ମୋହନାରେ ବୃଦ୍ଧି ପାଉଛି ଜାଲ ପ୍ରମାଣପତ୍ର କାରବାର, ଚିନ୍ତାରେ ପ୍ରଶାସନ

ଚାନ୍ଦିପୁଟ: ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲା ମୋହନା ବ୍ଲକରେ ଏବେ ବିଭିନ୍ନ ସ୍ଥାନରେ ସହଜ ଓ ସୁବିଧାରେ ବିଭିନ୍ନ ସରକାରୀ ପ୍ରମାଣ ପତ୍ର ଯୋଗାଇଦେବା ନାମରେ ଜନସେବାକେନ୍ଦ୍ର ମାନ ଛତୁ ଫୁଟିବା ଭଳି ଖୋଲିଥିବା ବେଳେ ଜାଲ ପତ୍ର କାରବାର ପ୍ରମୁଖ ପେଣ୍ଠ ସ୍ଥଳୀ ପାଲଟିଛି ମୋହନା। କେତେବେଳେ ଜାଲି ପ୍ରମାଣ ପତ୍ର ହାତେଇ ହିତାଧିକାରୀ ସରକାରୀ ସୁବିଧା ହଡପ କରିବାକୁ ପ୍ରୟାସ କରୁଥିବା ବେଳେ ଅନେକ ସମୟରେ ସରକାରୀ କାମରେ ପ୍ରମାଣ ପତ୍ର ଦାଖଲ ବେଳେ ହଟହଟା ହେଉଥିବା ଦେଖିବାକୁ ମିଳୁଛି। ତେବେ ପ୍ରଶାସନର ଉଦାସିନତା ମନଭାବ ଯୋଗୁଁ ଏଭଳି ଅନୀୟମିତତା କାମ ବେଧଡକ ଭାବେ ବୃଦ୍ଧି ପାଇଛି। ଯାହାଫଳରେ ମୋଟା ଅଙ୍କର ଅର୍ଥ ଶୋଷଣ କରି ଫାଇଦା ନେଉଛନ୍ତି ଦଲାଲ।

ଏଭଳି କିଛି ଦେଖିବାକୁ ମିଳିଛି ମୋହନା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଅବସ୍ଥିତ ଚିତ୍ତରଞ୍ଜନ ନାୟକଙ୍କ ଜନସେବାକେନ୍ଦ୍ରରେ। ଉକ୍ତ ଜନସେବାକେନ୍ଦ୍ରରୁ ଅନେକ ସମୟରେ ଜାଲ ଜାତିଗତ ପ୍ରମାଣ ନେଇ ଅତିରିକ୍ତ ତହସିଲଦାରଙ୍କ ହାତରେ ଧରାପଡି ଫିଟୁଛି ଏବେ ଜାଲ ପ୍ରମାଣ ପତ୍ର କାରବାରର ଗୁମର। ଯାହାକୁ ନେଇ ଏବେ ମୋହନା ତହସିଲଦାର ଥାନାରେ ଏତଲା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଥିବା ପ୍ରକାଶ କରିଛନ୍ତି।

ସୁଚନା ମୁତାବକ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲବାରସିଂ ଗ୍ରାମପଞ୍ଚାୟତର ରାଇପୁର ଗ୍ରାମରେ ରହୁଥିବା ଶନ୍ୟା ଶବର ତାଙ୍କ ମୃତ ବାପା ବାମ୍ବଡୁ ଶବରଙ୍କ ନାମରେ ଥିବା ବ୍ୟାଙ୍କ ଖାତାରେ ଗଚ୍ଛିତ କିଛି ଟଙ୍କା ଉଠାଇବା ପାଇଁ ମୋହନା ତହସିଲ କାର୍ଯ୍ୟାଳୟରେ ଲିଗାଲ ହେୟାର ପ୍ରମାଣ ପତ୍ର ଆବେଦନ କରିଥିଲେ ତେବେ ଏହି ପ୍ରମାଣ ପତ୍ର ପାଇଁ ମୃତ ବାପାଙ୍କ ସନ୍ତାନଙ୍କ ଜାତିଗତ ପ୍ରମାଣପତ୍ର ଆବଶ୍ୟକତା ଥିବାରୁ ସନ୍ୟା ଶବର ଲବାରସିଂ ଗ୍ରାମର ନିଜ ଭଉଣୀ ସୀତା ଶବର ନାମରେ ଆଜକୁ ତିନିଦିନ ତଳେ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଅବସ୍ଥିତ ଚିତ୍ତରଞ୍ଜନ ନାୟକଙ୍କ ଜନସେବା କେନ୍ଦ୍ରକୁ ଯାଇ ଜାତିଗତ ପ୍ରମାଣପତ୍ର ଆବେଦନ କରିଥିଲେ।

