ଆଲ୍ଲାହାବାଦ ନାମ ପରିବର୍ତ୍ତନକୁ କେନ୍ଦ୍ରର ଅନୁମୋଦନ
ନୂଆଦିଲ୍ଲୀ : କୁମ୍ଭ ମେଳାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଆଲ୍ଲାହାବାଦକୁ ପ୍ରୟାଗରାଜ ଭାବେ ପୁନଃନାମକରଣ ପ୍ରସ୍ତାବକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ରାଜନୈତିକ ମହଲରେ ହିନ୍ଦୁତ୍ବ ମନୋଭାବ ସମ୍ବଳିତ ବୋଲି କୁହାଯାଉଛି। ୨୦୧୮ ଅକ୍ଟୋବରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆଲ୍ଲାହାବାଦର ନାମ ପରିବର୍ତ୍ତନ ପୂର୍ବକ ‘ପ୍ରୟାଗରାଜ’ ରଖିଥିଲେ। ଦେଶରେ ୧୪ଟି ପ୍ରୟାଗ ଥିବାବେଳେ ଏଠାକାର ପ୍ରୟାଗ ବିଶେଷ ମହତ୍ତ୍ବ ବହନ କରେ ବୋଲି ସରକାରୀ ଦସ୍ତାବିଜ୍ରେ ଦର୍ଶାଯାଇଛି। ରାଜ୍ୟର କେତେକ କେନ୍ଦ୍ରୀୟ ପ୍ରତିଷ୍ଠାନ, ହାଇକୋର୍ଟ, ରେଳଷ୍ଟେସନ ଏବଂ ଅନ୍ୟ ସଂସ୍ଥାଗୁଡିକୁ ଆଲ୍ଲାହାବାଦ ନାମରେ ନାମିତ କରାଯାଇଛି। ସହରର ନାମ ପରିବର୍ତ୍ତନକୁ ମଞ୍ଜୁରୀ ମିଳିବା ପରେ ଏବେ ଏହି ସଂସ୍ଥା ତଥା ସଂଗଠନଗୁଡିକର ନାମ ପରିବର୍ତ୍ତନ ହେବ ବୋଲି ଜଣାପଡିଛି।