପଚାର ଗୃହ ତାଲା ପଡ଼ିଛି। ଅସ୍ତ୍ରୋପଚାର ନିମନ୍ତେ ଆବଶ୍ୟକ ସରଞ୍ଜାମ ନଷ୍ଟ ହୋଇ ଯାଇଥିବାର ଆଶଙ୍କା ସୃଷ୍ଟି ହୋଇଛି। ଭେଷଜ ବିଶେଷଜ୍ଞ ନାହାନ୍ତି। ସ୍ୱଚ୍ଛଳ ବର୍ଗର ରୋଗୀ ମାନେ ଚିକିତ୍ସା ନିମନ୍ତେ ପୁରୀ, ଭୁବନେଶ୍ୱର କିମ୍ବା ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି। କିନ୍ତୁ ଗରୀବ ରୋଗୀ ମାନେ ଏହି ଡାକ୍ତରଖାନାରେ ଚିକିତ୍ସିତ ହୋଇ ଭଗବାନଙ୍କୁ ବିଶ୍ୱାସ କରି ଘରକୁ ଫେରୁଛନ୍ତି। ରାଜ୍ୟ ସରକାର ଏହି ଡାକ୍ତରଖାନାର ସମସ୍ତ ଡାକ୍ତର ପଦବୀ ପୂରଣ କରି ସ୍ଥାନୀୟ ଜନସାଧାରଣଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ସାଧାରଣରେ ଦାବି ହେଉଛି।
Comments are closed.