ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ଫକୀର ମୋହନ, ନାରୀ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦମ୍ୟ ଚେଷ୍ଟା ତାଙ୍କୁ କାଳଜୟୀ କରିଛି
ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ଭାଷା-ସାହିତ୍ୟର ଉନ୍ନତି, ଓଡ଼ିଆ ସାମାଜିକ ଜୀବନର ବିକାଶ ତଥା ଓଡ଼ିଆର ନିଜସ୍ୱ ପରିଚୟ ସୃଷ୍ଟି ପାଇଁ ଆଜୀବନ ସଂଗ୍ରାମ କରିଥିଲେ । ଏକାଧାରରେ ସେ ଥିଲେ ଜଣେ କୃତୀ ଶିକ୍ଷକ, ପାଠ୍ୟପୁସ୍ତକ ରଚୟିତା, ପତ୍ରିକା ସଂପାଦକ ଏବଂ ସାହିତ୍ୟସ୍ରଷ୍ଟା । ସମସ୍ତ ଜୀବନକାଳ ସେ ଓଡ଼ିଆ ଭାଷା, ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ଉତ୍ସର୍ଗ କରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର ସାଂସଦପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦମ୍ୟ ଚେଷ୍ଟା ତାଙ୍କୁ କାଳଜୟୀ କରିଛି ବୋଲି ପ୍ରକାଶ କରିଥିଲେ ।
ସେ କହିଥିଲେ ଯେ ଭାଷା ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଫକୀରମୋହନ ତାଙ୍କର ପ୍ରଚଣ୍ଡ ଜିଜ୍ଞାସା ଓ ପ୍ରତିକୂଳ ପରିସ୍ଥିତିରେ ସାହିତ୍ୟ ସୃଷ୍ଟିକରି ଓଡ଼ିଆ ସାହିତ୍ୟ ଜଗତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଯାଇଛନ୍ତି । ଫକୀରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ଭାଷା ଆନ୍ଦୋଳନର କର୍ଣ୍ଣଧାର, ଓଡ଼ିଆ ପାଠ୍ୟପୁସ୍ତକର ପ୍ରଣେତା, ସମ୍ବାଦପତ୍ର ପ୍ରକାଶନ, ସଂଗଠନ, ଛାପାଖାନା ପ୍ରତିଷ୍ଠା, ଅନୁବାଦ ଏବଂ ସାମ୍ବାଦିକତା ଆଦି କ୍ଷେତ୍ରରେ ସେ ନିଜର ଅବଦାନ ପ୍ରକଟ କରିଯାଇଛନ୍ତି । ଫକୀରମୋହନଙ୍କୁ ଓଡ଼ିଆ ଭାଷାସାହିତ୍ୟର ଜନକ, କଥାସମ୍ରାଟ, ବ୍ୟାସକବି ଭାବେ ସମ୍ମାନ ଦିଆଯାଇଛି । ସରଳ, ସୁଖପାଠ୍ୟ ଓ ଆକର୍ଷକ ଭାଷାରେ ବ୍ୟାସକବି ଫକୀରମୋହନ ନିଜର ଭାବକୁ ପ୍ରକାଶ କରୁଥିଲେ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ ।
ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ କହିଲେ ଯେ ଫକୀରମୋହଙ୍କ କୃତି ସମାଜର ଅବହେଳିତ, ନିଷ୍ପେସିତ ମଣିଷର କଥା କହେ । ତାଙ୍କର ରେବତୀ ଗଳ୍ପ ସେ ସମୟରେ ନାରୀ ସଶକ୍ତିକରଣର ବଳିଷ୍ଠ ଉଦାହରଣ ଥିବାବେଳେ ଡାକମୁନସୀ ଗଳ୍ପ ପ୍ରାଚ୍ୟ ପାଶ୍ଚାତ୍ୟ ସଂସ୍କୃତିର ପ୍ରବଲ୍ୟ କୁ ସୂଚାଇ ଥାଏ । ମୌଳିକ ଚିନ୍ତା, ମୌଳିକ ସୃଷ୍ଟି, ଓଡ଼ିଆ ଜନଜୀବନର ବାସ୍ତବ ଚିତ୍ର, ଚରିତ୍ର ଓ ଭାଷାକୁ ଏକାଠି କରି ଓଡ଼ିଶାର ତତ୍କାଳୀନ ସାମାଜିକ ଜୀବନର ଛବିକୁ ସାହିତ୍ୟରେ ଉପସ୍ଥାପନ ପାଇଁ ସେ ଏ ଜାତିର ଚିରନମସ୍ୟ ହୋଇ ରହିବେ ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ କହିଲେ ଯେ ଓଡ଼ିଆ ଭାଷା ସାହିତ୍ୟର ପରମ ବିନ୍ଧାଣୀ, ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଦୂତ ବ୍ୟାସକବି ଫକୀରମୋହନ ଓଡ଼ିଆ ସାହିତ୍ୟରେ ଏକ ବିରଳ ଦୃଷ୍ଟାନ୍ତ ଥିଲେ । ଓଡ଼ିଆ ମାଟି, ଓଡ଼ିଆ ଜାତି ଓ ମାତୃଭୂମି ପାଇଁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ଆଜି ମାତୃଭାଷାର ଗୁରୁତ୍ୱ ବଢିଛି । ଦୈନନ୍ଦିନ ସମାଜ ବ୍ୟବସ୍ଥାକୁ ସେ ତାଙ୍କ ଲେଖନୀ ମୁନରେ ପରିସ୍ପୁଟନ କରି ଜଣେ ସମାଜ ସୁଧାରକ ଭାବେ ନିଜର ଯଶ ଓ କୀର୍ତ୍ତି ରଖି ଯାଇଛନ୍ତି । ଫକୀରମୋହନଙ୍କ ସାହିତ୍ୟସୃଷ୍ଟି ଆଜି ଭାରତର ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।
ଫକୀର ମୋହନ ସ୍ମୃତି ସଂସଦର ସାଧାରଣ ସଂପାଦକ ଡ. ବିରାଜ ମୋହନ ଦାସ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତ୍ୟବରେ କହିଥିଲେ ଯେ ଫକୀର ମୋହନଙ୍କ ସାହିତ୍ୟକୃତି ଆଜି ବି ଅନୁଶୀଳନ ଓ ଗବେଷଣାର ବିଷୟ । ଆଧୁନିକ ଗଳ୍ପ ସାହିତ୍ୟର ଜନକ ଫକୀର ମୋହନଙ୍କ ସାରସ୍ୱତ ସୃଷ୍ଟି ଚିରଦିନ ପାଇଁ ଓଡ଼ିଆ ସାହିତ୍ୟ ଜଗତକୁ ଆଲୋକିତ କରୁଥିବ ବୋଲି ସେ ପ୍ରକାଶ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ଓଡ଼ିଆ ଭାଷାର ପ୍ରଚାରପ୍ରସାର, ସାମାଜିକ ବ୍ୟବସ୍ଥାର ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ବ୍ୟାସକବିଙ୍କ ଅବଦାନ ଅବିସ୍ମରଣୀୟ । ରେବତୀ ଗଳ୍ପ ଆଜି ବି ସମୟୋପଯୋଗୀ । ସେ ‘ଛ ମାଣ ଆଠଗୁଣ୍ଠ’ ହେଉ ବା ‘ରେବତୀ’ କିମ୍ବା ‘ଲଛମା’ ଆଜି ବି ଯୁଗୋପଯୋଗୀ । ବହୁବର୍ଷ ଆଗରୁ ସେ ଯେଉଁ ଚରିତ୍ରମାନଙ୍କୁ ଗଢ଼ି ଦେଇ ଯାଇଛନ୍ତି, ସେମାନେ ଆଜି ମଧ୍ୟ ଭିନ୍ନ ରୂପରେ ଜୀବନ୍ତ ଅଛନ୍ତି ।
ପ୍ରାରମ୍ଭରେ ଅତିଥିମାନେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସଭାପତି ଶ୍ରୀ ଜୀବନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାହ୍ନ ୩ ଘଟିକାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସୃଷ୍ଟି ଓ ସାଧନାକୁ ନେଇ ସଂସଦ ପକ୍ଷରୁ କବିତା ପାଠୋତ୍ସବ ଆୟୋଜନ କରା ଯାଇଥିଲା । ପୂର୍ଣଚନ୍ଦ୍ର ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଦିଲୀପ କୁମାର ତ୍ରିପାଠୀ ଏବଂ ଶ୍ରୀମତୀ ରଶ୍ମୀ ଦାସ ଓ ଗୀତାଞ୍ଜଳି ମହାନ୍ତି ସଂଯୋଜନା କରିଥିଲେ । ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ ମଞ୍ଚ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଜୟଦେବ ଭବନ ଉପ ନିର୍ଦେଶକ ଦିପ୍ତିମୟୀ ମହାପାତ୍ର ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
Comments are closed.