ତେବେ ସେଠାରେ ତାଙ୍କ ଠାରୁ ୭୦୦ ଟଙ୍କା ମଗାଇଥିବା ବେଳେ ୪୦୦ ଟଙ୍କା ଦେଇ ଆସିଥିଲେ ଏବଂ ଗତକାଲି ବଳକା ୩୦୦ ଟଙ୍କା ଦେଇ ଜାତିଗତ ପ୍ରମାଣ ପତ୍ର ଆଣିଥିଲେ। ତେବେ ଉକ୍ତ ଜାତିଗତ ପ୍ରମାଣପତ୍ରକୁ ନେଇ ସେ ମୋହନା ତହସିଲ କାର୍ଯ୍ୟାଳୟରେ ଲିଗାଲ ହେୟାର ପ୍ରମାଣପତ୍ର ପାଇଁ ଦାଖଲ କରିଥିଲେ। ଜାତିଗତ ପ୍ରମାଣପତ୍ରକୁ ତହସିଲଦାର ଓ ଅତିରିକ୍ତ ତହସିଲଦାର ଦେଖିବା ପରେ ତାହା ଜାଲ ପ୍ରମାଣପତ୍ର ବୋଲି ଜାଣିବାକୁ ପାଇଥିଲେ। ପ୍ରଦତ୍ତ ଜାତିଗତ ଜାଲ ପ୍ରମାଣପତ୍ରରେ ଆର ଉଦୟଗିରି ତହସିଲ ଉଲ୍ଲେଖ କରାଯାଇବା ବେଳେ ତଳେ ମୋହନା ଅତିରିକ୍ତ ତହସିଲଦାର ହିମାଂସୁ ଭୁଷଣ ପଲେଇଙ୍କ ନାମଥିବା ଦେଖିବାକୁ ମିଳିଛି। ତେଣୁ ଚଞ୍ଚକତା କରି ଚିତ୍ତରଞ୍ଜନ ଏଭଳି ଜାଲ ପ୍ରମାଣପତ୍ର ବନାଇ ଆବେଦନକାରି ସୀତା ଶବରକୁ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତହସିଲଦାର କିଶୋର ଦାସ କହିଛନ୍ତି।

ଏହି ଜାଲ ପ୍ରମାଣପତ୍ର ଧରାପଡିବା ପରେ ସମୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମୋହନା ଥାନାରେ ମୋହନା ଥାନାରେ ଏତଲା ଦିଆଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କିଶୋର ଚନ୍ଦ୍ର ଦାସ ସୁଚନା ଦେଇଛନ୍ତି। ଏହିଭଳି ଭାବେ ଅନେକ ନିରୀହ ନିରକ୍ଷର ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ବହୁବାର ଠକାମୀ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଏହାକୁ ଖୁବ ହାଲକା ସହ ନେଇଥିବା ଯୋଗୁଁ ସାଧାରଣ ଲୋକେ ବିଭିନ୍ନ ସରକାରୀ ସେବା ନାମରେ ଠକାମୀ ପଡୁଛନ୍ତି। ଯାହାକୁ ଦୃଢ ନିନ୍ଧା କରିଛନ୍ତି ବୁଦ୍ଧିଜୀବି।

Comments are closed.