କାର୍‌ରେ ବନ୍ଦ ରହି ୬ ବର୍ଷ ସ୍କୁଲ ଛାତ୍ରର ମୃତ୍ୟୁ

0

ଭୋପାଳ : ମଧ୍ୟପ୍ରଦେଶର ହୋସଙ୍ଗାବାଦ ଜିଲା ଅନ୍ତର୍ଗତ ଡୋଲାରିଆ ସହରରେ ୬ ବର୍ଷର ଜଣେ ସ୍କୁଲ ଛାତ୍ର ଏକ କାର୍‌ରେ ପ୍ରାୟ ଚାରି ଘଣ୍ଟା ବନ୍ଦ ରହିବାପରେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଜଣାପଡିଛି। ମାର୍ଚ୍ଚ ୧୯ରେ ଏହି ଦୁର୍ଘଟଣା ଘଟିଥିଲା। ସେଦିନ ସ୍କୁଲ ଭ୍ୟାନ ଖରାପ ଥିବାରୁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ନିର୍ଦେଶକ ନୀତୀନ ଗୌଡ ନିଜ କାର୍‌ରେ ସ୍କୁଲର କେତେକ ଶିକ୍ଷୟିତ୍ରୀ ଓ ଛାତ୍ରଙ୍କୁ ସ୍କୁଲକୁ ଆଣିଥିଲେ। କାର୍‌ରୁ ଅନ୍ୟମାନେ ଓହ୍ଲାଇଯାଇଥିବାବେଳେ ୬ ବର୍ଷର ନୈତିକଙ୍କ କଥା ନୀତୀନ ଭୁଲିଯାଇ କାର୍‌କୁ ଲକ୍‌ କରି ହୋସଙ୍ଗାବାଦ ଚାଲିଯାଇଥିଲେ। ପ୍ରାୟ ଚାରି ଘଣ୍ଟା ପରେ ନୀତୀନ କାର୍‌ ନିକଟକୁ ଫେରିବାପରେ ଭିତରେ ନୈତିକଙ୍କୁ ଅଚେତ ଅବସ୍ଥାରେ ପଡିଥିବା ଲକ୍ଷ୍ୟ କରିଥିଲେ। ନୈତିକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ମାର୍ଚ୍ଚ ୨୦ରେ ନୈତିକ ପ୍ରାଣ ହରାଇଥିଲେ। ଏହି ଘଟଣାରେ ନୈତିକଙ୍କ ପିତା ସୁରେନ୍ଦ୍ର ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ସମ୍ପୂର୍ଣ୍ଣଭାବେ ଦାୟୀ କରିବା ସହ ଥାନାରେ ଏତଲା ଦାଏର କରିଛନ୍ତି। ସୂଚନାଯୋଗ୍ୟ ନୀତୀନ ଓ ସୁରେନ୍ଦ୍ରଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଥିବାରୁ ଏତଲା ପ୍ରତ୍ୟାହାର କରିବାକୁ ସୁରେନ୍ଦ୍ରଙ୍କ ଉପରେ ଚାପ ପଡୁଥିବା ଜଣାପଡିଛି।

Leave A Reply