ମହିଳାଙ୍କ ଦକ୍ଷତା ବିକାଶ ନେଇ ଏକ ଦିବସୀୟ କର୍ମଶାଳା

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ନିୟୁ କନଫରେନ୍ସ ହଲ ଠାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଆଇନ ବିଭାଗ ଓ ନିଯୁକ୍ତି କେନ୍ଦ୍ର ତରଫରୁ ଏକ ଦିବସୀୟ ମହିଳା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜାତୀୟ ମହିଳା ଆୟୋଗ ନୂଆଦିଲ୍ଲୀର ପୃଷ୍ଟପୋଷକତାରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ସଭାପତିତ୍ବରେ  ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଇଜରର ନିର୍ଦେଶକ ପ୍ରଫେସର୍ ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇ ଆଜିର ପ୍ରତିଯୋଗିତା ମୂଳକ ବଜାରରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଚ୍ଚମାନର ଞାନ କୌଶଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଦକ୍ଷତା ହିଁ ଭବିଷ୍ୟତର ଦ୍ଵାର ଉନ୍ମୋଚନ କରିବ ବୋଲି କହିବା ସହ ନାରୀ ମାନଙ୍କର ସାମାଜିକ ଅଙ୍ଗୀକାର ଓ ଆତ୍ମ ପ୍ରତିଷ୍ଠା କ୍ଷେତ୍ରରେ ଆବଶ୍ୟକତା ଦକ୍ଷତା ତାଲିମ ସମ୍ପର୍କରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଆଲୋକପାତ କରିବା ସହ  ସମାୟୁନବର୍ତ୍ତିତା ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡ଼ଃ ଶାରଦା ପ୍ରସାଦ ସାହୁ ଯୋଗ ଦେଇ ନାରୀ ମାନଙ୍କ ଅଧିକାର, ନ୍ୟାୟିକ ବ୍ୟବସ୍ଥା ଓ ସାମାଜିକ ସମତା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ କୂଳ ସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ ମହିଳା ମାନଙ୍କ ଜୀବନ ଜୀବିକା ଭିତରେ ସମନ୍ୱୟ ରକ୍ଷା କରିବାର ଦକ୍ଷତା ଉପରେ ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ମହିଳା ମାନେ ଆତ୍ମ ନିର୍ଭରଶୀଳ ତଥା ସ୍ଵାଭିମାନୀ ହେବା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ସହ ଆବାହକ ଡଃ ସୁମନ କଲ୍ୟାଣ ଚୌଧୁରୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଆବାହକ ଚିତ୍ତ ରଂଜନ ଗୋଗେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।ଶେଷରେ ଡ଼ଃ ଲୁପ୍ତ ରତ୍ନ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଛାତ୍ରୀ ଓ ଗବେଷକ ଉପସ୍ଥିତ ଥିଲେ । ସଭା ଶେଷରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ଚାରା ରୋପଣ କରାଯାଇଥିଲା।

Comments are closed.