ସାଂଘାଇରେ ଭାରତ-ଚୀନ ଆଲୋଚନା

0

ସାଂଘାଇ : ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‍ ଡୋଭାଲ୍‍ ଚୀନ୍‍ ଶାସକ କମ୍ୟୁନିଷ୍ଟ୍‍ ପାର୍ଟିର ଜଣେ ବରିଷ୍ଠ ଅଧିକାରୀ ୟାଙ୍ଗ୍‍ ଜିଏଚିଙ୍କ ସହ ସାଂଘାଇରେ ଶୁକ୍ରବାର ଆଲୋଚନା କରିଛନ୍ତି । ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ, ଗତବର୍ଷର ଡୋକ୍‍ଲାମ୍‍ ଅଚଳାବସ୍ଥା ପରଠାରୁ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ । ଶ୍ରୀ ଡୋଭାଲା ଓ ଶ୍ରୀ ୟାଙ୍ଗ୍‍ ଭାରତ-ଚୀନ୍‍ ସୀମା ଆଲୋଚନାରେ ଦୁଇଦେଶର ପ୍ରତିନିଧିତ୍ୱ କରୁଛନ୍ତି । ସଂପର୍କରେ ଉନ୍ନତି ପାଇଁ ଦୁଇଦେଶ ମଧ୍ୟରେ ହେବାକୁଥିବା ବହୁ କଥାବାର୍ତ୍ତା ଓ ଆଲୋଚନା ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହେଉଛି । ଡୋକ୍‍ଲାମ୍‍ ଅଚଳାବସ୍ଥା ବ୍ୟତୀତ ଦୁଇଦେଶ ଚୀନ୍‍-ପାକିସ୍ତାନ ଅର୍ଥନୈତିକ କରିଡର, ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତା ଓ ଜାତିସଂଘ ଦ୍ୱାରା ଜୈସେ ମହମ୍ମଦ ମୁଖ୍ୟ ମସୁଦ୍‍ ଆଝାରକୁ ଆତଙ୍କବାଦୀ ଘୋଷଣା କରିବା ଉଦ୍ୟମରେ ଚୀନ୍‍ ଦ୍ୱାରା ପ୍ରତିବନ୍ଧକ ସୃଷ୍ଟି ଭଳି ଆହୁରି ଅନେକ ପ୍ରସଙ୍ଗର ସମାଧାନ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଜୁନ୍‍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ସାଂଘାଇ ସହଯୋଗ ସଂଗଠନରେ ଯୋଗଦେବା ପାଇଁ ଗସ୍ତ ପୂର୍ବରୁ ଦୁଇଦେଶ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ କଥାବାର୍ତ୍ତା ହେବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୪ ତାରିଖରେ ସାଂଘାଇ ସହଯୋଗ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply