କ୍ୟାବିନେଟ ବୈଠକ : ଶିକ୍ଷକ, ଅଧ୍ୟାପକଙ୍କୁ ପୂର୍ଣ୍ଣ ଅନୁଦାନ

0

ଭୁବନେଶ୍ୱର: ବ୍ଲକ୍‍ଗ୍ରାଣ୍ଟ ପାଉଥିବା ସ୍କୁଲ ଓ କଲେଜ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ସରକାର ଘୋଷଣା କରିଥିବା ପୂର୍ଣ୍ଣ ଅନୁଦାନ ନୀତିକୁ ଆଜି କ୍ୟାବିନେଟ ମୋହର ମାରିଛି। ଏହା ଫଳରେ ରାଜ୍ୟର ୫୦ହଜାର ୨୭୮ ଶିକ୍ଷକ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାରଙ୍କ ଉପରେ ୭୧୯.୭୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ପଡ଼ିବ। ବ୍ଲକ ଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ କର୍ମଚାରୀମାନେ ପୂର୍ଣ୍ଣର୍ ଅନୁଦାନ ବ୍ୟବସ୍ଥାରେ ପ୍ରାୟ ଦୁଇଗୁଣ ବେତନ ପାଇବେ। ଗତ ଜାନୁଆରୀ ମାସରୁ ପିଛିଲା ଭାବେ ଏହି ବର୍ଦ୍ଧିତ ବେତନ ଲାଗୁ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସମେତ ସହରାଞ୍ଚଳରେ ଜଳସ୍ତମ୍ଭ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଜଳ ବାବଦରେ ବାକି ଥିବା ୪୫କୋଟି ୧୫ଲକ୍ଷ ଟଙ୍କାର ଜଳ କର ଛାଡକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସେହିପରି କେନ୍ଦ୍ରାପଡ଼ା, ଅନୁଗୋଳ ଓ ଝାରସୁଗୁଡ଼ା ଜିଲାରେ ଜଳ ଯୋଗାଣ କାର୍ଯ୍ୟ ସମ୍ପାଦନ ପାଇଁ ୪୩୨କୋଟି ୨୨ ଲକ୍ଷ ଟଙ୍କାର ନିବିଦା ଏବଂ ହୀରକୁଦ ନଦୀବନ୍ଧ ବାମ ପାଶ୍ୱର୍ରେ ଅତିରିକ୍ତ ନିର୍ଗମନ ପଥ ନିର୍ମାଣ ପାଇଁ ୩୬୯ କୋଟି ଟଙ୍କାର ନିବିଦାକୁ ଅନୁମୋଦନ ମିଳିଛି। କ୍ୟାବିନେଟରେ ମୋଟ ୧୩ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କ୍ୟାବିନେଟ ନିଷ୍ପତ୍ତି ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଶତ ପ୍ରତିଶତ ବ୍ଲକ ଗ୍ରାଣ୍ଟ ପାଉଥିବା ୨୮୯୭ ବିଦ୍ୟାଳୟର ୨୫,୬୦୪ ଜଣ ଶିକ୍ଷକ କର୍ମଚାରୀ ପୂର୍ଣ୍ଣ ଅନୁଦାନ ପାଇବେ। ସେମାନେ ମୂଳ ଦରମା ସହ ଗ୍ରେଡ ପେ ଏବଂ ୧୩୬% ମହଙ୍ଗା ଭତ୍ତା ପାଇବେ। ସେହିପରି ୪୦%, ୬୦% ଓ ୭୫% ବ୍ଲକ ଗ୍ରାଣ୍ଟ ପାଉଥିବା ୮୦୪ଟି ବିଦ୍ୟାଳୟର ୮୩୪୪ ଜଣ ଶିକ୍ଷକ କର୍ମଚାରୀ ସମାନୁପାତିକ ଭାବେ ଅନୁଦାନ ପାଇବେ। ୧୦୦% ବ୍ଲକ ଗ୍ରାଣ୍ଟ ପାଉଥିବା ୧୪୯୯ଟି କଲେଜର ୧୫,୭୩୮ ଅଧ୍ୟାପକ, କର୍ମଚାରୀ ପୂରର୍ଣ ଅନୁଦାନ ପାଇବେ। ୪୦%, ୬୦% ଓ ୭୫% ବ୍ଲକ ଗ୍ରାଣ୍ଟ ପାଉଥିବା ଅଧ୍ୟାପକ କର୍ମଚାରୀଙ୍କୁ ଉପରୋକ୍ତ ହାରରେ ବେତନ ମିଳିବ।
