ବଧୂହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁର ସମେତ ୫ ଗିରଫ

ଗୁରୁଡିଝାଟିଆ: ବାରମ୍ବାର ଯୌତୁକ ଦାବି କରି ନିର୍ଯ୍ୟାତନା ଦେଇଆସୁଥିଲେ । ଶେଷରେ ୮ମାସର ବୋହୂକୁ ଜୀବନରୁ ମାରି ଟଙ୍ଗାଇ ଦେଇଥିବା ନେଇ ଏକ ଅଭିଯୋଗ ଖୁଣ୍ଟୁଣୀ ଥାନାରେ ହୋଇଛି । ମୃତ ଝିଅର ଭାଇ କାର୍ତ୍ତିକ ରାଉତ ଖୁଣ୍ଟୁଣୀ ଥାନାରେ ଉପସ୍ଥିତ ରହି ଲିଖିତ ଅଭିଯୋଗ କରିବା ପରେ ମୃତ ନବବଧୂକୁ ବ୍ୟବଚ୍ଛେଦ ପାଇଁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସଂଗେ ସଂଗେ ସ୍ୱାମୀ ଓ ଶ୍ୱଶୁର ସମେତ ୬ଜଣଙ୍କୁ ପୁଲିସ ଗିରଫ କରିଛି । ଆଠଗଡ ଥାନା ଅନ୍ତର୍ଗତ ରାଧାପତିପୁର ଗ୍ରାମର ସ୍ୱର୍ଗତ ଚନ୍ଦ୍ରମଣୀ ରାଉତଙ୍କ ଝିଅ ଶୁଭାସୀନି(୧୯) ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପଢୁଥିବା ସମୟରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର ଅନନ୍ତପୁର ଗ୍ରାମର ବିଶ୍ୱଜିତ୍‌ ଭକ୍ତା ନାମକ ଯୁବକ ଛାତ୍ରୀକୁ ନେଇଆସିଥିଲା । ଏହାପରେ ସ୍ୱାମୀସ୍ତ୍ରୀ ଭାବେ ସେହିଦିନଠାରୁ ୮ମାସ ହେଲା ଅନନ୍ତପୁର ଗ୍ରାମରେ ରହିଆସୁଥିଲେ ।

ସେବେଠାରୁ ବିଶ୍ୱଜିତର ପରିବାର ସଦସ୍ୟ ନବବଧୂ ଶୁଭାସୀନିକୁ ଶାରିରୀକ ଓ ମାନସିକ ନର୍ଯ୍ୟାତନା ଦେଉଥିଲେ ଯୌତୁକ ଦାବି ନେଇ ବୋଲି ଝିଅର ଭାଇ କାର୍ତ୍ତିକ ଲିଖିତ ଅଭିଯୋଗରେ ଦର୍ଶାଇବା ସହ ତାର ଭଉଣୀ ନାମରେ ବ୍ୟାଙ୍କରେ ଥିବା ଖାତାରୁ ଟଙ୍କାକୁ ମଧ୍ୟ ଉଠାଇନେଇଥିଲେ । କାର୍ତ୍ତିକ ଭଉଣୀର ମୃତ୍ୟୁ ଖବର ଜାଣି ଅନନ୍ତପୁର ଗ୍ରାମରେ ପହଞ୍ଚିଥିଲେ । ଦେଖିଥିଲେ ଭଉଣୀ ମରିକି ପଡିଛି । ଭଉଣୀ ଶୁଭାସୀନିକୁ ଯୋଜନାବଦ୍ଧ ଭାବରେ ମାରି ଟଙ୍ଗାଇ ଦେଇଥିବା ନେଇ ନିଶ୍ଚିତ ହେବା ପରେ ଶ୍ୱଶୁର ଘର ବିରୋଧରେ ଲିଖିତ ଅଭିଯୋଗ ଖୁଣ୍ଟୁଣୀ ଥାନାରେ ଦେଇଥିଲେ । ଏହାକୁ ଭିତ୍ତି କରି ଖୁଣ୍ଟୁଣୀ ପୁଲିସ ବିଶ୍ୱଜିତ୍‌ ଭକ୍ତା, ସନ୍ତୋଷ କୁମାର ଭକ୍ତା, ସତ୍ୟଜିତ୍‌ ଭକ୍ତା, ପୁଷ୍ପାଞ୍ଜଳି ଭକ୍ତା,ଗୀତାଞ୍ଜଳୀ ଭକ୍ତା ଓ ରିତାଞ୍ଜଳୀ ଭକ୍ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Comments are closed.