ସହରାଞ୍ଚଳ ୱାଟର ୱାର୍କସ ନୀତି-୧୯୮୦ରେ ଥିବା ବ୍ୟବସ୍ଥାକୁ ସରକାର କୋହଳ କରିଛନ୍ତି। ସହରାଞ୍ଚଳର ଗରିବ ଜନସାଧାରଣଙ୍କୁ ବିନା ଦେୟରେ ଜଳ ସ୍ତମ୍ଭ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି। ଏ ବାବଦରେ ୨୦୧୭ ଜୁନ ମାସ ସୁଦ୍ଧା ୪୦.୫ କୋଟି ଏବଂ ଚଳିତ ବର୍ଷର ୫.୧୦ କୋଟି ଟଙ୍କା ଛାଡ କରିଛନ୍ତି। ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ମାଧ୍ୟମରେ ରାଜ୍ୟର ୨୫ହଜାର ଗୋଟି ସାର୍ବଜନୀନ ଜଳସ୍ତମ୍ଭ ମାଧ୍ୟମରେ ସହରାଞ୍ଚଳ ଗରିବ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଆସୁଛନ୍ତି। ଏହି ଜଳ କର ଆଦାୟ ନିମେନ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ନିକଟରେ ବିଲ ପ୍ରଦାନ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲାର ଲୁଣାପାଣି ଦ୍ୱାରା ପ୍ରଭାବିତ ଗ୍ରାମ, ଝାରସୁଗୁଡ଼ା ଜିଲାର ଜଳକ୍ଲିଷ୍ଟ ଏବଂ ଅନୁଗୋଳ ଜିଲାର ଖଣି ପ୍ରଭାବିତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ଚାରିଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ ଟେଣ୍ଡର କରାଯାଇଥିଲା। ଏଲ ଆଣ୍ଡ ଟି ଏହି କାର୍ଯ୍ୟ ୪୩୨ କୋଟି ୨୨ଲକ୍ଷ ଟଙ୍କାରେ ନେଇଛି। ଏହାଦ୍ୱାରା ଉପରୋକ୍ତ ଜ ୩ଟି ଜିଲାର ୫ଟି ବ୍ଲ ଅନ୍ତର୍ଗତ ୩୦୭ ଗ୍ର୍ରାମର ୩ଲକ୍ଷ ୫୩ ହଜାର ୯୫୨ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇପାରିବ।
ହୀରାକୁଦ ବନ୍ଧର ବାମ ପାଶ୍ୱର୍ରେ ଥିବା ଗାନ୍ଧି ପାହାଡ଼ ନିକଟରେ ଅତିରିକ୍ତ ନିର୍ଗମନ ପଥ ନିର୍ମାଣ ସହିତ ଯାନ୍ତ୍ରିକ କାର୍ଯ୍ୟ କରାଯିବ। ଏଥିପାଇଁ ଟାଟା ପ୍ରୋଜେକ୍ଟ ୩୬୯ କୋଟି ଟଙ୍କାରେ କାର୍ଯ୍ୟ ନେଇଛି। ସୂଚନାଯୋଗ୍ୟ ଯେ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ପିଲ ୱେ କରାଯିବ।
କ୍ୟାବିନେଟରେ ଓପିଏସସି ସଦସ୍ୟଙ୍କ ନିଯୁକ୍ତିକୁ ଅନୁମୋଦନ, ଇସ୍ପାତ ଓ ଖଣି ବିଭାଗର ପଦବୀ ପୁନର୍ଗଠନ, ସହର ଯୋଜନା ନିର୍ଦେଶାଳୟ ଅଧୀନରେ କାର୍ଯ୍ୟରତ ଅଧିକାରୀଙ୍କ ନିଯୁକ୍ତି ନିୟମରେ ସଂଶୋଧନ, ପୌର ସଂସ୍ଥାରେ ଥିବା ବିଦ୍ୟାଳୟର କର୍ମଚାରୀଙ୍କ ସେବା ସମୟରେ ସଂଶୋଧନ ଏବଂ ନୂତନ ଭାବେ ନିଯୁକ୍ତି ପାଇଥିବା ସିଭିଲ ଜଜଙ୍କ ଶିକ୍ଷାନବୀସ ଅବଧି ଏକ ବର୍ଷକୁ ହ୍ରାସ କରାଯାଇଛି।

Leave A Reply